ପୁରୀ: ଚଳିତବର୍ଷ ରଥଯାତ୍ରା ସମୟରେ ଯାନବାହାନ ଚଳାଚଳ ପାଇଁ ଶୃଙ୍ଖଳିତ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି। ପୁରୀକୁ ସଂଯୋଗ କରୁଥିବା ତିନୋଟି ପ୍ରବେଶ ପଥ ଦେଇ ଆସୁଥିବା ଯାନବାହାନଗୁଡ଼ିକ କେଉଁ ରାସ୍ତା ଦେଇ ଆସିବେ। କେଉଁଠାରେ ଗାଡ଼ି ପାର୍କିଂ କରିବେ। କେଉଁ ରାସ୍ତା ଦେଇ ପୁଣି ଫେରିବେ। ଏହି ସମସ୍ତ ବ୍ୟବସ୍ଥା ପାଇଁ ପୁଲିସ ପକ୍ଷରୁ ଶୃଙ୍ଖଳିତ ଯୋଜନା କରାଯାଇଛି। 
ଦୁଇଚକିଆ ଯାନ
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକଠାରୁ ମଶାଣୀଚଣ୍ଡି ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭଠାରେ ର‌ଖିବେ। ଜଗନ୍ନାଥବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳ ପଡ଼ିଆଠାରେ ରଖିବେ। ମାଟିତୋଟା ଖେଳପଡ଼ିଆ ପୂର୍ଣ୍ଣ ହୋଇଯିବା ପରେ ମଙ୍ଗଳାଘାଟ ଛକଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍‌ ପଡ଼ିଆଠାରେ ରଖିବେ। ଜଗନ୍ନାଥ ବଲ୍ଲଭଠାରେ ରଖିଥିବା ଯାନଗୁଡ଼ିକ ନରେନ୍ଦ୍ରକୋଣ, ମଙ୍ଗଳାଘାଟ ଛକଦେଇ ବ୍ରହ୍ମଗିରି ପାଇଁ ଫେରିପାରିବେ। 
ସେହିପରି ଭୁବନେଶ୍ବର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକଠାରୁ ମଶାଣିଚଣ୍ଡୀ ଛକ, ‌ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭଠାରେ ରଖିବେ। ଜଗନ୍ନାଥବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳପଡ଼ିଆଠାରେ ରଖିବେ। ମାଟିତୋଟା ଖେଳପଡ଼ିଆ ପୂର୍ଣ୍ଣ ହୋଇଯିବା ପରେ ମଙ୍ଗଳାଘାଟ ଛକଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍‌, ପଡ଼ିଆଠାରେ ରଖିବେ। ଜଗନ୍ନାଥ ବଲ୍ଲଭଠାରେ ରଖିଥିବା ଯାନଗୁଡ଼ିକ ନରେନ୍ଦ୍ରକୋଣ, ଜଟିଆବାବାଜୀ ଛକ, କୁମ୍ଭାରପଡ଼ା ଥାନା, ଅଠରନଳା ଓ ବାଟଗାଁ ଛକ ଦେଇ ଭୁବନେଶ୍ବରକୁ ଫେରିପାରିବେ। 
ସେହିପରି କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନଗୁଡ଼ିକ ବାଇଦାସ ନଗର ଛକ, ଗ୍ରୀଡ଼ ଷ୍ଟେସନ ଛକ, ପେଣ୍ଠକଟା ଛକ, ସୁବାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକ ଠାରେ ରଖିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ।  
ହାଲୁକା ଯାନ
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡ଼ିକ ମଙ୍ଗଳାଘାଟ ଛକଠାରୁ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ ଯିବେ। ସେଠାରେ ନିର୍ଦ୍ଧାରିତ ହୋଇଥିବା ଯାନ ରହଣିସ୍ଥଳଠାରେ ରଖିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ଫେରିବେ। ସେହିପରି ଭୁବନେଶ୍ବର ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡ଼ିକ ମାଳତୀପାଟପୁର ବ୍ରିଜ୍‌, ବାଇଦାସ ନଗର ଛକ, ଗ୍ରୀଡ଼ ଷ୍ଟେସନ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣିସ୍ଥଳ ପର୍ଯ୍ୟନ୍ତ ଯିବେ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍‌, ଇଣ୍ଡୋର ଷ୍ଟାଡିୟମ୍‌, ଉଦ୍ୟାନ କୃଷି ପଡ଼ିଆ ଓ ସ୍ବଚ୍ଛ ମାଛ ବଜାରଠାରେ କ୍ରମାନ୍ବୟରେ ନିଜ ନିଜର ଯାନଗୁଡ଼ିକ ରଖିବେ। ପୁଣି ସେଠାରୁ ପିକେଆର୍‌ଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ଼ ଷ୍ଟେସନ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକଠାରୁ ଭୁବନେଶ୍ବରକୁ ଫେରିପାରିବେ। 
ସେହିପରି କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡ଼ିକ ବାଇଦାସ ନଗର ଛକ, ଗ୍ରୀଡ଼ ଷ୍ଟେସନ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣିସ୍ଥଳ ପର୍ଯ୍ୟନ୍ତ ଯିବେ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍‌, ଇଣ୍ଡୋର ଷ୍ଟାଡିୟମ୍‌, ଉଦ୍ୟାନ କୃଷି ପଡ଼ିଆ ଓ ସ୍ବଚ୍ଛ ମାଛ ବଜାରଠାରେ କ୍ରମାନ୍ବୟରେ ନିଜ ନିଜର ଯାନଗୁଡ଼ିକ ରଖିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ। 
ନିୟମିତ ଯାତ୍ରୀବାହୀ ସେବା
ତାଳବଣିଆ ପଟୁ ଆସୁଥିବା ଅଟୋଗୁଡ଼ିକ ୱାଟର ୱାର୍କସ୍‌ ରୋଡ୍‌, ଓଡ଼ିଶା ବେକରୀ ଓ ରାମମନ୍ଦିର ଦେଇ ଘୋଡ଼ାବଜାର ପର୍ଯ୍ୟନ୍ତ ଆସିପାରିବେ। ଫେରିବା ସମୟରେ ରାମମନ୍ଦିର, ଶ୍ରୀକ୍ଷେତ୍ର କଲୋନି, ଓ ମଙ୍ଗଳା ମନ୍ଦିର ବାଟ ଦେଇ ଫେରିପାରିବେ। ମାଳତୀପାଟପୁର ପଟୁ ଆସୁଥିବା ଅଟୋଗୁଡ଼ିକ ବାଟଗାଁ ଛକ ଦେଇ ଅଠରନଳା ପର୍ଯ୍ୟନ୍ତ ଆସିପାରିବେ। ସେହି ସମାନବାଟ ଦେଇ ଫେରିପାରିବେ। ସେହିପରି ବ୍ରହ୍ମଗିରି ପଟୁ ଆସୁଥିବା ଅଟୋଗୁଡ଼ିକ ମଙ୍ଗଳାଘାଟ ଛକ ଦେଇ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ ଆସିପାରିବେ। ସେହି ସମାନ ବାଟ ଦେଇ ଫେରିପାରିବେ। 
ପର୍ଯ୍ୟଟନ ବସ୍‌
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍‌ଗୁଡ଼ିକ ଫ୍ଲୋରିସ ଇଣ୍ଡିଆ ପାର୍କିଂଠାରେ ରହିବ। ଭୁବନେଶ୍ବର ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍‌ଗୁଡ଼ିକ ମାଳତୀପାଟପୁର ବସ୍‌ଷ୍ଟାଣ୍ଡଠାରେ ରହିବେ। ସେହିପରି କୋଣାର୍କ ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍‌ଗୁଡ଼ିକ ସ୍ବାମୀ ନାରାୟଣ ମନ୍ଦିରଠାରେ ରହିବାର ବ୍ୟବସ୍ଥା କରାଯାଇଛି।