ପୁରୀ : ଅସହ୍ୟ ହେଲାଣି ବଡ଼ଦାଣ୍ଡ ଟ୍ରାଫିକ ଯନ୍ତ୍ରଣା। ରାତି ପାହିଲେ ଘାରୁଛି ଟ୍ରାଫିକର କଷଣ। ଛୁଟିଦିନ ଆସିଲେ ଏହି କଷଣ ଆହୁରି ଦ୍ବିଗୁଣିତ ହୋଇଯାଉଛି। ଘରୁ ବାହାରିଲେ ପାଖ ଗଳିକୁ ଯିବାକୁ ବି କଷ୍ଟକର ହୋଇପଡ଼ୁଛି। ବଡ଼ଦାଣ୍ଡର ଏହି ସମସ୍ୟାବହୁ ଦିନ ଧରି ଲାଗି ରହିଥିଲେ ବି ସ୍ଥିତି ସୁଧୁରି ପାରୁନି। ଦୈନିକ ଟ୍ରାଫିକ ଯନ୍ତ୍ରଣାରେ ପେଷି ହେଉଛନ୍ତି ଭକ୍ତ ଓ ଅଞ୍ଚଳବାସୀ। ଛୁଟିଦିନ ଆସିଲେ ଚିନ୍ତା ଆହୁରି ବଢ଼ିଯାଉଛି। ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ବର ଥିବା ସାହି ରାସ୍ତାରେ ଯା’ଆସ ବେଳେ ଲୋକେ ବେଦମ୍ ହୋଇପଡ଼ୁଛନ୍ତି। ବଡ଼ ବଡ଼ ବସ୍, ଅଟୋ ଓ ଉଠା ଦୋକାନୀମାନେରାସ୍ତାକୁ ମାଡ଼ି ବସିଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ବଡ଼ ବଡ଼ ପଦାଧିକାରୀମାନେ ଆଖି ଆଗରେ ଲୋକଙ୍କ ଏହି ଯନ୍ତ୍ରଣା ଦେଖୁଛନ୍ତି, ତଥାପି ନିରବ ରହୁଛନ୍ତି। ଜିଲ୍ଲାପାଳ, ଏସପିଙ୍କ ଏଥିପ୍ରତି ଦୃଷ୍ଟି ପଡ଼ୁନାର୍ହି। ପୌର କର୍ତ୍ତୃପକ୍ଷ ବି ଚୁପ୍।
ଗଳିଆ ବାଟରେ ପଶୁଛି ବଡ଼ ବଡ଼ ବସ୍
ଧାଡ଼ି ଧାଡ଼ି ହୋଇ ରାସ୍ତା ଉପରେ ଅଟୋ
ରାସ୍ତା ଉପରୁ ହଟୁନାହାନ୍ତି ଉଠା ଦୋକାନୀ
ଗତକାଲି ଥିଲା ସପ୍ତାହର ଦ୍ବିତୀୟ ଶନିବାର ଓ ରବିବାର। ଏଥିପାଇଁ ଗତ ଶୁକ୍ରବାର ରାତିରୁ ହିଁ ପୁରୀ ସହରରେ ଭିଡ଼ ଆରମ୍ଭ ହୋଇ ଯାଇଥିଲା। ଲକ୍ଷାଧିକ ପର୍ଯ୍ୟଟକ ପୁରୀ ସହରରେ ଭିଡ଼ ଲଗାଇଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ, ସ୍ବର୍ଣ୍ଣାଭ ବେଳାଭୂମିରେ ସମୁଦ୍ର ସ୍ନାନର ମଜା ନେବାକୁ ଆସିଥିଲେ। ଏଥିପାଇଁ ଶନିବାର ଓ ରବିବାର ଉଭୟ ଶ୍ରୀମନ୍ଦିର ଓ ବେଳାଭୂମିରେ ଅସମ୍ଭାଳ ଭିଡ଼ ସହ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ଶହେ ଫୁଟିଆ ବଡ଼ଦାଣ୍ଡରେ ଯା’ଆସ ପାଇଁ ବଳିଥିବା ମାତ୍ର ୧୦ ଫୁଟ ରାସ୍ତାରେ ଲୋକେ କଲବଲ ହୋଇଥିଲେ। ଦୁଇଚକିଆ ତ ଦୂରର କଥା ଚାଲିଚାଲି ଯିବା ବି କାଠିକର ଥିଲା।
ବଡ଼ଦାଣ୍ଡର ଧଳା ଗାର ଡେଇଁ ଉଠା ଦୋକାନୀମାନେ ଆସି ରାସ୍ତା ମଝିରେ ବସିଥିଲେ। ତାହା ପୁଣି ଏକାଧିକ ଧାଡ଼ିରେ। ପାଖକୁ ଅଟୋ ଚାଳକ ବି ଏକାଧିକ ଧାଡ଼ିରେ ରାସ୍ତାକୁ ମାଡ଼ି ବସିଥିଲେ। କିଛି ପୁଲିସଙ୍କୁ ହାତ କରି ଗଳିଆ ବାଟରେ ବଡ଼ ବଡ଼ ବସ ବି ମାର୍କେଟ୍ ଛକ ପର୍ଯ୍ୟନ୍ତ ପଳାଇଥିଲେ। ବସ୍ ପଶିଯିବାରୁ ବୁଲିବା ବି କାଠିକର ହୋଇପଡ଼ିଥିଲା। ଭିଡ଼ ଭିତରେ ବହୁ ସମୟ ବସ୍ ଫସି ରହିବା ଓ ଅସମ୍ଭାଳ ଟ୍ରାଫିକ ସମସ୍ୟା ଉପୁଜିବାକୁ ନେଇ ସାଧାରଣରେ ଅସନ୍ତୋଷ ବି ବୃଦ୍ଧି ପାଇଥିଲା। ଯେଉଁଠି ଭିଡ଼ ପାଇଁ ଚାରିଚକିଆଙ୍କୁ ପଶିବାକୁ ଅନୁମତି ନଥିଲା, ସେଠାରେ ବସ୍ ପ୍ରଶାସନିକ ନିୟମାନୁଯାୟୀ ମାଳତୀପାଟପୁର ବସଷ୍ଟାଣ୍ଡଠାରେ ନ ଅଟକି ଏତେ ବାଟ କେମିତି ଆସିଲା ବୋଲି ଅନେକ ପୁଲିସଙ୍କୁ ପ୍ରଶ୍ନ କରିଥିଲେ। ସମାନ ସ୍ଥିତି ସିଂହଦ୍ବାର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବି ଦେଖିବାକୁ ମିଳିଥିଲା।
ଏ ସମ୍ପର୍କରେ ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଯେଉଁଭଳି ଉଠାଦୋକାନୀ, ଅଟୋ ଚାଳକମାନେ ରାସ୍ତାକୁ ମାଡ଼ି ବସିଲେଣି, ବଡ଼ଦାଣ୍ଡରେ ପ୍ରତିଦିନ ଯେଉଁଭଳି ଅସମ୍ଭାଳ ଟ୍ରାଫିକ ସମସ୍ୟା ଉପୁଜୁଛି, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ସେ ଉପରେ ବିଚାର କରିବା ଦରକାର। ଏଥିପାଇଁ ଦୈନିକ ଭକ୍ତ, ପର୍ଯ୍ୟଟକମାନେ କଲବଲ ହେଉଛନ୍ତି। ସାହିବାସୀ ବି ସମଦଶା ଭୋଗୁଛନ୍ତି। ଏଣୁ ଅନ୍ୟତ୍ର ଭେଣ୍ଡିଂ ଜୋନ୍ କରି ରାସ୍ତା ଉପରୁ ଉଠା ଦୋକାନୀଙ୍କୁ ହଟାଇବା ଦରକାର। ବେଆଇନ୍ ଦୋକାନକୁ ବଡ଼ଦାଣ୍ଡରୁ ହଟାଇବା ଦରକାର। ବଡ଼ଶଙ୍ଖଠାରୁ ବସଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଯେଉଁ ଖରାପ ବସ୍ ସବୁ ବ୍ରେକ୍ ଡାଉନ୍ ହୋଇ ପଡ଼ିରହିଛନ୍ତି, ସେଗୁଡ଼ିକୁ ହଟାଇବା ଦରକାର ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।