ବାଲୁଗାଁ : ବାଲୁଗାଁର ଗାନ୍ଧୀଛକଠାରେ ସବୁଦିନ ଦେଖା ଦେଉଥିବା ଟ୍ରାଫିକ୍ ସମସ୍ୟା ଯୋଗୁଁ ଲୋକେ ନୟାନ୍ତ। ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏପରି ଟ୍ରାଫିକ୍ ସମସ୍ୟା ଉପୁଜୁଛି ଯେ କେବଳ ଗାନ୍ଧୀଛକ ପାର ହେବା ପାଇଁ ପ୍ରାୟ ୧ ଘଣ୍ଟା ସମୟ ଲାଗୁଛି। ମାଳ ମାଳ ଅଟୋ ସାଙ୍ଗକୁ ଠେଲା ଗାଡ଼ି, ଫଳ ବ୍ୟବସାୟୀଙ୍କର ରାସ୍ତା ଅବରୋଧ ଯୋଗୁଁ ଏ ସମସ୍ୟା ଉପୁଜୁଥିବା ବେଳେ ଚିଲିକା କୂଳ ରାସ୍ତାରେ ବ୍ୟବସାୟୀମାନେ ରାସ୍ତା ମାଡ଼ି ବସିଛନ୍ତି। ଫଳରେ ସାଧାରଣ ଲୋକଙ୍କ ବ୍ୟତୀତ ବାଲୁଗାଁ ମେଡ଼ିକାଲକୁ ଯାଉଥିବା ରୋଗୀମାନେ ମଧ୍ୟ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।

Advertisment

୩ ବର୍ଷ ତଳେ ବାଲୁଗାଁ ବଜାରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅଧିକାରୀଙ୍କୁ ନିୟୋଜନ କରାଯାଇଥିଲା। ଏବେ ସେ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଆଯାଇଛି। ତେଣୁ ଏବେ ଯେତେବେଳେ ଟ୍ରାଫିକ୍ ସମସ୍ୟା ଉପୁଜୁଛି, ସେତେବେଳେ ବାଲୁଗାଁ ଥାନା ପକ୍ଷରୁ ଜଣେ ଅଧିକାରୀ ଆସି ପହଞ୍ଚୁଛନ୍ତି। ମାତ୍ର ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉ ନାହାଁନ୍ତି। ଏପରିକି, ଗାନ୍ଧୀଛକଠାରୁ ବାଣପୁର ରାସ୍ତା ଅନୁରୂପଭାବେ ସମସ୍ୟା ଉପୁଜୁଥିବା ଦେଖାଯାଇଛି। ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଅଦ୍ୟାବଧି ଦୀର୍ଘ ୭ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଶେଷ ହୋଇ ନ ପାରି ଅଧପନ୍ତରିଆଭାବେ ରହିଛି। ଫଳରେ ଏଠାରେ ମଧ୍ୟ ଟ୍ରାଫିକ୍ ସମସ୍ୟା ଉପଜୁଛି। ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ବାଲୁଗାଁ ପୁଲିସ୍‌ ପକ୍ଷରୁ ବାରମ୍ବାର ‘ଆମ ପୁଲିସ୍‌’ କାର୍ଯ୍ୟକ୍ରମରେ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରୁ ନାହିଁ।