ବାଲେଶ୍ବର: ଟ୍ରାଫିକ୍‌ ସମସ୍ୟାର ସୁଧାର ଆଣିବା ପାଇଁ ବାଲେଶ୍ବର ସହରର ପ୍ରମୁଖ ଛକମାନଙ୍କରେ ଅତ୍ୟାଧୁନିକ ଟ୍ରାଫିକ୍‌ ପୋଷ୍ଟର ପ୍ରତିଷ୍ଠା କରାଯାଇଛି। ଯଦିଓ ଟ୍ରାଫିକ୍‌ ଥାନା ପକ୍ଷରୁ ଏହି ବ୍ୟବସ୍ଥା କରାଯାଇନାହିଁ, ବିଭିନ୍ନ ଅନୁଷ୍ଠାନ ତରଫରୁ ନୂତନ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ କରାଯାଇଛି। ହେଲେ ଅନ୍ୟ ସହରମାନଙ୍କରେ ଯେପରି ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରିବା ପାଇଁ ଗୁରୁତ୍ବ ଦିଆଯାଇଛି, ବାଲେଶ୍ବରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯେପରି କୌଣସି ପୋଷ୍ଟରେ ଜେବ୍ରା କ୍ରସିଂର ସୁବିଧା କି ଟାଇମର୍‌ ମେସିନ୍‌ର ସୁବିଧା କରାଯାଇନାହିଁ। ମାତ୍ର ଗୋଟିଏ ସ୍ଥାନ ଫକୀରମୋହନ ଗୋଲେଇ ଟ୍ରାଫିକ୍‌ ପୋଷ୍ଟକୁ ଛାଡ଼ିଦେଲେ ଆଉ କୌଣସି ପୋଷ୍ଟରେ ଏହି ବ୍ୟବସ୍ଥା ନାହିଁ। ଯାହାଫଳରେ ବହୁ ସମୟରେ ଟ୍ରାଫିକ୍‌ ନିୟମ ଭଙ୍ଗ ହେଉଥିବା ପରିଲକ୍ଷିତ ହେଉଛି।

Advertisment

ସହରର ଷ୍ଟେସନ ଛକ, ପୁଲିସ ଲାଇନ, ଆଇଟିଆଇ ଛକ, ଫକୀରମୋହନ ଗୋଲେଇ, ସିନେମା ଛକରେ ସବୁ ସମୟରେ ଗହଳି ଲାଗୁଥିବାରୁ ଟ୍ରାଫିକ୍‌ ସମସ୍ୟା ଦେଖାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଘରୋଇ ଅନୁଷ୍ଠାନ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନୂତନ ଟ୍ରାଫିକ୍ ପୋଷ୍ଟ ନିର୍ମାଣ କରାଯାଇଛି। ପୋଷ୍ଟରେ ଟାଇମର୍‌ ମେସିନ୍‌ ଥିଲେ ଗାଡ଼ି ଚାଳକଙ୍କୁ ଏହା ବିଶେଷ ସହାୟକ ହୋଇଥାଏ। ଟାଇମର୍‌ ସୁବିଧା ନଥିବାରୁ ଦ୍ରୁତଗତିରେ ଆସୁଥିବା ଗାଡ଼ି ଚାଳକ କିଛି ନ ଜାଣି ଟ୍ରାଫିକ ପୋଷ୍ଟର ମଝାମଝିରେ ଆସି ହଡ଼ବଡ଼ ହେଉଛନ୍ତି। ପୁଣି ପଛକୁ ଫେରୁଥିବା ଦେଖିବାକୁ ମିଳିଛି। ପରବର୍ତ୍ତୀ ସମୟରେ ଜରିମାନା ଗଣୁଛନ୍ତି। ବହୁ ସମୟରେ ଏହି ଅବ୍ୟବସ୍ଥାକୁ ନେଇ ଛୋଟ ବଡ଼ ଦୁର୍ଘଟଣା ବି ଘଟୁଛି। ଅନ୍ୟପକ୍ଷରେ ପୋଷ୍ଟରେ ସିଗ୍‌ନାଲ ଲାଇଟ୍‌ ଲାଗିଛି ସତ, କିନ୍ତୁ ଏହି ଲାଇଟ୍‌କୁ ବହୁ ସମୟରେ ଗାଡ଼ି ଚାଳକ ମାନୁନାହାନ୍ତି। ହଳଦିଆବତୀ ‌ଜଳୁଥିବା ବେଳେ ଗାଡ଼ିଚାଳକ ଏହାକୁ ନ ମାନି ପଳାଇଯାଉଛନ୍ତି। ଏମିତିକି କ୍ରସିଂ ସମୟରେ ନାଲି ଲାଇଟ୍‌ ଜଳୁଥିବା ଦେଖି ମଧ୍ୟ ଗାଡ଼ି ଚାଳକ ନ ଅଟକି ପଳାଇଯାଉଛନ୍ତି।

ସେହିପରି କେଉଁଠି ସବୁଳ ବତୀ କେତେବେଳେ ଜଳୁଛି ତ କେଉଁଠି ହଠାତ୍‌ ନାଲିବତୀ ଜଳୁଛି। ସେମିତି ଗୋଟିଏ ପାର୍ଶ୍ବ ଲାଇଟ୍‌ ଜଳୁଛି ତ କେଉଁଠି ଆଦୌ ଜ‌ଳୁନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସହରର ସବୁ ଟ୍ରାଫିକ୍‌ ପୋଷ୍ଟରେ ଜେବ୍ରା କ୍ରସିଂ ଚିହ୍ନ ନାହିଁ କହିଲେ ଚଳେ। ଯେଉଁଠି ବି ଦେଖାଯାଉଛି ଏହାକୁ ‌କେହି ବି ମାନୁନଥିବା ଦେଖିବାକୁ ମିଳିଛି। କିଏ ଜେବ୍ରା କ୍ରସିଂ ଆଗକୁ ପଳାଇଆସୁଥିବା ବେଳେ ଆଉ କି ଏହା ଉପରେ ଗାଡ଼ି ଛିଡ଼ାକରି ରହୁଛନ୍ତି। ରାସ୍ତାର ବାମ ପାର୍ଶ୍ବରେ ଯିବା ପାଇଁ ନିୟମ ରହିଥିବା ବେଳେ ଟିକିଏ ରାସ୍ତାକୁ ବି ଛାଡ଼ୁନାହାନ୍ତି ଗାଡ଼ି ଚାକଳ। ଯାହାଫଳରେ ବାମ ପାର୍ଶ୍ବକୁ ଯିବାକୁ ଚାହୁଁଥିବା ଗାଡ଼ି ଚାଳକ ଅଟକି ରହୁଥିବା ଦେଖିବାକୁ ମିଳିଛି। ଏମିତି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହରରେ ଟ୍ରାଫିକ ବ୍ୟବସ୍ଥାର ସୁଧାର ଆଣିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ତେବେ ଏନେଇ କିଛି ଟ୍ରାଫିକ୍‌ ପୁଲିସ କହିଛନ୍ତି, ସବୁ ପୋଷ୍ଟରେ ଟାଇମର୍‌ ସୁବିଧା ହେଲେ ବହୁ ସମସ୍ୟାର ସମାଧାନ ହୋଇପାରନ୍ତା। ଲୋକେ ଅଯଥାରେ ଜରିମାନା ଗଣନ୍ତେ ନାହିଁ। ତେବେ ଟ୍ରାଫିକ୍‌ ଥାନା ପକ୍ଷରୁ ଟାଇମର୍‌ ଲଗାଯିବାର ସେମିତି ବ୍ୟବସ୍ଥା ହୋଇନାହିଁ। ସେହିପରି ପ୍ରାୟ ସବୁ ରାସ୍ତାରେ ଜେବ୍ରା କ୍ରସିଂ ଲିଭିଯାଇଛି। ଏହାକୁ ଆଉ ତିଆରି କରାଯାଉନାହିଁ କି ଏ ଦିଗରେ କେହି ଗୁରୁତ୍ବ ବି ଦେଉନାହାନ୍ତି ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଜଣେ କର୍ମଚାରୀ କହିଛନ୍ତି।