ମଦ ପିଇ ଗାଡି ଚଳାଉଥିଲେ ନିସ୍ତାର ନାହିଁ
ନାବାଳକ ଗାଡ଼ି ଚଳାଉଥିଲେ କାର୍ଯ୍ୟାନୁଷ୍ଠାନ
ଓଭରଲୋଡିଂ ନେଇ ସ୍କୁଲଗାଡ଼ିକୁ ବି ଦଣ୍ଡ
ଏକାଥରକେ ୪ଟି ଗାଡ଼ି ଅଟକାଇପାରିବେ

Advertisment

ଭୁବନେଶ୍ବର : ମଦ ପିଇ ଗାଡ଼ି ଚଳାଉଛନ୍ତି କି? ବିନା ହେଲମେଟ୍‌ରେ ଯାଉଛନ୍ତି? ଦୁଇ ଜଣିଆ ଗାଡ଼ିରେ ତିନିଜଣ ଯାଉଛନ୍ତି? ନାଲିବତି ଲାଗିଥିବା ବେଳେ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି କି?

ସାବ୍‌ଧାନ୍ ହୋଇଯାନ୍ତୁ। ଆସନ୍ତାକାଲି(ମାର୍ଚ୍ଚ ପହିଲା)ଠାରୁ ଏସବୁ ପାଇଁ ବଡ଼ ଧରଣର ଜରିମାନା ଦେବାକୁ ପଡ଼ିପାରେ। ଯେ କୌଣସି ମୁହୂର୍ତରେ ପରିବହନ ଅଧିକାରୀ କିମ୍ବା ପୁଲିସ ଅଟକାଇ ପାରନ୍ତି। କେନ୍ଦ୍ରୀୟ ନିୟମ ଆଧାରରେ ଆସନ୍ତାକାଲିଠାରୁ ପୁଣି କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ। ଏ ସଂକ୍ରାନ୍ତରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ଯେଉଁ ୬ମାସର ମହଲତ ଦେଇଥିଲେ, ସେ ସମୟସୀମା ଆଜି ସରିଯାଇଛି। ଏଥିସହିତ ଆଜି ରାଜ୍ୟ ପରିବହନ କମିସନ ସମସ୍ତ ଜିଲ୍ଲାପାଳ, ପୁଲିସ ଏସ୍‌ପି, ଡିସିପି ଓ ଭୁବନେଶ୍ବର-କଟକ ଟ୍ରାଫିକ୍ ଡିସିପିଙ୍କୁ ଚିଠି ଲେଖି ଜଣାଇଛନ୍ତି, ୧୯୮୮ ଏମ୍‌ଭି ଆକ୍ଟରେ ଯେଉଁ ସେଂଶାଧନ ଅଣାଯାଇଛି, ତାହା ପୂର୍ଣ୍ଣ ଭାବରେ ଲାଗୁ ହେବା ଦରକାର। ଏ କ୍ଷେତ୍ରରେ ଆଉ କୌଣସି ରିହାତି ବା କୋହଳ କରାଯିବାର ପ୍ରଶ୍ନ ଉଠୁନାହିଁ।

ପରିବହନ କମିସନର ସ୍ପଷ୍ଟ କରିଦେଇଛନ୍ତି, ମଦପିଇ କିମ୍ବା ମାତ୍ରାଧିକ ଗତିରେ ଗାଡ଼ି ଚଳାଇବା ଅଥବା ରେଡ୍ ଲାଇଟ୍ ଦିଆଯାଇଥିବା ସମୟରେ ରାସ୍ତା ପାର କରିବା ସମ୍ପୂର୍ଣ୍ଣ ନିଷେଧ। ଗା଼ଡି ଚାଳନା ସମୟରେ ମୋବାଇଲ୍‌ରେ କଥା ହେବା, ବିପଜ୍ଜନକ ଭ‌ାବେ ଗାଡ଼ି ଚଳାଇବା, ଦୁଇ ଚକିଆ ଯାନରେ ତିନି ଜଣ ବସିଥିଲେ କିମ୍ବା ହେଲମେଟ୍ ପିନ୍ଧିନଥିଲେ, ଗାଡ଼ିଚାଳକ ଦଣ୍ଡିତ ହେବେ, ଜରିମାନା ଦେବେ। କେବଳ ସେତିକି ନୁହେଁ, ଓଭରଲୋଡିଂ କିମ୍ବା କାର୍‌ରେ ସିଟ୍ ବେଲ୍ଟ ବାନ୍ଧିନଥିଲେ ବି ଅନୁରୂପ ଭାବେ ତଣ୍ଡ ଗଣିବାକୁ ହେବ।

ପରିବହନ କମିସନ କହିଛନ୍ତି, ୨୦୧୯ ସେପ୍‌ଟେମ୍ବରରୁ ଡିସେମ୍ବର ମଧ୍ୟରେ ୧୦ ହଜାରରୁ ଅଧିକ ମଦୁଆ ଗାଡ଼ି ଚାଳକଙ୍କୁ ପୁଲିସ ଗିରଫ କରିଛି। ଏହି ସମୟରେ ସଡ଼କ ଦୁର୍ଘଟଣା ହାର ୧୭% କମିଛି। ଏଣୁ ମଦ ପିଇ ଗାଡ଼ିଚାଳନାକୁ ସବୁଠାରୁ ଗୁରୁତ୍ବ ଦେବାକୁ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ କଡ଼ା ବାର୍ତା ଦିଆଯାଇଛି ଯେ ଯଦି ନାବାଳକ ଗାଡ଼ି ଚଳାଉଥାନ୍ତି କିମ୍ବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ିରେ ନିର୍ଦିଷ୍ଟ ସଂଖ୍ୟାଠାରୁ ଅଧିକ ନେଉଥାନ୍ତି, ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ହେବ।

ଗତ ଦିନରେ ଯାଞ୍ଚ ବେଳେ ପରିବହନ ଓ ପୁଲିସ ଅଧିକାରୀ ଲୋକଙ୍କୁ ଯେଭଳି ଦହଗଞ୍ଜ କରିଥିଲେ, ସେ ନେଇ ଏଥର ସତର୍କ ରହିବା ଲାଗି ପରିବହନ କମିସନର ତାଗିଦ୍ କରିଛନ୍ତି। କହିଛନ୍ତି, ଡକ୍ୟୁମେଣ୍ଟ ଯାଞ୍ଚ ବେଳେ କିମ୍ବା ଅନ୍ୟ କେଉଁ ଦୋଷ ପାଇଁ ଯଦି ଗାଡ଼ି ଯାଞ୍ଚ କରାଯାଉଥାଏ, ସେ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ଯେଭଳି କୌଣସି ସମସ୍ୟା ସାମ୍ନା ନ କରିବାକୁ ପଡ଼େ, ତାହା ଉପରେ ନଜର ରଖିବାକୁ ହେବ। ଗୋଟିଏ ସମୟରେ ସର୍ବାଧିକ ଚାରିଟି ଗାଡ଼ିକୁ ଅଧିକାରୀମାନେ ଅଟକାଇ ପାରିବେ ବୋଲି ସ୍ପଷ୍ଟ କରିଦିଆଯାଇଛି।