ଯାଜପୁରସଦର/ହରିପୁର : ରାସ୍ତା ଉପରେ ୩ ଦିନ ହେଲା ଛିଡ଼ା ହୋଇଛି ବସ୍। ମୁଖ୍ୟରାସ୍ତା ଉପରେ ବଡ଼ ଗାଡ଼ିଟିଏ ଛିଡ଼ା ହୋଇଥିବାରୁ ଅନ୍ୟ ଗାଡ଼ିମୋଟର ଯାତାୟାତରେ ସମସ୍ୟା ହେଉଛି। ଏହି ବସ୍ଟି ପାଇଁ ଗତ ୩ ଦିନ ମଧ୍ୟରେ ଅନେକ ଦୁର୍ଘଟଣା ଘଟିଥିବା ବେଳେ ସୋମବାର ଦିନ ଯାଜପୁରରୁ ରୋଗୀ ନେଇ କଟକ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଏହି ସମୟରେ ଜଣେ ବାଇକ୍ ଆରୋହୀ ପଡ଼ିଯାଇ ଆହତ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ଯାଜପୁର ଟାଉନରୁ ଭୁବନେଶ୍ବର ଯାଉଥିବା ଗୁଡ଼ିଜୁଡ଼ି ବସ୍ କୌଣସି କାରଣରୁ ୩ ଦିନ ହେଲା ହରିପୁର ମୁଖ୍ୟ ମାର୍କେଟ ରାସ୍ତା ଉପରେ ଛିଡ଼ା ହୋଇଛି। ଗାଡ଼ିଟି ଖରାପ ହୋଇ ଏଠାରେ ଛିଡ଼ା ହୋଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଏଥିପାଇଁ ବଜାରରେ ଟ୍ରାଫିକ ସମସ୍ୟା ଅଣାୟତ ହେଉଛି। ହରିପୁର ବଜାରରେ ଶତାଧିକ ବଡ଼ବଡ଼ ଦୋକାନ ରହିଥିବା ବେଳେ ଏହା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହି ବଜାର ମଧ୍ୟ ଦେଇ ଯାଜପୁରରୁ କଟକ, ଭୁବନେଶ୍ବରକୁ ଯୋଗାଯୋଗ କରୁଥିବା ମୁଖ୍ୟରାସ୍ତା ରହିଛି। ଫଳରେ ଛିଡ଼ା ହୋଇଥିବା ବସ୍ ପାଇଁ ଏହିରାସ୍ତା ଦେଇ ଯାଉଥିବା ହଜାର ହଜାର ଗାଡ଼ିମୋଟର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସଂଧ୍ୟା ହେଲେ ଏହି ସ୍ଥାନରେ ଟ୍ରାଫିକ ସମସ୍ୟା ଅଧିକ ସଂଗିନ ହୋଇପଡ଼ୁଛି। ଏନେଇ ଆଜି କିଛି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଅଭିଯୋଗ କରିଛନ୍ତି। କୁଆଖିଆ ପୁଲିସ ତୁରନ୍ତ ଏହି ବସ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବଜାର କମିଟି ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
Follow Us