ଖଣି ଅଞ୍ଚଳ ମୁଖ୍ୟ ସଡ଼କରେ ଟ୍ରାଫିକ ଜାମ୍‌: ବଟି ପାଖରେ ବନ୍ଧା ପଡ଼ିଛି ଫାଷ୍ଟ କମ୍‌, ଫାଷ୍ଟ ଲୋଡ୍‌ ନୀତି

ଫସିଲା ଏକାଧିକ ସ୍କୁଲ ବସ୍, ପରୀକ୍ଷା ଶେଷରେ ପହଞ୍ଚିଲେ ଛାତ୍ରଛାତ୍ରୀ,

କାଳିଆପାଣି: ଟମକା-ମଙ୍ଗଳପୁର ଖଣି ଅଞ୍ଚଳ ମୁଖ୍ୟରାସ୍ତାରେ ଭୟଙ୍କର ଟ୍ରାଫିକ ଜାମ୍‌। ଫସିଲା ଏକାଧିକ ବସ୍‌। ପରୀକ୍ଷା ସରିବା ସମୟରେ ବିଦ୍ୟାଳୟରେ ପହଞ୍ଚିଲେ ଛାତ୍ରଛାତ୍ରୀ। ସାରୁଆବିଲରୁ କାଳିଆପାଣି ଓ ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା କ୍ରୋମାଇଟ୍‌ ଖଣି ଓ ଏଟିଏମ୍‌ ଛକ ମଧ୍ୟରେ ୧୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଆଜି ସକାଳ ୬ ଟାରୁ ୬ ଘଣ୍ଟା ଧରି ରାସ୍ତାଜାମ୍‌ ରହିଥିଲା। ଟ୍ରକ୍‌ କବଳରେ ରହିଥିଲା ସଂପୂର୍ଣ୍ଣ ରାସ୍ତା। ସଡ଼କକୁ ୨ ରୁ ୩ ଧାଡ଼ିରେ ଟ୍ରକ୍‌ ସବୁ ମାଡ଼ି ବସିଥିଲେ। ମଝିରେ ସାଇକଲ୍‌ କି ବାଇକ୍‌ ଗଳିବାକୁ ବାଟ ନଥିଲା। କଅଁସ ପଞ୍ଚାୟତର କମର୍ଦ୍ଦା ଓ ସାରୁଆବିଲରୁ ଛାତ୍ରଛାତ୍ରୀଙ୍କୁ ଧରି ନିର୍ଦ୍ଧାରିତ ସମୟରେ ବାହାରିଥିବା ସ୍କୁଲ ବସ୍ କୋଇପଶି ପୂର୍ବରୁ ଫସି ରହିଥିଲା। ସେହିପରି କୋଇପଶି ଛକ ଓ ବେଦାନ୍ତ-ଫେକର ଓସ୍ତପାଳ କ୍ରୋମାଇଟ୍‌ ଖଣି ଛକରୁ ବାହାରିଥିବା ଅନ୍ୟ ୨ଟି ସ୍କୁଲ ବସ୍ କାଳିଆପାଣି ହନୁମାନ ବଜାର ପାଖରେ ରାସ୍ତା ଜାମ୍‌ ମଧ୍ୟରେ ଅଟକି ରହିଥିଲେ।

ଆଜି ଓଏମ୍‌ସି କାଳିଆପାଣି ହାଇସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ତ୍ରୈମାସିକ ପରୀକ୍ଷା ଥିଲା। ମଧ୍ୟ ପିଲାମାନେ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ପରୀକ୍ଷା ଶେଷ ହେବାକୁ ମାତ୍ର ୧୫ ମିନିଟ୍‌ ସମୟ ବାକି ଥିଲା। ବିକଳ୍ପ ବ୍ୟବସ୍ଥା ନଥିବା ଜାଣି ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେଇଥିଲେ। ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ସବୁଦିନ ପରୀକ୍ଷା ସୂଚୀ ରହିଛି। ବିଭିନ୍ନ ସମସ୍ୟାକୁ ଦୃଷ୍ଟି‌ରେ ରଖି ପିଲାମାନଙ୍କୁ ପରୀକ୍ଷା ସୁଯୋଗ ଦିଆଯାଇଥିବା ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ଜେନା କହିଥିଲେ।

ଅନ୍ୟପଟେ ଉଦ୍ଦେଶ୍ୟମୂଳକ ଭାବେ କୃତ୍ରିମ ରାସ୍ତାଜାମ୍‌ କରାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଫାଷ୍ଟ୍‌ କମ୍‌, ଫାଷ୍ଟ୍‌ ଲୋଡ୍‌ ଆଶାରେ ଏକାଧିକ ଗଳାବାଟରେ କିଛି ଟ୍ରକ୍‌ ଧାଡ଼ି ଭାଙ୍ଗି ଧସେଇ ପଶୁଥିବାରୁ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ଅଣାୟତ୍ତ ହେଉଛି। ମଝିରେ ଓଏମ୍‌ସି କୋଇପଶି ଟ୍ରକ୍‌ ପାର୍କିଂୟାର୍ଡ, ବେଦାନ୍ତ-ଫେକର ‌ଓସ୍ତପାଳ କ୍ରୋମାଇଟ୍‌ ଖଣି, ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି ଓ ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣି, କାଳିଆପାଣି ସରକାରୀ ପ୍ରାଥମିକ ସ୍କୁଲ, ଇମ୍ଫା ସୁକିନ୍ଦା ଓ ମହାଗିରି କ୍ରୋମାଇଟ୍‌ ଖଣି, ବାଲେଶ୍ବର ଆଲଏଜ୍ କ୍ରୋମାଇଟ୍‌ ଖଣି, ଜିନ୍ଦଲ କ୍ରୋମାଇଟ୍‌ ଖଣି, ଓଏମ୍‌ସି ଅତିଥିଶାଳା ଓ ଟାଉନସିପ୍‌ କଲୋନି ରହିଛି। ଶହଶହ ଖଣି କର୍ମଚାରୀ, ଅଧିକାରୀ, ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ଅଧିକାଂଶ ଦିନ ନାହିଁନଥିବା ହଇରାଣ ହେଉଛନ୍ତି। ବିଭିନ୍ନ ସ୍କୁଲ, ଅଫିସ୍, ବ୍ୟ‌ାଙ୍କ, ଡାକଘର, ଡାକ୍ତରଖାନା ଓ ବଜାର ଯାଇ ଘର ଫେରିବା ବାଟରେ ଲୋକେ ଅଯଥା ରାସ୍ତାରେ ଫସିରହୁଛନ୍ତି ବୋଲି କାଳିଆପାଣି ଗାଁର ବରିଷ୍ଠ ଶ୍ରମିକନେତା ଭରତ ଚନ୍ଦ୍ର ମହାନ୍ତ କହିଛନ୍ତି। କିଛି ଅସାଧୁ ଡ୍ରାଇଭର, ନିରାପତ୍ତାରକ୍ଷୀ ଓ ପୁଲିସ ମଧ୍ୟରେ ସଲାସୁତରା ଥିବାରୁ ନିର୍ଦ୍ଦିଷ୍ଟ ଟ୍ରକ୍ ରାସ୍ତାରେ ଆଡ଼ ପକାଇ ଧାଡ଼ି ଭାଙ୍ଗି ବଢ଼ୁଥିବାରୁ ବ୍ୟସ୍ତବହୁଳ ସଡ଼କରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ‌ହେଉଥିବା ଦେଖିବାକୁ ମିଳୁଛି। ଆଇନ ଭାଙ୍ଗୁଥିବା ଟ୍ରକ୍‌କୁ କଳା ତାଲିକାଭୁକ୍ତ କିମ୍ବା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ପୁଲିସର ନିରବତା ନେଇ ସାଧାରଣରେ ପ୍ରଶ୍ନବାଚୀ ହୋଇଛି।

ସମ୍ବନ୍ଧିତ ଖବର