ଘଟଗାଁରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଘଟଗାଁ: ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳ ଘଟଗାଁ ମା’ ତାରିଣୀ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ି ରଖିବା ପାଇଁ ଆଜିପର୍ଯ୍ୟନ୍ତ ପାର୍କିଂ ବ୍ୟବସ୍ଥା ହୋଇପାରିଲା ନାହିଁ। ତେଣୁ ମନ୍ଦିର ଆଗ ରାସ୍ତାରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

ମନ୍ଦିର ଦୁଇପାର୍ଶ୍ବରେ ରହିଛି ଶତାଧିକ ଭୋଗ ଦୋକାନ। ଦୋକାନ ଆଗରେ ଠିଆ ହେବା ହାତେ ଜାଗା ମଧ୍ୟ ନାହିଁ। କୌଣସି ଗାଡ଼ି ରାସ୍ତାରେ ଅଟକି ଗଲେ ଟ୍ରାଫିକ୍‌ ଜାମ୍‌ ହେଉଛି। ସେହିପରି କେତେକ ବସ୍‌ ଯାତ୍ରୀଙ୍କୁ ନେବା ପାଇଁ ୧୦ ମିନିଟରୁ ୩୦ ମିନିଟ ପର୍ଯ୍ୟନ୍ତ ଘଟଗାଁ ଡାକବଙ୍ଗଳା ନିକଟରେ ଠିଆ ହେଉଛନ୍ତି। ନୂଆ ଓ ପୁରୁଣା ବସଷ୍ଟାଣ୍ତ ଥିଲେ ମଧ୍ୟ ବସ୍‌ ଗୁଡ଼ିକ ବଙ୍ଗଳାଛକରେ ଅଟକି ରହିବା ଫଳରେ ପଛକୁ ପଛ ଗାଡ଼ି ଅଟକି ଯାଉଛନ୍ତି।

ବିଶେଷ କରି ପର୍ବପର୍ବାଣୀ ଓ ଛୁଟିଦିନ ଗୁଡ଼ିକରେ ପରିସ୍ଥିତି ଅସମ୍ଭାଳ ହେଉଛି। ଚଳିତବର୍ଷ ପ୍ରଥମ ରଜଠାରୁ ଆଜିପର୍ଯ୍ୟନ୍ତ ମା’ଙ୍କ ପୀଠରେ ପ୍ରବଳ ଭିଡ଼ ଯୋଗୁଁ ଟ୍ରଫିକ ସମସ୍ୟା ହେଉଛି। ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସେମାନେ ରାସ୍ତା ଉପରେ ଠିଆ ହୋଇପାରୁ ନାହାନ୍ତି। ସକାଳ ୬ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଛି।

ଡାକ୍ତରଖାନା ଯାଉଥିବା ଲୋକେ ଜାମ୍‌ରେ ଫସି ଯାଉଛନ୍ତି। ବଜାରକୁ ଲାଗି ରହିଥିବା ବସ୍ତିବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛିବର୍ଷ ତଳେ ଘଟଗାଁରେ ଦୁଇଜଣ ଟ୍ରାଫିକ କନେଷ୍ଟବଳ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଟ୍ରାଫିକ ସମସ୍ୟା ପାଇଁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର