ଦୁର୍ଘଟଣାରେ ଟ୍ରାଫିକ୍‌ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ସହରର ଷ୍ଟୁଡେଣ୍ଟ୍‌ ଟ୍ରାଫିକ ସ୍ୱେଚ୍ଛାସେବୀ ଜିତେନ୍ଦ୍ର ମହାକୁଡ଼ (୨୦)ଙ୍କ ଆଜି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଜିତେନ୍ଦ୍ରଙ୍କୁ ଶିଳ୍ପାଞ୍ଚଳ ଥାନା ଅଧିନ ରେମୁଣା ଗୋଲେଇ ନିକଟ ୧୬ନମ୍ବର ରାଜପଥର ନୂଆଗାଁ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ରାସ୍ତାକଡ଼ରୁ ୧୦ଫୁଟ ତଳେ ପଡ଼ିଥିବା ଜିତେନ୍ଦ୍ରଙ୍କ ନିକଟରେ ଏକ ବାଇକ୍‌ ମଧ୍ୟ ପଡ଼ିଥିଲା। ସ୍ଥାନୀୟ ଲୋକେ ଏନେ ପୁଲିସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ଅଣାଯାଇଥିଲା। ସ୍ଥିତି ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ହେଲେ କଟକ ନେବା ବାଟରେ ସୋର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। କୌଣସି ଦ୍ରୁତଗାମୀ ଗାଡ଼ି ତାଙ୍କୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି।

ମିଳିଥିବା ଖବର ଅନୁଯାୟୀ, ଜିତେନ୍ଦ୍ର ଆଜି ଦି’ପହରେ ରେମୁଣାର ତାଙ୍କ ସମ୍ପର୍କୀୟଙ୍କ ଘରୁ ଖାଇ ସାରି ଡ୍ୟୁଟିରେ ଯୋଗଦେବାକୁ ବାଇକ୍‌ରେ ଆସୁଥିଲେ। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲେ ବି ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ମୃତ ଜିତେନ୍ଦ୍ର ଖନ୍ତାପଡ଼ା ଥାନା ଅଧିନ ମଣ୍ଡଗାଁ ଅଞ୍ଚଳର ଗଜେନ୍ଦ୍ର ମହାକୁଡ଼ଙ୍କ ପୁଅ। ସେ ବରୁଣସିଂ ଶ୍ରୀଜଗନ୍ନାଥ ଏଡୁକେସନାଲ ଫାଉଣ୍ଡେସନ୍‌ ଡିଗ୍ରି କଲେଜରେ +୩ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଗାଁ ଲୋକେ ଓ ଟ୍ରାଫିକ୍‌ ସ୍ୱେଚ୍ଛାସେବୀମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। ଟ୍ରାଫିକ ଥାନା ଓଆଇସି ପ୍ରଶାନ୍ତ କୁମାର ରଣସିଂ ଓ ଅନ୍ୟ ପୁଲିସ୍‌ କର୍ମୀମାନେ ପହଞ୍ଚି ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ। ଜିତେନ୍ଦ୍ରଙ୍କ ପରିବାରକୁ ଅନୁକମ୍ପା ସହାୟତା ରାଶି ତୁରନ୍ତ ଦିଆଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର