ବଡ଼ବିଲ-ଜାମୁଦା ରାଜ୍ୟ ରାଜପଥରେ ଟ୍ରାଫିକ ସମସ୍ୟା ଉତ୍କଟ : ୬ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡୁଛି ୬ ଘଣ୍ଟା, ରାସ୍ତାରେ ଚାଲିଯାଉଛି ରୋଗୀଙ୍କ ଜୀବନ

ବିପଦସଙ୍କୁଳ ଅବସ୍ଥାରେ ବ୍ରିଟିଶ ଅମଳର ପୋଲ

ବଡ଼ବିଲ : ବଡ଼ବିଲରୁ ଝାଡ଼ଖଣ୍ଡର ଜାମୁଦାକୁ ମାତ୍ର ୬ କିଲୋମିଟର ରାସ୍ତା। ଗାଡ଼ିରେ ସେଠାକୁ ୧୦ରୁ ଅତିବେଶିରେ ୧୫ ମିନିଟ ସମୟ ଲାଗିବା କଥା। ହେଲେ ଏହି ୬ କିଲୋମିଟର ରାସ୍ତାକୁ ଯିବାକୁ ଅତି କମରେ ୬ ଘଣ୍ଟା ସମୟ ଲାଗୁଛି। ଏହାର କୁପରିଣତି ଭୋଗୁଛନ୍ତି ସ୍ଥାନୀୟ ଲୋକେ। ରାସ୍ତା ମଝିରେ ରୋଗୀଙ୍କ ଜୀବନ ଚାଲିଯାଉଛି। ଛାତ୍ରଛାତ୍ରୀ ଠିକ ସମୟରେ ଶିକ୍ଷାନୁଷ୍ଠାନରେ ପହଞ୍ଚି ପାରୁନାହାନ୍ତି। ବିଦ୍ୟାଳୟରେ ଦୁଇ ତିନି ଘଣ୍ଟା ବିଳମ୍ବରେ ପହଞ୍ଚୁଛନ୍ତି। ଟ୍ରାଫିକ ସମସ୍ୟା ଯୋଗୁ ଗତ ୮ ତାରିଖରେ ଗୁରୁ ନାନକ ଖାଲସା ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଅଜୟ କୁମାର ସିହ୍ନାଙ୍କୁ ଡାକ୍ତରଖାନାରେ ପହଞ୍ଚାଯାଇ ପାରିନଥିଲା। ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଗତ ୮ ତାରିଖ ରାତି ପ୍ରାୟ ୯ଟାରେ ଗୁରୁତର ଅବସ୍ଥାରେ ତାଙ୍କୁ ଯୋଡ଼ାସ୍ଥିତ ଟିସ୍କୋ ହସ୍ପିଟାଲକୁ ନିଆଯାଉଥିଲା। ଟ୍ରାଫିକ ସମସ୍ୟା ଯୋଗୁ ସେରେଣ୍ଡା ନିକଟରେ ଗାଡ଼ି ଫସିରରହିଥିଲା। ଯୋଡ଼ା ଆଡକୁ ଯାଇପାରି ନଥିଲା। ପରେ ପରେ ବାଧ୍ୟ ହୋଇ ପରିବାର ଲୋକେ ତାଙ୍କୁ ବଡ଼ବିଲ ସରକାରୀ ଡାକ୍ତରଖାନାକୁ ଫେରାଇ ଆଣିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଠିକ ସେହିପରି ବଡ଼ବିଲ-ଜାମୁଦା ରାସ୍ତାରେ ସବୁଦିନ ଟ୍ରାଫିକ ସମସ୍ୟା ଉତ୍କଟ ହେଉଥିବ‌ା ଦେଖିବାକୁ ମିଳୁଛି। ବଡ଼ବିଲ-ଜାମୁଦା ରାଜ୍ୟ ରାଜପଥରେ ୫ ଲାଇନ ଭାରୀଯାନ ଠିଆହେବା ଯୋଗୁ ଟ୍ରାଫିକ ସମସ୍ୟା ସମ୍ପୂର୍ଣ୍ଣ ଅଣାୟତ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଆଜି ସ୍କୁଲ ପିଲାମାନେ ଦୀର୍ଘ ୨ ଘଣ୍ଟା ଧରି ରାସ୍ତା ଜାମ୍‌ରେ ଫସି ରହି ୩ ଘଣ୍ଟା ପରେ ବିଦ୍ୟାଳୟରେ ପହଞ୍ଚିଥିଲେ। ବଡ଼ବିଲ ସେଣ୍ଟମେରୀ ଇଂଲିଶ ମିଡିୟମ ସ୍କୁଲରେ ପଡ଼ୋଶୀ ଝାଡ଼ଖଣ୍ଡର ଜାମୁଦା, ଗୁଆ, ନୂଆମୁଣ୍ଡି ଅଞ୍ଚଳରୁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି। ବଡ଼ବିଲରୁ ନୂଆମୁଣ୍ଡି ୧୫ କିଲୋମିଟର, ଗୁଆ ୧୨ କିଲୋମିଟର ଓ ଜାମୁଦା ୬ କି‌ଲୋମିଟର ରାସ୍ତା। ଛାତ୍ରଛାତ୍ରୀମାନେ ଭୋର୍‌ ୫ ଟାରେ ବିଦ୍ୟାଳୟକୁ ଆସୁଥିବାବେଳେ ୯ ଟାରେ ପହଞ୍ଚିଥିଲେ। ସ୍କୁଲ ସମୟ ୬ଟା ୧୫ ରୁ ତାହା ବହୁ ବିଳମ୍ବ ହୋଇଯାଇଥିଲା।

ସେହିପରି ନୂଆମୁଣ୍ଡି ଟିସ୍କୋ ଡାକ୍ତରଖାନାକୁ ଯାଉଥିବା ରୋଗୀମାନେ ମଧ୍ୟ ଏହି ଟ୍ରାଫିକ ସମସ୍ୟା ଯୋଗୁ ବହୁ ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚୁଛନ୍ତି। ଏହି ରାସ୍ତାରେ ନାଲଦା ତନଖି ଫାଟକ ପାଖରେ ଥିବା ବ୍ରିଟିଶ ଅମଳର ପୋଲର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଅନିୟନ୍ତ୍ରିତ ଭାବେ ଭାରୀଯାନ ଚଳାଚଳ ଯୋଗୁ ପୋଲର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। କେତେବେଳେ ବି ଏହି ପୋଲଟି ଗଳିପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଏମିତି ହେଲେ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ।

ସମ୍ବନ୍ଧିତ ଖବର