ଝାରସୁଗୁଡାରେ ଟ୍ରାଫିକ ବ୍ୟବସ୍ଥା ଫେଲ୍‌ : କେବଳ ନୋଟିସ୍‌ରେ ସୀମିତ ଟ୍ରାଫିକ୍ ନିୟନ୍ତ୍ରଣ

ଝାରସୁଗୁଡ଼ା : ବର୍ଷ ତମାମ ରାସ୍ତା ଉପରେ ସର୍ବସାଧାରଣ ରାଜୁତି। ଅଟୋ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ରାସ୍ତା ଉପରେ ଖୋଲା ଖୋଲି ଅବରୋଧ କରି ଆସୁଛନ୍ତି। କେବଳ ଯେ, ବ୍ୟବସାୟୀ କି ଅଟୋ ନୁହଁନ୍ତି ବିଭିନ୍ନ ସମୟରେ ବହୁ ରାଜନୈତିକ ଦଳ, ବିଭିନ୍ନ ସଂଗଠନ, ଗଣେଶ ପୂଜା, ଦୁଗାର୍ପୂଜା ଶୋଭାଯାତ୍ରା ଠାରୁ ବହୁ ଧାର୍ମିକ ଶୋଭାଯାତ୍ରାରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥାଏ। ବିବାହ ଋତୁରେ ବରଯାତ୍ରୀ ଦଳର ଅବରୋଧ। ମଙ୍ଗଳବାର ଦିନ ମଙ୍ଗଳବଜାର ପାଇଁ ମେଡ଼ିକାଲ ରାସ୍ତା ଅବରୋଧ, ଶୁକ୍ର ବଜାର ଦିନ ଡାକବଙ୍ଗଳା ରାସ୍ତା ଅବରୋଧ ଏକ ନିତିଦିନିଆ ଘଟଣା ପାଲଟି ଯାଇଛି। ଆଉ ସବୁଠାରୁ ବଡ଼ କଥା ହେଲା ଝାରସୁଗୁଡ଼ା ଲୋକେ ଏହାକୁ ଏଡ଼ଜଷ୍ଟ ମଧ୍ୟ କରି ସାରିଛନ୍ତି। ମାତ୍ର ଏହି ଅବରୋଧ ସମୟରେ ଯେ, ନିଜର ଅସୁସ୍ଥ ଆତ୍ମୀୟକୁ ନେଇ ଡାକ୍ତରଖାନା ଯାଉଛି, ଯିଏ ଟ୍ରେନ୍ ଧରିବା ପାଇଁ ଷ୍ଟେସନକୁ ଯାଉଛି ଅବା ଘରପୋଡ଼ି କିମ୍ବା ଅନ୍ୟ କୌଣସି ଜରୁରୀ କାମରେ ଦମକଳ, ଆମ୍ବୁଲାନ୍ସ ଏହି ରାସ୍ତାରେ ଯାଉଛି ସେହି ସମୟରେ ଅନୁଭବ କରିଥିବା ଲୋକ ଏହାର ଭୟାବହତା ଉପଲବ୍ଧି କରିଥିବ ନିଶ୍ଚୟ। ଗୋଟିଏ ରାସ୍ତାର ସହର ହୋଇଥିବା ବେଳେ ଉଭୟ ପଟେ ରାସ୍ତା ଉପରେ ବ୍ୟବସାୟୀଙ୍କ ପସରା, ପାର୍କିଂ ପାଇଁ ସ୍ଥାନାଭାବ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। ଜବରଦଖଲ ହଟାଇବାକୁ ଚାହିଁଲେ ପୌରସଂସ୍ଥା ଉପରେ କିଛି ତଥାକଥିତ ବ୍ୟକ୍ତି ଚାପ ସୃଷ୍ଟି କରି ବନ୍ଦ କରି ଦେଉଛନ୍ତି। ଏଭଳି ପରିସ୍ଥିତିରେ ପୁଲିସ ମଧ୍ୟ ନାଚାର ହୋଇ ପଡ଼ିଛି। ଗତ କିଛି ଦିନ ତଳେ ପୁଲିସ ରାସ୍ତାଘାଟରେ ନୋଟିସ ମାରିବା ଆରମ୍ଭ କରିଛି। ଏଥିରେ ଏସପିଙ୍କ ସ୍ବାକ୍ଷରରେ ଅବରୋଧକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୮୩ ଲଗୁ କରାଯିବ ବୋଲି ସତର୍କ କରାଯାଇଛି।

ସମ୍ବନ୍ଧିତ ଖବର