ମାଲ୍‌ବାହୀ ପ୍ରୀତି: ଯାତ୍ରୀ ଟ୍ରେନ୍‌କୁ ଅବହେଳା

ରେଳରେ ବି ଟ୍ରାଫିକ୍‌ ଜାମ୍‌, ପ୍ରତି ୫ମିନିଟ୍‌ରେ ଗଡ଼ୁଛି ଗୋଟିଏ ମାଲ୍‌ବାହୀ ଗାଡ଼ି

ଅନୁଗୁଳ : ପୂର୍ବତଟ ରେଳବାଇର ଅତ୍ୟଧିକ ମାଲ୍‌ବାହୀ ଟ୍ରେନ୍‌ ପ୍ରୀତି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଟ୍ରେନ୍‌ଯାତ୍ରୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସ୍ବଳ୍ପ ଭଡ଼ାରେ ଠିକଣା ସମୟରେ ପହଞ୍ଚିବା ନେଇ ଯାତ୍ରୀମାନେ ରେଳ ବିଭାଗ ଉପରେ ଯେଉଁ ଭରସା ରଖିଥିଲେ, ଗଲା କିଛିଦିନ ମଧ୍ୟରେ ତାହା ଧୀରେ ଧୀରେ ବିଗିଡ଼ିଲାଣି। ବିଶୃଙ୍ଖଳା ଏମିତି ଯେ ମାଲ୍‌ବାହୀ ଟ୍ରେନ୍‌ଗୁଡ଼ିକୁ ପାସ୍‌ କରାଇବା ପାଇଁ ହଜାର ହଜାର ପାସେଞ୍ଜରଙ୍କ ଯାତ୍ରାକୁ ବିଳମ୍ବିତ କରାଯାଉଥିବା ଅଭିଯୋଗ ହେଉଛି। ଅତୀତରେ ଯେଉଁ ଟ୍ରେନ୍‌ ଠିକଣା ସମୟରେ ଯାତ୍ରୀଙ୍କୁ ପହଞ୍ଚାଇ ସୁନାମ ଅର୍ଜିଥିଲା, ରେଳବାଇର ପରିଚାଳନାଗତ ତ୍ରୁଟି ପାଇଁ ସେଇ ଟ୍ରେନ୍‌ ହଜାର ହଜାର ଯାତ୍ରୀଙ୍କ ଭରସା ହରାଇଲାଣି ବୋଲି ଚର୍ଚ୍ଚା ହେଉଛି। ଯାହା ଯାତ୍ରୀଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଥିବା ଦେଖାଯାଇଛି।

Wikimapia

ସୂଚନା ମୁତାବକ, ଅନୁଗୁଳରୁ ଢେଙ୍କାନାଳ ଦେଇ ପାସେଞ୍ଜର ଟ୍ରେନ୍‌ କହିଲେ, ପୁରୀ-ଅନୁଗୁଳ କିମ୍ବା ତାଳଚେର-ମେମୁ ଟ୍ରେନ୍‌ ଚଳାଚଳ କରେ। ଏହି ଦୁଇ ଟ୍ରେନ୍‌ ଉଭୟ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। କେତେ ଦଶନ୍ଧି ତଳୁ ରେଳବାଇର ଏହି ଟ୍ରେନ୍‌ ଦୁଇଟିରୁ ଲୋକେ ଉପକୃତ ହୋଇ ଆସୁଛନ୍ତି। ତା ସହିତ ରାଉର୍‌କେଲା-ପୁରୀ ପାସେଞ୍ଜର ବି ରେଳଯାତ୍ରାକୁ ସୁଗମ କରୁଛି। ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଶିଳ୍ପ ଏବଂ ଖଣି ସମୃଦ୍ଧ ହେଲେ ବି ଏଠି ପାସେଞ୍ଜରଙ୍କର କୌଣସି ସମସ୍ୟା ନ ଥିଲା। ମାଲ୍‌ବାହୀ ଅପେକ୍ଷା ଯାତ୍ରୀବାହୀ ଗାଡ଼ିକୁ ବିଶେଷ ଗୁରୁତ୍ବ ଦିଆଯାଉଥିଲା। କିନ୍ତୁ, ଗଲା କିଛି ମାସ ହେଲା ଏ ପରିଚାଳନାରେ ବଡ଼ ବିଭ୍ରାଟ ଦେଖା ଦେଖାଦେଇଥିବା ଯାତ୍ରୀମାନେ ମତ ଦେଇଛନ୍ତି। ଅନୁଗୁଳ ଜିଲ୍ଲାରେ ରହିଛି ବହୁ କୋଇଲା ଖଣି। ଏଠି ଶିଳ୍ପ ବି କିଛି କମ୍‌ ନୁହେଁ। ଏକାଧିକ ବୃହତ୍‌ ଷ୍ଟିଲ୍ କାରଖାନାଠାରୁ ଆରମ୍ଭ କରି ନାଲ୍‌କୋ ଭଳି ଏସିଆ ମହାଦେଶର ସର୍ବବୃହତ୍‌ ଆଲୁମିନିୟମ୍‌ କାରଖାନା ରହିଛି। ଏହିସବୁ କଳକାରଖାନାର ପୂରା ପରିବହନ ବ୍ୟବସ୍ଥା ଏହି ରେଳ ଉପରେ ନିର୍ଭର କରେ। ଏହା ହିଁ ପାସେଞ୍ଜର ଗାଡ଼ିଗୁଡ଼ିକର ବିଳମ୍ବର କାରଣ ବୋଲି ଅଭିଯୋଗ ହେଉଛି।

କମ୍ପାନି ଗାଡ଼ିକୁ ଅଗ୍ରାଧିକାର
କେନ୍ଦ୍ରମନ୍ତ୍ରୀଙ୍କୁ ଫେରାଦ୍‌ ପରେ ବି ଫଳ ନୋହିଲା

 

East Coast Railway

ହିସାବ କଲେ, ମୋଟ୍ ୨୪ଘଣ୍ଟାରେ ଅନୁଗୁଳରୁ ଢେଙ୍କାନାଳ ଦେଇ ଯାତାୟାତ କରୁଥିବା ପାସେଞ୍ଜର ଟ୍ରେନ୍‌ ସଂଖ୍ୟା ମାତ୍ର ୩। କିନ୍ତୁ, ମାଲ୍‌ବାହୀ ଗାଡ଼ି ହିସାବ କଲେ ପ୍ରତି ୫ମିନିଟ୍‌ରେ ଗୋଟିଏ ଗାଡ଼ି ଗାଡ଼ି ରେଳଧାରଣାରେ ଗଡ଼ୁଛି। ତାଳଚେରରୁ କୋଇଲା ହେଉ ଅବା କାରଖାନାରୁ ଷ୍ଟିଲ୍ ଉତ୍ପାଦନ ଏବଂ ନାଲ୍‌କୋରୁ ଆଲୁମିନିୟମ୍‌ ଉତ୍ପାଦନ ସବୁ ଏହିଠାରୁ ହିଁ ବିଭିନ୍ନ ରାଜ୍ୟକୁ ପରିବହନ ହୋଇ ଚାଲିଛି। ଅତ୍ୟଧିକ ରେଳ ଚାଳନା ଯୋଗୁ ଅନୁଗୁଳ ଏବଂ ଢେଙ୍କାନାଳ ରେଳପଥର ଟ୍ରାଫିକ୍‌ ଜାମ୍ ଅଧିକ ହେଉଛି। ଏଇଠୁ ଗାଡ଼ି ବାହାରିଗଲେ, ଅନ୍ୟଟି ସମସ୍ୟା ନାହିଁ। ତେଣୁ, ପ୍ରାୟ ଶିଳ୍ପ ପ୍ରତିଷ୍ଠାନ ନିଜର ମାଲ୍‌ବାହୀ ଗାଡ଼ିକୁ ଅନୁଗୁଳ, ଢେଙ୍କାନାଳ ଟ୍ରାଫିକ୍‌ରୁ ତୁରନ୍ତ ପାସ୍‌ କରିବାକୁ ଚାହୁଁଛନ୍ତି। ରେଳ ବିଭାଗର ଆକୁଣ୍ଠ ପ୍ରୀତି ଯୋଗୁଁ ପାସେଞ୍ଜର ଗାଡ଼ିକୁ ଘଣ୍ଟା ଘଣ୍ଟା ଅଟକ ରଖି ମାଲ୍‌ବୁହା ଗାଡ଼ିକୁ ପାର୍‌ କରାଯାଉଥିବା ରେଳଯାତ୍ରୀ ଅଭିଯୋଗ କରିଛନ୍ତି। ଯାହା ନିୟମିତ ରେଳଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରାଇଛି। ରାଜଧାନୀକୁ ବିଭିନ୍ନ କାମରେ ଦୈନିକ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ରେଳବିଭାଗ ଅଧିକ ପାସେଞ୍ଜର ବ୍ୟବସ୍ଥା ତ କରୁ ନାହିଁ, ଅନ୍ତତଃ ଯେଉଁ ହାତଗଣତି ଗାଡ଼ି ଚାଲୁଛି, ତାକୁ କାହିଁକି ଅବହେଳା କରାଯାଉଛି ବୋଲି ଯାତ୍ରୀଙ୍କ ମହଲରେ ପ୍ରଶ୍ନ ଉଠିଛି।

କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ରେଳ ଗାଡ଼ିରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଷ୍ଟେସନ୍‌ରୁ ଷ୍ଟେସନ୍‌ ପରିକ୍ରମା କରିଥିଲେ। ସେ ସମୟରେ ମଧ୍ୟ ରେଳଯାତ୍ରୀ ଏ ସମସ୍ୟା ଉତ୍‌ଥାପନ କରିଥିଲେ। କିନ୍ତୁ, ଏଥିରେ କିଛି ସୁଧାର ନ ଆସିବାରୁ ଲୋକେ କ୍ଷୁବ୍ଧ ହୋଇଛନ୍ତି। ରେଳ ବିଭାଗର ଉଚ୍ଚ କର୍ତୃପକ୍ଷ ଯାତ୍ରୀମାନଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର