ସାରା ରାଜ୍ୟରେ ଟ୍ରାଫିକ୍ ଧରପଗଡ଼ ଜୋରଦାର : ଧରାପଡ଼ିଲେ ୧୭୮ମଦ୍ୟପ ଚାଳକ

୫୪୭୪ ଗାଡ଼ି ଯାଞ୍ଚ

ଭୁବନେଶ୍ୱର : ନୂତନ ମୋଟର ଯାନ ଆଇନ ଅନୁସାରେ ଆଜିଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ ପ୍ରମାଣପତ୍ର ଆଦି ଗାଡ଼ିର ବିଭିନ୍ନ କାଗଜପତ୍ର ପ୍ରସ୍ତୁତ କରିବାକୁ ସରକାର ଆଉ ତିନି ମାସ ମହଲତ ଦେଇଥିଲେ ହେଁ ବିନା ହେଲମେଟ୍‌ରେ ବାଇକ୍‌ ଚାଳନା, କାର୍‌ରେ ସିଟ୍‌ ବେଲ୍‌ଟ ନ ବାନ୍ଧିବା, ମଦ ପିଇ ଗାଡ଼ିଚାଳନା, ଦ୍ରୁତଗତିରେ ଓ ରଙ୍ଗରୁଟ୍‌ରେ ଯାଉଥିବା ଗାଡ଼ି ଚଳାଇବା ଆଦି ୧୦ଟି ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ ଧରପଗଡ଼ ଅଭିଯାନକୁ ଜୋରଦାର କରାଯାଇଛି। ଆଜି ଗୋଟିଏ ଦିନରେ ୫,୪୭୪ ଗାଡ଼ିକୁ ଯାଞ୍ଚ କରାଯାଇଥିବାବେଳେ ୧୭୮ ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରରୁ ନେଇ କଟକ, ବାଲେଶ୍ୱର, ଭଦ୍ରକରୁ ରାୟଗଡ଼ା ସବୁଠି ଗାଡ଼ି ଚାଳକଙ୍କ ଉପରେ ତୀକ୍ଷଣ ନଜର ପୁଲିସ ଓ ପରିବହନ ବିଭାଗ।

ରବିବାର ଛୁଟିଦିନ ଥିବାରୁ ପରିବହନ ବିଭାଗ ଏତେଟା ସକ୍ରିୟ ନ ଥିଲେ ମଧ୍ୟ ପୁଲିସ ସଂପୂର୍ଣ୍ଣ ଭାବେ ସଜାଗ ଥିଲା। ରାଜ୍ୟର ବିଭିନ୍ନ ସହରରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅଟକାଇ ଯାଞ୍ଚ କରାଯିବା ସହ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ନୂଆ ମୋଟରଯାନ ଆଇନ ଲାଗୁକୁ ନେଇ ଆଜି ମଧ୍ୟ କେତେକ ସ୍ଥାନରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।

ଆଜି ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ପରିବହନ ବିଭାଗ ୪.୬୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ମାତ୍ର ଦୁଇ ଘଣ୍ଟା ଧରପଗଡ଼ରେ ପରିବହନ ବିଭାଗକୁ ଏଭଳି ସଫଳତା ମିଳିଛି। କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ୩୬ଟି ସ୍ଥାନରେ ଧରପଗଡ଼ କରାଯାଇଥିଲା। ଭୁବନେଶ୍ବରରେ ସିସି କ୍ୟାମେରା ମାଧ୍ୟମରେ ମଧ୍ୟ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ପୁଲିସ ନଜର ରଖିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସାରା ରାଜ୍ୟରେ ୫୪୭୪ ଜଣ ଗାଡ଼ି ଚାଳକଙ୍କୁ ଯାଞ୍ଚ କରାଯାଇଥିଲା। ସେଥି ମଧ୍ୟରୁ ୧୭୮ ଜଣ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ। ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ ଡିଜି (ଭାରପ୍ରାପ୍ତ) ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ନୂଆ ମୋଟର ଯାନ ଆଇନକୁ ଆଉ ତିନି ମାସ କୋହଳ କରାଯାଇଥିଲେ ହେଁ ଯାଞ୍ଚ କୋହଳ ହୋଇନାହିଁ। ଆଜି ବାଲେଶ୍ବରରେ ୬୫ ଜଣ ବାଇକ୍‌ ଚାଳକ ତଣ୍ଡ ଗଣିଛନ୍ତି। ପ୍ରତ୍ୟେକଙ୍କଠାରୁ ଏକ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ସମସ୍ତେ ବିନା ହେଲମେଟ୍‌ରେ ବାଇକ୍‌ ଚଳାଉ ଥିବାବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେହିପରି ୩ ଜଣ ଚାଳକ ମଦ ପିଇ ଗାଡ଼ି ଚଳାଉ ଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଭଦ୍ରକରେ ୧୯ ଜଣ ଚାଳକଙ୍କଠାରୁ ଜରିମାନା ଆଦୟ କରାଯାଇଛି। କେନ୍ଦୁଝରରେ ୬୦ଜଣ ଚାଳକଙ୍କଠାରୁ ୧ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରାଯାଇଛି।

ସେହିପରି ଆଜିଠାରୁ ରାଜଧାନୀରେ ଟ୍ରାଫିକ୍ ଆଇନ ଉଲ୍ଲଂଘନକାରୀଙ୍କୁ ଜଗିବ କ୍ୟାମେରା। ଏଥିପାଇଁ ଟିଭିଟିଏସ ମାଧ୍ୟମକୁ ଆପଣାଇଛି ପୁଲିସ। ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀର ରୂପାଲି ଛକରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି। ଏହି ପ୍ରକ୍ରିୟାରେ ଗାଡ଼ି ଗୁଡ଼ିକର ନମ୍ବର ପ୍ଲେଟ୍ ଗୁଡ଼ିକ ଉପରେ ନଜର ରଖିବ କ୍ୟାମେରା। କୌଣସି ଚାଳକ ନିୟମ ଉଲ୍ଲଂଘନ କରିବା ମାତ୍ରେ ନମ୍ବର ପ୍ଲେଟର ଫଟୋ କଏଦ ହୋଇଯିବ। ଏହାପରେ ସେମାନଙ୍କ ଘରକୁ ଇ-ଚାଲଣ ପଠାଇ ଦିଆଯିବ। ଖିଲାପକାରୀ ଜରିମାନା ପୈଠ କରିବା ପାଇଁ କମିସନରେଟ୍ ପୁଲିସ ମୁଖ୍ୟାଳୟରେ ଏକ କାଉଣ୍ଟର ଖୋଲିବ। ଜରିମାନା ପୈଠରେ ବିଳମ୍ବ ହେଲେ ସୁଧ ଦେବାକୁ ପଡ଼ିବ। ରାଜଧାନୀର ପ୍ରଥମ କ୍ୟାମେରା ଏଠାରେ ଲାଗିଛି। ଆଗକୁ ଏହିପରି ୩୬ଟି ସ୍ଥାନରେ କ୍ୟାମେରା ଲାଗିବ।

ସମ୍ବନ୍ଧିତ ଖବର