ବୁଲା ଗାଈଗୋରୁଙ୍କ ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ବଢ଼ୁଛି ଟ୍ରାଫିକ୍‌ ସମସ୍ୟା

ଏନ୍ଏସିରେ ସ୍ଥାପନ ହେଉନି କାଞ୍ଜିଆହୁଦା, ଗଲାଣି ଅନେକ ଜୀବନ, ଚେତୁ ନାହାନ୍ତି ଗୋରୁ ମାଲିକ

ଦଶପଲ୍ଲା : ଗାଈଗୋରୁଙ୍କ ଚରାଭୁଇଁ ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ। ଦଶପଲ୍ଲା ସହରର ବିଭିନ୍ନ ବଜାରଘାଟରେ ଦିନରାତି ମାଳମାଳ ହୋଇ ଗାଈଗୋରୁ ଘୂରି ବୁଲିଛନ୍ତି। ଫଳରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ବହୁ ଦୁର୍ଘଟଣା ମଧ୍ୟ ଘଟିଲାଣି। କେତେବେଳେ ଗାଈଗୋରୁଙ୍କ ପ୍ରାଣହାନୀ ଘଟୁଛି ତ ପୁଣି କେତେବେଳେ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଚାଳକ ଗୁରୁତର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଏଥିପ୍ରତି ଗୋରୁ ମାଲିକମାନେ ବେଫିକର ପାଲଟିଛନ୍ତି। ଏନ୍ଏସି ପକ୍ଷରୁ ସଂପୃକ୍ତ ଗୋରୁ ମାଲିକଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି କିମ୍ବା କାଞ୍ଜିଆହୁଦା ସ୍ଥାପନ କରାଯାଉ ନଥିବା ହେତୁ ମାଲିକଙ୍କ ମନମାନୀ ବୃଦ୍ଧି ପାଇଚାଲିଛି। ଯାହାର ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ।

ଅଧିକାଂଶ ସମୟରେ ବିଳମ୍ବିତ ରାତିରେ ଯାତାୟାତ କରୁଥିବା ବସ୍‌, ଟ୍ରକ୍‌ ସହ ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଗାଈଗୋରୁଙ୍କ ପ୍ରାଣହାନୀ ଘଟୁଛି। ହେଲେ ଏନ୍ଏସି ପକ୍ଷରୁ ଏହା ଉପରେ କୌଣସି ବି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ନିଆଯାଉନାହିଁ। ପୂର୍ବରୁ ଏ ସମ୍ପର୍କରେ ଏନ୍ଏସି ପକ୍ଷରୁ ନୋଟିସ୍‌ କରାଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଥିଲା। ହେଲେ ବାଆକୁ ବତା ସଦୃଶ ଏହି ନୋଟିସ ଶୀତଳଭଣ୍ତାରରେ ପଡ଼ି ରହିଥିବା ବେଳେ ଏ ଦିଗରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏପରିକି କିଛି ଯୁବଗାଷ୍ଠୀ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରି ଆସିଥିବା ବେଳେ ଏଥିପ୍ରତି ଗୁରୁତ୍ବ ମଧ୍ୟ ଦିଆଯାଉନାହିଁ। ଏପଟେ ଦିନକୁ ଦିନ ରାଜପଥ ଉପରେ ଟ୍ରାଫିକ୍ ସମମ୍ୟା ଜଟିଳ ହେବାରେ ଲାଗିଛି।

ଜନଗହଳିପୂର୍ଣ୍ଣ ଦୁର୍ଗାବଜାରଠାରୁ ଆରମ୍ଭ କରି ତ୍ରିନାଥ ବଜାର, ଲକ୍ଷ୍ମୀବଜାର, ଉପର ବଜାର ପ୍ରଭୃତି ସ୍ଥାନରେ ବହୁ ପରିବା ଦୋକାନ ରହିଛି। ଦୁର୍ଗାବଜାର ସଂଲଗ୍ନ ନାରାୟଣଗଞ୍ଜ ହାଟରେ ଦୈନିକ ପୂର୍ବାହ୍ଣରେ ପରିବା ହାଟ ବସୁଥିବା ବେଳେ ଉପର ବଜାରରେ ଦୈନିକ ଅପରାହ୍ଣରେ ମଧ୍ୟ ପରିବା ହାଟ ଚାଲୁଛି। ଏହି ରାଜପଥ ଦେଇ ଶହଶହ ସଂଖ୍ୟାରେ ଯାନବାହାନ ଯାତାୟାତ କରୁଥିବା ବେଳେ ଏଭଳି ଦୈନିକ ବୁଲା ଗାଈଗୋରୁଙ୍କ ପାଇଁ ଘଣ୍ଟାଘଣ୍ଟା ଧରି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏ ଦିଗରେ ଏନ୍ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର