୩ ମାସ ପର୍ଯ୍ୟନ୍ତ ନୂଆ ମୋଟର ଯାନ ଆଇନ ଅନୁସାରେ ଜରିମାନା ଆଦାୟକୁ କୋହଳ କଲେ ମୁଖ୍ୟମନ୍ତ୍ରୀ, ସମସ୍ତଙ୍କୁ ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଲେ

ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ମୋଟା ଅଙ୍କର ଜରିମାନା ରାଶି ଆଦାୟକୁ ଦେଖି ରାଜ୍ୟର  ଗାଡି ଚାଳକ ଓ ମାଲିକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ପୁଣି ଏହାକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ବିଭିନ୍ନ ସ୍ଥାନରେ ବିଶୃଂଙ୍ଖଳା ମଧ୍ୟ ଦେଖାଦେଇଛି।  ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଜରିମାନା ଆଦାୟକୁ ୩ମାସ ପର୍ଯ୍ୟନ୍ତ କୋହଳ କରିଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ସମସ୍ତ ଗାଡ଼ି ଚାଳକମାନଙ୍କୁ ଆପିଲ୍‌ କରି କହିଛନ୍ତି, ୩ ମାସ ପର୍ଯ୍ୟନ୍ତ ଜରିମାନାକୁ କୋହଳ କରି ଦିଆଯାଇଛି। ଏହି ସମୟରେ ଗାଡ଼ି ଚାଳକ ଓ ମାଲିକ ନିଜନିଜ ଗାଡ଼ିର କାଗଜପତ୍ର ପ୍ରସ୍ତୁତ ନିଅନ୍ତୁ। ତେବେ ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଅଧିକ ସୁବିଧା ସୃଷ୍ଟି କରାଯିବ। ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲାଯିବାର ବି ଯୋଜନା ରହିଛି। ତେବେ ଅଧିକ କାଉଣ୍ଟର ଖୋଲିବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଟ୍ରାଫିକ୍‌ ନିୟମକୁ ମାନିବାକୁ ସମସ୍ତ ଗାଡ଼ି ଚାଳକଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ ବି କରିଛନ୍ତି।

ନୂଆ ମୋଟର ଯାନ ସଂଶୋଧନ ଆଇନରେ ଆଦାୟ ହେଉଥିବା ଜରିମାନା ଅଧିକ ବୋଲି ରାଜ୍ୟ ସରକାର  ଅନୁଭବ କରିଛନ୍ତି। ମାତ୍ର ୮ ଦିନର କାର୍ଯ୍ୟାନୁଷ୍ଠାନରେ ଅଥୟ ହୋଇପଡ଼ିଲେଣି ଜନତା । ନୂଆ ଆଇନ ଅନୁସାରେ ଲୋକଙ୍କୁ ହଜାର ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ପଡ଼ୁଛି । ଅଧିକ ଫାଇନରୁ ଲୋକଙ୍କୁ କୋହଳ ଦେବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ସୋମବାର ସକାଳେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ।

କେନ୍ଦ୍ର ସରକାରଙ୍କ ଆଇନ ହୋଇଥିବାରୁ ଏଥିରେ କୌଣସି ପରିବର୍ତ୍ତନ କରିହେବ ନାହିଁ । ହେଲେ ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର  କିଛି ପରିବର୍ତ୍ତନ କରିବା ପାଇଁ ଯୋଜନା କରୁଛନ୍ତି । ପୁରୁଣା ଓ ନୂଆ ନିୟମକୁ ତୁଳନା କରିବା ସହ ତର୍ଜମା କରିବା ପରେ ରାଜ୍ୟ ସରକାର ରାଜ୍ୟରେ ନୂଆ ନିୟମ ଆଣିପାରନ୍ତି । ଅଧିକ ନ ହେଲେ ମଧ୍ୟ କିଛି ପରିମାଣରେ ଲୋକେ ଜରିମାନାରୁ ଆଶ୍ୱସ୍ତି ପାଇବେ ବୋଲି ପଦ୍ମନାଭ ବେହେରା କହିଛନ୍ତି ।

ସମ୍ବନ୍ଧିତ ଖବର