ବାଜିଲା ସତର୍କ ଘଣ୍ଟି, ଗୋଟିଏ ଦିନର ମହଲତ : ଆଉ ନିସ୍ତାର ନାହିଁ, ଏଥର ମୋଟା ଅଙ୍କର ଜରିମାନା

ଭୁବନେଶ୍ବର : କଣ୍ଟ ପୂରିଲା, ଆଉ ନିସ୍ତାର ନାହିଁ। ନୂଆ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେଲା ପରେ ଦୁଇଟି ଦଫାରେ ଗାଡ଼ି ଚାଳକଙ୍କୁ କାଗଜପତ୍ର ଠିକ୍ କରିବା ପାଇଁ ୬ ମାସ ମହଲତ ମିଳିଥିଲା। ପ୍ରଥମ ଦଫାରେ ସେପ୍ଟେମ୍ବରଠାରୁ ନଭେମ୍ବର ଓ ଦ୍ବିତୀୟ ଦଫାରେ ଡିସେମ୍ବରଠାରୁ ଫେବ୍ରୁଆରି ୨୯ ତାରିଖ ପର୍ଯ୍ୟନ୍ତ ରିହାତି ଦେଇଥିଲେ ରାଜ୍ୟ ସରକାର। କିନ୍ତୁ ମାର୍ଚ୍ଚ ୧ତାରିଖଠାରୁ ଆଉ ନିସ୍ତାର ନାହିଁ। ଏ ନେଇ ରୋକଠୋକ୍ ଶୁଣାଇ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି ଶେଷ ହୋଇଛି ଡେଡ୍ ଲାଇନ୍। ମାର୍ଚ୍ଚ ୧ ତାରିଖଠାରୁ ନିୟମ କଡ଼ାକଡ଼ି ପାଳନ ସହ କାର୍ଯ୍ୟାନୁଷ୍ଠାନ ଲାଗି ପରିବହନ ଓ ପୁଲିସର ମଧ୍ୟ ପ୍ରସ୍ତୁତି ଶେଷ ହୋଇସାରିଲାଣି। ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରିବେ କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ରାଜଧାନୀ ଭୁବନେଶ୍ବରର ଏଜି, ନାଲକୋ, କଳ୍ପନା, ରୂପାଲି, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବବିହାର, ପଟିଆ, ରସୁଲଗଡ଼ ଭଳି ଗୁରୁତ୍ବପୂର୍ଣ୍ଣ ଛକରେ କଡ଼ାକଡ଼ି ଯାଞ୍ଚ କରାଯିବ। ୬ ମାସର ମହଲତ ପରେ ଗାଡ଼ି ଚାଳକ କେତେ ପ୍ରସ୍ତୁତ ହୋଇଛନ୍ତି, କେତେ ସଚେତନ ହୋଇଛନ୍ତି, ତାହା ମାର୍ଚ୍ଚ ୧ ତାରିଖ ପରେ ହିଁ ଜଣାପଡ଼ିବ।

୬ ମାସରେ ଲକ୍ଷେ ଡ୍ରାଇଭିଂ ଲାଇସେନ୍ସ
ନୂଆ ମୋଟରଯାନ ସଂଶୋଧିତ ଆଇନ ଲାଗୁ ହେଲା ପରେ ରାଜଧାନୀରେ ପ୍ରାୟ ୫ଲକ୍ଷ ଗାଡ଼ି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିବା ଜଣା ପଡ଼ିଥିଲା। ଗାଡ଼ି ଧରପଗଡ଼ ହେବା ପରେ ଆରଟିଓରେ ଲାଗିଥିଲା ଲମ୍ବା ଲାଇନ୍। ବର୍ଷ ବର୍ଷ ଧରି ଯେତିକି ଲାଇସେନ୍ସ ଆବେଦନ ହୋଇ ନ ଥିଲା, ମାତ୍ର କେଇ ମାସ ମଧ୍ୟରେ ଲକ୍ଷାଧିକ ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିଥିଲେ। ଆରଟିଓ-୨ରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ସେପ୍ଟେମ୍ବର ୯ ତାରିଖରୁ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ୨୬ ହଜାର ୪୦୮ ଡ୍ରାଇଭିଂ ଲାଇସେନ୍ସ ଆବେଦନ ହୋଇଥିଲା। ଏହା ଭିତରୁ ୨୨ ହଜାର ୯୫୮ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଛି। ସେହିପରି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୫୯ ହଜାର ୭୮୨ ଜଣ ଆବେଦନ କରିଥିବା ବେଳେ ୪୮ ହଜାର ୪୩୦ ଜଣଙ୍କୁ ମିଳିଛି। ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ୧୫୦୨ ଜଣ ଆବେଦନ କରିଥିବା ବେଳେ ୧୩୬୧ଜଣଙ୍କୁ ମିଳିଛି। ଭୁବନେଶ୍ବର ଆରଟିଓ ୧ରେ ଗତ ଦୁଇ ମାସରେ ୧୯ ହଜାର ୪୯୭ ଜଣଙ୍କୁ ମିଳିଛି ଡ୍ରାଇଭିଂ ଲାଇସେନ୍ସ। ଦୁଇ ମାସରେ ୧୫ହଜାର ୧୦୬ ଜଣଙ୍କୁ ମିଳିଛି ଲର୍ଣ୍ଣିଂ ଲାଇସେନ୍ସ। ୨୦୪୬ଟି ଛୋଟ ଗାଡ଼ିର ଫିଟନେସ୍ ନବୀକରଣ ହୋଇଛି। ସେପ୍ଟେମ୍ବରରୁ ଡିସେମ୍ବର ଭିତରେ ହଜାର ହଜାର ସଂଖ୍ୟାରେ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା। ଦୁଇଟିଯାକ ଆରଟିଓକୁ ମିଶାଇଲେ ପ୍ରାୟ ଲକ୍ଷେ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଥିବା ଜଣେ ଅଧିକାରୀ କହିଛନ୍ତି।

କେଉଁ ନିୟମ ଉଲ୍ଲଂଘନ ପାଇଁ କେତେ ଟଙ୍କା ଫାଇନ୍?
ନିୟମ ଜରିମାନା (ଟଙ୍କାରେ)
ଗାଡ଼ି ଚଳା ନିୟମ ଖିଲାପ ୫୦୦
ଗାଡ଼ିର ଇନସ୍ୟୁରାନ୍ସ ନ ଥିଲେ ୨୦୦୦
ନାବାଳକ ଗାଡ଼ି ଚଳାଇଲେ ୨୫୦୦୦
ଚାଳକଙ୍କ ଲାଇସେନ୍ସ ନ ଥିଲେ ୫୦୦୦
ବାଇକ୍‌ରେ ୨ରୁ ଅଧିକ ବସିଲେ ୧୦୦୦
ହେଲ୍‌ମେଟ୍‌ ନ ପିନ୍ଧିଲେ ୧୦୦୦
ଡିଏଲ୍‌ ବାତିଲ ବେଳେ ଗାଡ଼ି ଚଳାଇଲେ ୧୦୦୦୦
ଦ୍ରୁତ ଗତିରେ ବାଇକ୍‌ ଚଳାଇଲେ ୨୦୦୦
ଦ୍ରୁତ ଗତିରେ ଚାରିଚକିଆ ଚଳାଇଲେ ୪୦୦୦
ବେପରୁଆ ଗାଡ଼ି ଚଳାଇଲେ ୫୦୦୦
ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ୫୦୦୦
ଟ୍ରାଫିକ ରେଡ ଲାଇଟ୍‌ ଡେଇଁଲେ ୫୦୦୦
ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ୫୦୦୦
ଦୁର୍ଘଟଣା ଘଟାଇଲେ ୫୦୦୦
ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ୧୦୦୦୦
ଡ୍ରାଇଭର ସିଟ୍‌ ବେଲ୍ଟ ନ ବାନ୍ଧିଲେ ୧୦୦୦
ମଦ ପିଇ ଗାଡ଼ି ଚଳାଇଲେ ୧୦୦୦୦, ଗିରଫ
ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇଲେ ୫୦୦୦
ବେଆଇନ୍‌ ଭାବେ ଓଭରଟେକିଂ କଲେ ୫୦୦୦
ମାଲ୍‌ ଗାଡ଼ିରେ ଯାତ୍ରୀ ପରିବହନ ୫୦୦୦
ପରମିଟ୍‌ ନଥାଇ ଗାଡ଼ି ଚଳାଇଲେ ୧୦୦୦୦

ସମ୍ବନ୍ଧିତ ଖବର