ଉଦଳା-୧/କୁଆମରା: ମୟୂରଭଞ୍ଜ ଜିଲ୍ଲା କୁଆମରା-ଉଦଳାକୁ ସଂଯୋଗ କରୁଥିବା ରାସ୍ତାର କଇଁସାରୀ ଜାମୁଘାଟ ନିକଟ ଦେଓ ନଦୀ ଉପରେ ୨୫ ବର୍ଷ ପୁରୁଣା ଏକ ପୋଲ ରହିଛି। ଆଜି ସକାଳେ ହଠାତ ଉକ୍ତ ପୋଲଟି ଦବି ଯାଇଥିଲା। ଏହା ସହିତ ପୋଲ ମଝିରେ ଏକାଧିକ ଫାଟ ସୃଷ୍ଟି ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକ ପୋଲ ଉପରେ ଗାଡ଼ି ଚଳାଚଳ ବନ୍ଦ କରି ଦେଇଥିଲେ। ଖବର ପାଇ ଦିନ ପ୍ରାୟ ୧୨ଟା ବେଳେ ପୂର୍ତ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। ବିପଦ ଥିବା ଜାଣି ପୋଲର ଉଭୟ ପାର୍ଶ୍ବରେ ଅସ୍ଥାୟୀ ବାଡ଼ ଓ ପଥରଗୁଣ୍ଡ ପକାଇ ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।
ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ବନ୍ଦ ହୋଇଥିବାରୁ ଲୋକେ ହଇରାଣ ହେବେ। କହ୍ନେଇବନ୍ଧ କିମ୍ବା ବୈରାଟପୁର ଦେଇ ଯିବାଆସିବା କଲେ ଲୋକଙ୍କୁ ଅଧିକ ୧୫ କିଲୋମିଟର ରାସ୍ତା ବୁଲି ଯିବାକୁ ପଡ଼ିବ। ତେଣୁ ତୁରନ୍ତ ପୋଲ ମରାମତି କରାଯିବାକୁ ଦାବି ହୋଇଛି। ସୂଚନାଥାଉକି ରାସ୍ତାଟି ଉପରେ ଠାକୁରମୁଣ୍ଡା, ଡଙ୍ଗାଡ଼ିହା, ପୋଡ଼ାଡ଼ିହା, ଉଦଳା, ମାଣତ୍ରୀ, ବୈଶିଙ୍ଗା, ରୁପ୍ସା ପ୍ରଭୃତି ଅଞ୍ଚଳର ଲୋକ ନିର୍ଭର କରନ୍ତି। ରାସ୍ତାଟି ଉଦଳା-ଜୟପୁର ହୋଇ ବାଲେଶ୍ବରକୁ ସଂଯୋଗ କରୁଥିବାରୁ ଏହାର ଯଥେଷ୍ଟ ଗୁରୁତ୍ବ ରହିଛି। ସେହିପରି ଗୋପବନ୍ଧୁ ନଗର ବ୍ଲକ୍ ମୁଖ୍ୟାଳୟକୁ ଲୋକେ ଏହି ରାସ୍ତା ଦେଇ ଯିବାଆସିବା କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/jamughat-bridge.jpg)