କବାଟବନ୍ଧ: ଧର୍ମଶାଳା ବ୍ଲକ କବାଟବନ୍ଧ ମୁଖ୍ୟ ବଜାରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବ୍ରାହ୍ମଣୀ ନଦୀବନ୍ଧ ଉପରେ ଗଢ଼ିଉଠିଥିବା କବାଟବନ୍ଧ ମୁଖ୍ୟ ବଜାର ରାସ୍ତାର ଚଉଡ଼ା ମାତ୍ର ୧୫ ମିଟର ହୋଇଥିବାବେଳେ ରାସ୍ତା ଉପରେ ବାଇକ ରଖି ଲୋକେ କିଣାକିଣି କରୁଛନ୍ତି। ଗୋଟିଏ ଭାରୀଯାନ ଗଲେ ଘଣ୍ଟାଏ ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇଯାଉଛି।
ବ୍ୟବସାୟୀମାନେ ଗାଡ଼ିକୁ ରାସ୍ତାରେ ରଖି ଜିନିଷପତ୍ର ଓହ୍ଲାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। କବାଟବନ୍ଧ ବଜାରରେ ଅନେକ ସମୟରେ ଆମ୍ବୁଲାନ୍ସ ଫସିରହୁଛି। ସ୍କୁଲ ଗାଡ଼ି ତଥା ସାଇକଲରେ କଲେଜ ଓ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସରକାରୀ ଜାଗାରେ ଦୋକାନ କରିଥିବା ଦୋକାନୀମାନଙ୍କୁ ନୋଟିସ କରାଯାଇଥିଲା। ୩ ମାସ ପାଇଁ ମହଲତ ଆଣି ଦୋକାନୀମାନେ ବର୍ଷେ ହେଲାଣି ଚୁପ୍ ବସିଛନ୍ତି। ୫୦ ଜଣ ଦୋକାନୀଙ୍କ ପାଇଁ ପ୍ରତିଦିନ ଏହି ରାସ୍ତାରେ ଯିବାଆସିବା କରୁଥିବା ୫୦ ହଜାର ଲୋକ ହନ୍ତସନ୍ତ ହେଉଛନ୍ତି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜବରଦଖଲରେ ଥିବା ଦୋକାନକୁ ହଟାଇ ତୁରନ୍ତ ରାସ୍ତା ପ୍ରଶସ୍ତୀକରଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Follow Us