କୋଣାର୍କରେ ଟ୍ରାଫିକ୍‌ ପରିଚାଳନା ଢିଲା: ରାସ୍ତା କଡ଼ରେ ମାଳମାଳ ଗାଡ଼ି, ପାର୍କିଂ ପଡ଼ିଛି ଖାଲି

କୋଣାର୍କ : ପ୍ରଶାସନର ସବୁ କଟକଣା ଓ ତାଗିଦକୁ ବେଖାତିର କରି ଚାଲିଛନ୍ତି ପର୍ଯ୍ୟଟନବାହୀ ଗାଡ଼ି ଚାଳକ। ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ବେ ଜୋରଜବରଦସ୍ତ ରାସ୍ତା ଅବରୋଧ କରି ରଖୁଛନ୍ତି ଯାନବାହନ। ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ସାର ହେଉଛି। ଏନେଇ ବାରମ୍ବାର ଅଭିଯୋଗ ଓ ତାଗିଦ ପରେ ମଧ୍ୟ ପ୍ରଶାସନକୁ ବେଖାତିର କରି ସେମାନେ ରାସ୍ତା ଅବରୋଧ କରି ଗାଡ଼ି ରଖୁଛନ୍ତି। ଗାଡ଼ି ଚାଳକଙ୍କୁ ବାଟକୁ ଆଣିବାକୁ ରାସ୍ତା କଡ଼ରେ ଯେ କୌଣସି ଯାନବାହନ ପାର୍କିଂ କରିବ ତା’ଠାରୁ ଜରିମନା ଆଦାୟ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରଶାସନ ଘୋଷଣା କରିବା ସହିତ ଜରିମନା ଆଦାୟ ମଧ୍ୟ ଜାରି ରଖିଛନ୍ତି। ଏପରିକି ନିୟମିତ ପାଟ୍ରୋଲିଂ କରି ପୁଲିସ ଯାତ୍ରୀବାହୀ ଗାଡ଼ିଗୁଡ଼ିକୁ ପାର୍କିଂରେ ରଖିବାକୁ ନିର୍ଦ୍ଦେଶ ଦେଉଥିବା ପରିଲକ୍ଷିତ ହୋଇଛି। ମାତ୍ର ଗାଡ଼ି ଚାଳକମାନେ କୌଣସି ପରିସ୍ଥିତିରେ ପୁଲିସ ପ୍ରଶାସନର କଟକଣାକୁ ଖାତିର କରୁନାହାନ୍ତି।

କୋଣାର୍କ ପରିଦର୍ଶନରେ ପ୍ରତ୍ୟେହ ହଜାରହଜାର ପର୍ଯ୍ୟଟକଙ୍କ ଆଗମନ ହେଉଛି। ପର୍ଯ୍ୟଟକଙ୍କୁ ଆଣି ଆସୁଥିବା ପର୍ଯ୍ୟଟକବାହୀ ବସ ଓ ଚାରିଚକିଆ ଯାନ ରହିବା ପାଇଁ କୋଣାର୍କ ବସ୍‌ଷ୍ଟାଣ୍ଡ ଓ ଇଣ୍ଡିଆନ ଅଏଲ ଫାଉଣ୍ଡେସନର ଦୁଇଟି ପାର୍କିଂ ରହିଥିବାବେଳେ ହେଲିପ୍ୟାଡ୍‌, କୋଣାର୍କ ଏନଏସିର ପୌର କଲ୍ୟାଣ ମଣ୍ଡପ ପାର୍କିଂ ଓ ମେଡ଼ିକାଲ ପଛ ପଡ଼ିଆ ଭଳି ପ୍ରଶସ୍ତ ସ୍ଥାନ ରହିଛି। ସବୁଦିନିଆ କୋଣାର୍କ ଆସୁଥିବା କେତେକ ବସ୍‌ ଓ ଚାରିଚକିଆ ଯାନର ଚାଳକ ମାନେ ପର୍ଯ୍ୟଟକ ଓହ୍ଲାଇସାରିବାପରେ ଗାଡ଼ିକୁ ନେଇ ଇଣ୍ଡିଆନ୍‌ ଅଏଲ ଫାଉଣ୍ଡେସନ୍‌ର ପାର୍କିଂରେ ରଖିଥାନ୍ତି। ମାତ୍ର ଅଧାରୁ ଅଧିକ ଯାତ୍ରୀବାହୀ ବସ ଓ ଚାରିଚକିଆ ଯାନ ପର୍ଯ୍ୟଟକଙ୍କୁ ଓହ୍ଲାଇସାରିବା ପରେ ବେପରୁଆ ଭାବେ ରାସ୍ତା ଅବରୋଧ କରି ଗାଡ଼ି ପାର୍କିଂ କରିଥାନ୍ତି। ଫଳରେ ସାଇକେଲରେ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ସମେତ ବରିଷ୍ଠ ନାଗରିକମାନେ ବିଭିନ୍ନ ସମୟରେ ଏହି ରାସ୍ତା ଅବରୋଧ ପାଇଁ ଦୁର୍ଘଟଣାର ଶିକାର ହେଉଛନ୍ତି। ବସ୍‌ ଓ ଚାରିଚକିଆଯାନ ମଧ୍ୟରୁ ପ୍ରାୟ ୭୫ ପ୍ରତିଶତ ଯାନବାହାନ ସଂଗ୍ରହାଳୟଠାରୁ ମେଡିକାଲଛକ, ମେଡିକାଲ ଛକରୁ ରିଙ୍ଗରୋଡ୍ ଛକ, ରିଙ୍ଗରୋଡ୍ ଛକରୁ ଲାବଣ୍ୟଛକ ଓ ରିଙ୍ଗରୋଡ୍‌ଠାରୁ ବସଷ୍ଟାଣ୍ଡକୁ ଲମ୍ବିଥିବା ରାସ୍ତାର ଉଭୟ ପାର୍ଶ୍ବକୁ ଅବରୋଧ କରି ରହୁଥିବାର ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର