ଜାମ୍ ନେଲା ଜୀବନ : ଆମ୍ବୁଲାନସ ଭିତରେ ଚାଲିଗଲା ଶିଶୁର ପ୍ରାଣ

ଲୋୟର ପିଏମ୍‌ଜି ବଢ଼ାଇଲାଣି ଚିନ୍ତା
ଠପ୍ ହୋଇଗଲା ଜନପଥ, ହସ୍ପିଟାଲରେ ପହଞ୍ଚିପାରିଲେନି
ଛଟପଟ ହେଲେ ସ୍କୁଲ ପିଲା, ଭୋକରେ ଚିତ୍କାର କଲେ
ବେଫିକର ପୁଲିସର ଦରଦ ନାହିଁ, ଘଟଣାକୁ ଫାଙ୍କୁଛି

ଭୁବନେଶ୍ବର : ଘରଠାରୁ ମାତ୍ର କିଛି ଦୂରରେ ହସ୍ପିଟାଲ୍‌। ପାଖରେ ଆମ୍ବୁଲାନ୍ସ ବି ଥିଲା। ହେଲେ ବଞ୍ଚିପାରିଲାନି ୪ ବର୍ଷର ଶିଶୁକନ୍ୟାର ଜୀବନ। ରାସ୍ତା ଜାମ୍‌ ଯୋଗୁ ଅଧାବାଟରେ ଆମ୍ବୁଲାନ୍ସ ଭିତରେ ହିଁ ଆଖି ବୁଜିଦେଲା।

ଆଜି ରାଜଧାନୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସତ୍ୟନଗର ହାଉସିଂବୋର୍ଡ ଅଞ୍ଚଳର ଜଣେ ଶିଶୁକନ୍ୟା ଖେଳୁ ଖେଳୁ ପାଣି ଟାଙ୍କିରେ ପଡ଼ିଯାଇଥିଲା। କିଛି ସମୟ ପରେ ପରିବାର ଲୋକ ଶିଶୁକନ୍ୟାକୁ ପାଣି ଟାଙ୍କିରୁ ଅଚେତ ଅବସ୍ଥାରେ କାଢ଼ିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକାଇ ନିକଟରେ ଥିବା ନୀଳାଚଳ ହସ୍ପିଟାଲକୁ ନେଉଥିଲେ। ହେଲେ ଘରଠାରୁ କିଛିବାଟ ଆସିବା ପରେ ଆମ୍ବୁଲାନ୍ସ ବିଗ୍‌ବଜାର-ମାଳିସାହି ରାସ୍ତା ନିକଟରେ ଅଟକି ଯାଇଥିଲା।

ରାସ୍ତା ଜାମ୍‌ ଯୋଗୁଁ ଚାଳକ ଆମ୍ବୁଲାନ୍ସ ଫେରାଇ ସ୍ବସ୍ତି ଗ୍ରାଣ୍ଡ ରାସ୍ତା ଦେଇ ନେଇଥିଲେ। ବିଭିନ୍ନ ସଂଗଠନର ଧାରଣା ଓ ଶୋଭାଯାତ୍ରା ଯୋଗୁଁ ଜନପଥରେ ଚକାଜାମ୍‌ ପରିସ୍ଥିତି ଉପୁଜିଥିଲା। ଜାମ୍‌ରେ ଫସିଥିବା ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ଇଞ୍ଚେ ବି ଯାଗା ନଥିଲା, କି ଅନ୍ୟ କୌଣସି ଗଳି ରାସ୍ତାରେ ପଶିବାକୁ ବାଟ ନ ଥିଲା। ବାଧ୍ୟହୋଇ ଶିଶୁକନ୍ୟାଙ୍କ ମା’ ଆମ୍ବୁଲାନ୍ସରୁ ବାହାରି କାନ୍ଦି କାନ୍ଦି ଡାକ୍ତରଙ୍କ ପାଖକୁ ଦୌଡ଼ିଥିଲେ। ପରିବାର ଲୋକ ରାସ୍ତା ଫାଙ୍କା କରିବାକୁ ଲୋକଙ୍କୁ ନେହୁରା ‌ହେଉଥିଲେ। କିନ୍ତୁ ହସ୍ପିଟାଲ୍‌ରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିଲା।

ଏଭଳି ହୃଦୟ ବିଦାରକ ଦୃଶ୍ୟ ରାଜଧାନୀବାସୀଙ୍କ ଆଖିରେ ଲୁହ ଓ ଛାତିରେ‌ କୋହ ଭରିଦେଇଛି। ସବୁଠାରୁ ବଡ଼କଥା ହେଉଛି ଏକ ସମ୍ବେଦନଶୀଳ ଘଟଣାକୁ କମିସନରେଟ ପୁଲିସ ଚାପି ଦେଇଛି। ସ୍ଥାନୀୟ ଖାରବେଳନଗର ଥାନା ପୁଲିସଠାରୁ ଆରମ୍ଭ କରି ଡିସିପିଙ୍କ ପର୍ଯ୍ୟନ୍ତ କାହା ପାଖରେ ଏ ସମ୍ପର୍କରେ ଖବର ନାହିଁ ବୋଲି କହିଛନ୍ତି। ଏତେ ବଡ଼ ସମ୍ବେଦନଶୀଳ ଘଟଣା ଉପରେ ପୁଲିସର ଆଭିମୁଖ୍ୟ ସମସ୍ତଙ୍କୁ ତାଜୁବ କରିଛି। କେବଳ ସେତିକି ନୁହେଁ, ପୁଲିସ ବ୍ୟବସ୍ଥାର ହୁଗୁଳାପଣ ଧରାପଡିଯାଇଛି।

ଆଜି ଏକାବେଳକେ ୮ଟି ସଂଗଠନ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ଥିବାରୁ ରାଜମହଲରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଜନପଥ ରାସ୍ତା ଜାମ୍‌ ହୋଇ ଯାଇଥିଲା। ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ବାଣୀବିହାରରୁ ରାଜମହଲ ଛକ ମାତ୍ର ୧୫ ମିନିଟ୍‌ର ରାସ୍ତାକୁ ପାଖାପାଖି ଘଣ୍ଟାଏ ଲାଗିଥିଲା। ଏହି ଜାମ୍‌ର ପ୍ରଭାବ ସତ୍ୟନଗର, ୟୁନିଟ-୩, ୟୁନିଟ-୨, ପ୍ରେସ କଲୋନି, ଖାରବେଳନଗର, ଅଶୋକନଗର ବାସିନ୍ଦାମାନଙ୍କ ଉପରେ ପଡ଼ିଥିଲା। କେବଳ ଏହି ଅଞ୍ଚଳ କାହିଁକି ମହାତ୍ମାଗାନ୍ଧୀ ମାର୍ଗର ଉଭୟ ପାର୍ଶ୍ବରେ ରହୁଥିବା କ୍ବାର୍ଟର୍ସବାସିନ୍ଦା ଗୃହବନ୍ଦୀ ସାଙ୍ଗକୁ ନର୍କ ଜୀବନ ବିତାଇଥିଲେ।

ରେଳଷ୍ଟେସନ୍‌ରୁ ମାଷ୍ଟରକ୍ୟାଣ୍ଟିନ୍‌ ହୋଇ ଲୋୟରପିଏମ୍‌ଜି ଆସୁଥିବା ରାଲି ଘଣ୍ଟାଘଣ୍ଟା ସମୟ ନେଇଥିଲେ। ଫଳରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ୍‌ରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତା ଠପ୍‌ ହୋଇ ଯାଇଥିଲା। ଲୋକ ଅଶୋକନଗର, ୟୁନିଟ-୨, ୟୁନିଟ-୩, ମାଳିସାହି ପଟ ଗଳିକନ୍ଦିରେ କାର, ବାଇକ୍‌ ଭର୍ତି କରି ଯିବା ଆସିବା କରିଥିଲେ। ବଡ଼ କଥା ହେଉଛନ୍ତି, ଏହି ସ˚ଗଠନଗୁଡ଼ିକର ଶୋଭାଯାତ୍ରା ରେଳଷ୍ଟେସନ୍‌ରୁ ବାହାରି ଲୋୟରପିଏମ୍‌ଜି ଯାଉଥିବାବେଳେ ପୁଲିସ ସେମାନଙ୍କୁ ସୁରକ୍ଷା ଯୋଗାଇ େଦଇଥିଲା। ଅନ୍ୟ ସାଧାରଣ ଲୋକଙ୍କୁ ପୁଲିସ ଏହି ସମୟରେ ଯିବାକୁ ମଧୢ ଛାଡୁନଥିଲା। ପୁଲିସ ସାଧାରଣ ଲୋକଙ୍କୁ ଏଭଳି ବ୍ୟବହାର କରୁଥିଲା, ଯେମିତି ସେହି ରାସ୍ତା କେବଳ ପୁଲିସ ଓ ଆନ୍ଦୋଳନକାରୀଙ୍କର।

ଆଜି ଜନପଥରେ ଏଭଳି ଚିତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖା ଯାଇଥିଲା। ଲୋକମାନେ ଶହେ ମିଟର ରାସ୍ତା ଅତିକ୍ରମ ପାଇଁ ଘଣ୍ଟା ଘଣ୍ଟା କସରତ କରୁଥିଲେ। ପଛକୁ ବି ଫେରିବାକୁ ବାଟ ନଥିଲା। ଦିନ ପ୍ରାୟ ସାଢ଼େ ୧୧ଟାରୁ ସାଢ଼େ ୨ ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ଲୋକମାନେ ଅଣନିଶ୍ବାସୀ ହୋଇପଡ଼ିଥିଲେ।

ପରିସ୍ଥିତି ଅଧିକ ଚିନ୍ତାଜନକ େହାଇଥିଲା କାରଣ, ସ୍କୁଲ୍‌ରୁ ଘରକୁ ଫେରୁଥିବା ପିଲାମାନେ ଗାଡ଼ିରେ ବସି ଭୋକରେ ଆଉଟୁପାଉଟୁ ହେଉଥିଲେ। ଘରକୁ ଯିବାକୁ ଚିତ୍କାର କରୁଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ରୁ ରାମମନ୍ଦିର ଓ ରାଜମହଲ ଛକ ପର୍ଯ୍ୟନ୍ତ ଏକ ପ୍ରକାର ଠପ୍‌ ହୋଇ ଯାଇଥିଲା।

ଡିସିପି ଅନୁପ ସାହୁ କହିଛନ୍ତି ଯେ, ରାଲି ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ହେଲେ ସଂଗଠନଗୁଡ଼ିକ ଆନ୍ଦୋଳନ ପାଇଁ ଯେତିକି ସଂଖ୍ୟାରେ ଲୋକ ଆଣିବା କଥା ଲେଖୁଛନ୍ତି ତାହା ହେଉ ନାହିଁ। ମାତ୍ରାଧିକ ଆନ୍ଦୋଳନକାରୀଙ୍କୁ ସାମିଲ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି। ସେଥିପାଇଁ ଜରିମାନା ଆଦାୟ କରାଯାଉଛି। ଆଗାମୀ ଦିନରେ କିଭଳି ଏଥିରେ ସୁଧାର ଅଣାଯିବ ସେ ଦିଗରେ ବିଚାର କରାଯାଉଛି।

ସମ୍ବନ୍ଧିତ ଖବର