ରାଉରକେଲା : ହକି ବିଶ୍ବକପ୍ ପୂର୍ବରୁ ସହରରେ ସିସି କ୍ୟାମେରା ଓ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ କାମ ସାରିବାକୁ ସରକାରଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା। ସିସି କ୍ୟାମେରା ଲାଗିପାରିଲା ନାହିଁ। ତରବରିଆ ଭାବେ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ସହରର ପ୍ରମୁଖ ଛକରେ ଲାଗିଲା। ହକି ମ୍ୟାଚ୍ ସମୟରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେଲା। ସହରର ପ୍ରମୁଖ ଛକ ହନୁମାନବାଟିକା, ପାନପୋଷ ହକି ଛକ, ଗାନ୍ଧିଛକ, ଛେଣ୍ଡ ଛକ, ରାଉରକେଲା ଏୟାରପୋର୍ଟ ଛକ ଏମିତି ୧୦ଟି ଛକରେ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ଜଳିଲା। ହକି ମ୍ୟାଚ୍ ସରିବା ପରେ ପ୍ରମୁଖ ଛକରେ ଜଳୁଥିବା ଏସବୁ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ଲିଭିଗଲା।
ଆଜିକୁ ଅଢ଼େଇ ମାସ ବିତିଯାଇଥିଲେ ହେଁ କୌଣସି ଗୋଟିଏ ଛକରେ ଟ୍ରାଫିକ୍ ସିଗ୍ନାଲ୍ ଲାଇଟ୍ ଜଳୁନି। ଯେ ପର୍ଯ୍ୟନ୍ତ ‘ରାଉରକେଲା ୱାନ୍’ରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର (ଆଇସିସିସି) କାର୍ଯ୍ୟକ୍ଷମ ନ ହୋଇଛି ସେ ପର୍ଯ୍ୟନ୍ତ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ସ୍ବୟଂ ଚାଳିତ ହେବ ନାହିଁ ବୋଲି ଟ୍ରାଫିକ୍ ପୁଲିସ ଅଧିକାରୀ କହିଛନ୍ତି। ଠିକା ସଂସ୍ଥାର ଅବହେଳାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି। ଆସନ୍ତା ମାସେ ଦୁଇ ମାସ ମଧ୍ୟରେ ଉଭୟ ସିସି କ୍ୟାମେରା ଓ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବୋଲି ସ୍ମାର୍ଟସିଟିର ବିଭାଗୀୟ ଅଧିକାରୀ କହିଛନ୍ତି।
ସହରର ପ୍ରବେଶପଥ ହକିଛକ, ପାନପୋଷ ଗାନ୍ଧିଛକ, ହନୁମାନବାଟିକା ଛକ, ଉଦିତନଗର ଆମ୍ବେଦକର ଛକ, ଏସ୍ଟିଆଇଛକ, ଛେଣ୍ଡ ଛକ, ରାଉରକେଲା ଏୟାରପୋର୍ଟ ଛକ, ବିର୍ସା ମୁଣ୍ଡା ଛକ, ବାସନ୍ତୀକଲୋନି ଡିଏଭି ଛକ ଏମିତି ୧୦ରୁ ଅଧିକ ପ୍ରମୁଖ ଛକରେ ଟ୍ରାଫିକ୍ ସିଗ୍ନାଲ୍ ଲାଇଟ୍ ବ୍ୟବସ୍ଥା କରାଯାଇଛି। ଉଭୟ ସିସି କ୍ୟାମେରା ଓ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ବାବଦରେ ସ୍ମାର୍ଟସିଟି ପକ୍ଷରୁ ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡିଛି। ସେପଟେ ସ୍ମାର୍ଟସିଟି ପ୍ରଶାସନିକ ବିଲ୍ଡିଂରେ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ରୁମ୍ କାମ ନ ସରିବା ପର୍ଯ୍ୟନ୍ତ ରାଉରକେଲା ଏସ୍ପିଙ୍କ କାର୍ଯ୍ୟାଳୟରେ ସିସି ଟିଭି ନିୟନ୍ତ୍ରଣ କରାଯିବ ବୋଲି ସ୍ମାର୍ଟସିଟି ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ କଣ୍ଟ୍ରୋଲ ରୁମ୍ ସ୍ମାର୍ଟସିଟି ପ୍ରଶାସନିକ ବିଲ୍ଡିଂକୁ ସ୍ଥାନ୍ତାନ୍ତର କରାଯିବ।
ସେମିତି ୧୧୦ଟି ସ୍ଥାନରେ ଲାଗିଥିବା ସିସି ଟିଭି ନିୟନ୍ତ୍ରଣ ପାଇଁ ସହରର ୧୩ଟି ପ୍ରମୁଖ ସ୍ଥାନରେ ଇଣ୍ଟିଗ୍ରେଟେଡ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଟିଏମ୍ଏସ୍) ସ୍ଥାପନ କରାଯିବ। ଏଥି ମଧ୍ୟରୁ ୭ଟି ସ୍ଥାନରେ ଆଇଟିଏମ୍ଏସ୍ କାର୍ଯ୍ୟ ଶେଷ ହୋଇଛି। ୪ଟି ସ୍ଥାନରେ କାମ ଖୁବ୍ଶୀଘ୍ର ସରିବ। ସିସି କ୍ୟାମେରା ଲଗାଇବାକୁ ସହରର ପାଖାପାଖି ୧୩୦ କି.ମି. ପରିଧି ମଧ୍ୟରେ କେବୁଲ ବିଛା କାମ ଚାଲିଛି। ଅଦ୍ୟାବଧି ୧୧୦ କି.ମି. କେବୁଲ ବିଛା କାମ ଶେଷ ହୋଇଛି। ସେମିତି ଛେଣ୍ଡ କଲୋନି କନକ୍ମଞ୍ଜରି ଛକ, ହକି ଷ୍ଟାଡିୟମ ଛକ, ପ୍ରଧାନପାଲୀ ଛକ, ବିଏସ୍ଏନ୍ଏଲ୍ ଛକ, ବିଜୁ ପଟ୍ଟନାୟକ ଛକ, ରିଂ ରୋଡ ସ୍ପେସ୍ ଛକ, ରାଉରକେଲା ବିମାନବନ୍ଦର ନିକଟସ୍ଥ ପୋଲ୍ରେ ସିସି କ୍ୟାମେରା ଲଗାଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଛକ, ପାନପୋଷ ଗାନ୍ଧିଛକ, ହକି ଛକ, ଉଦିତନଗର, ଏସ୍ଟିଆଇ, ଆଇଟିଆଇ, ଡେଲିମାର୍କେଟ, ବାସନ୍ତୀକଲୋନି, ବନ୍ଧମୁଣ୍ଡାରୋଡ, ସାରନଗରୀ, ରେଲୱେ କଲୋନି ଇସ୍ପାତ ସହରାଞ୍ଚଳର ପ୍ରମୁଖ ଛକରେ ସିସି କ୍ୟାମେରା ଲଗାଯାଉଛି। ସିସି କ୍ୟାମେରା ସୁରକ୍ଷା, ଅପରାଧିକ କାର୍ଯ୍ୟକଳାପ ରୋକିବାରେ ସହାୟକ। ଏଥିସହ ଟ୍ରାଫିକ୍ ନିୟନ୍ତ୍ରଣରେ ମଧ୍ୟ ସେତିକି କାର୍ଯ୍ୟ କରିବ। ରେଡ୍ ଲାଇଟ୍ ଭାଇଓଲେସନ୍ ଡିଟେକ୍ସନ (ଆର୍ଏଲ୍ଭିଡି), ସ୍ପିଡ୍ ଭାଇଓଲେସନ୍ ଡିଟେକ୍ସନ ସିଷ୍ଟମ (ଏସ୍ଭିଡିଏସ୍), ଅଟୋମେଟିକ୍ ନମ୍ବର ପ୍ଲେଟ ରେକଗ୍ନାଇଜେସନ୍ ସିଷ୍ଟମ (ଏଏନ୍ପିଆର୍), ଫେସ୍ ରେକଗ୍ନାଇଜେସନ୍ ସିଷ୍ଟମ (ଏଫ୍ଆର୍ଏସ୍) ଓ ନିୟମଭଙ୍ଗକାରୀ ପାଇଁ ଇ-ଚାଲାଣ ସିଷ୍ଟମ କାର୍ଯ୍ୟ କରିବ।