ଭଦ୍ରକ ଆରଟିଓ ପକ୍ଷରୁ ଟ୍ରାଫିକ୍ ନିୟମ କଡାକଡି

ଭଦ୍ରକ : ମାର୍ଚ୍ଚ ଏକ ତାରିଖଠାରୁ ରାଜ୍ୟ ସରକାର ଆରଟିଓ ନିୟମ କଡା କଡି କରିଥିବା ବେ‌ଳେ ଭଦ୍ରକ ଜିଲ୍ଲାରେ ଆଜି ବିଭିନ୍ନ ଛକ ଜାଗାମାନଙ୍କରେ ଆରଟିଓ ଅଫିସ୍ ପକ୍ଷରୁ ଗାଡି ମଟର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଭଦ୍ରକ ଆରରଟିଓ ବିରଞ୍ଚି ନାରାୟଣ ଅଧିକାରୀଙ୍କ ସୂଚନାରୁ ପ୍ରକାଶ ଯେ, ଆଜି ଯାଞ୍ଚ ବେଳେ ଭଦ୍ରକରେ ମୋଟ ୫୦ ଟି ମାମଲା ରୁଜୁ କରାଯାଇଛି। ଏଥିରୁ ଫଇସଲା ହୋଇଥିବା ୭ ଟି ମାମଲାରେ ମୋଟ ୨୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଥିବା ବେଳେ ଆହୁରି ୪୩ଟି ମାମଲାରେ ୧, ୬୬,୭୦୦ ଟଙ୍କା ଫାଇନ୍ ଆଦାୟ କରାଯିବ।

ତେବେ ମିଳିଥିବା ତଥ୍ୟରୁ ପ୍ରକାଶ ଯେ, ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା କାରଣରୁ ୧୯ ଜଣଙ୍କ ଉପରେ ମାମଲା ରୁଜୁ କରାଯାଇଛି। ଏଥିରୁ ଦୁଇଟି ମାମଲାରେ ୪ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି। ସେହିପରି ଡ୍ରାଇଭିଂ ଲାଇସେନସ୍ ଏକ୍ସପାରୀ ହୋଇଥିବା କାରଣରୁ ୬ ମାମଲା ରୁଜୁ କରାଯାଇଥିବା ବେଳେ ଫଇସଲା ହୋଇଥିବା ୪ଟି ମାମଲାରୁ ୨୦ ହଜାର ଟଙ୍କା ଫାଇନ୍ ବାବଦକୁ ଆଦାୟ କରାଯାଇଛି। ବାଇକ ଚାଳନା ବେଳେ ମୋବାଇଲ ଫୋନ୍ ଧରି ବାଇକ୍ ଚଳାଉଥିବାରୁ ୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଅଧିକ ଯାତ୍ରୀ ନେଇ ଯାଉଥିବା ଗାଡି ଉପରେ ୩ଟି ମାମଲା ରୁଜୁ କରାଯାଇଥିବା ବେଳେ ଓଭର ଲୋଡି ମାମଲ ନେଉଥିବା ବେଳେ ଜଣଙ୍କ ଉପରେ ମାମଲା ରୁଜୁ କରାଯାଇଛି। ସେହିପରି ଦୁଇରୁ ଅଧିକ ଜଣ ବସି ମଟର ସାଇକେଲରେ ଯାଉଥିବା ବେଳେ ୩ ଜଣ ମଟରସାଇକେଲ ଆରୋହୀଙ୍କ ଉପରେ ମାମଲା ରୁଜୁ କରାଯାଇଛି। ବିନା ହେଲମେଣ୍ଟରେ ବାଇକ୍ ଚାଳାନା କରୁଥିବା ବେଳେ ୧୨ ଜଣଙ୍କୁ ଯାଞ୍ଚ କରାଯାଇ ମାମଲା ରୁଜୁ କରାଯାଇଥିବା ବେଳେ ଜଣଙ୍କଠାରୁ ୧୦୦୦ ଟଙ୍କା ପାଇନ୍ ଆଦାୟ କରାଯାଇଛି।

ଆରଟିଓ ଅଫିସ୍ ପକ୍ଷରୁ ଏଭଳି ଚଢାଉ ଆରମ୍ଭ ହୋଇଯାଇଥିବା ବେଳେ ଭଦ୍ରକ ଜିଲ୍ଲାରେ ବହୁ ବାଇକ୍ ଚାଳକ ଆଜି ଅଫିସ୍ ଓ ମାର୍କେଟ ଆସିବା ବେଳେ ନିଜର ବାଇକ୍ ନଆଣି ସାଇକେଲ କିମ୍ବା ବସରେ ଆସିଥିବା କହିଛନ୍ତି। ଅନେକ ଅଟୋ ଚାଳକ ଆଜି ଷ୍ଟାଣ୍ଡକୁ ନିଜର ଅଟୋ ନେଇ ଆସି ନଥିବା ଜଣାପଡିଛି। ଗତ ଦୁଇ ଦିନ ହେଲା ଅଟୋ ଷ୍ଟାଣ୍ଡରେ ଅଟୋ ସଂଖ୍ୟା କମି ଯାଇଥିବା ବେଳେ ବାଇକ୍ ସଂଖ୍ୟା ମଧ୍ୟ ସହରରେ ଅଧିକ ଦେଖିବାକୁ ମିଳି ନଥିଲା। ଏ ନେଇ କିଛି ଲୋକଙ୍କର ପ୍ରତିକ୍ରିୟା ନେବାକୁ ସମ୍ବାଦ ପକ୍ଷରୁ ଆଜି ପ୍ରୟାସ କରାଯାଇଥିଲା। ସରକାରଙ୍କର ଏଇ ପରିବହନ ନିୟମ କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଏହାକୁ ଏକଦମ୍ କଡାକଡି କରିବା ଘଟଣାକୁ ଲୋକମାନେ ନାପସନ୍ଦ କରିଛନ୍ତି। ଆଗ ସରକାର ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରନ୍ତୁ। ‌ପରେ ଆଇନକୁ କଡାକଡି କରାଯାଉ। ଆଇନ୍ ପାଳନ କରିବା ପାଇଁ ଓ ଆରଟିଓ ଆଇନକୁ ଜାଣିବା ପାଇଁ ଆହୁରି ସରକାରଙ୍କ ପକ୍ଷରୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି କିଛି ବାଇକ୍ ଚାଳକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଲାଇସେନ୍ ପାଇଁ ପ୍ରତି ବ୍ଲକରେ ଆରଟିଓ ପରିବହନ ବିଭାଗର ଅଫିସ୍ ଖୋଲାଯାଉ ବୋଲି ଭଦ୍ରକର ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ବହୁ ବାଇକ୍ ଚାଳକ ଦାବି ଉଠାଇଛନ୍ତି। ଅନେକ ଅଟୋ ଚାଳକ ଆଜି ଖୋଲା ଖୋଲି ଭାବେ ଏଇ ଆଇନକୁ ନେଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି। ଏଭଳି କଠୋର ଆଇନ୍ ଆମ ଭେକାଳ ବୁଡାଇ ଦେଇଛି। ଅନେକ ଅଟୋ ଚାଳକଙ୍କର କାଗଜପତ୍ର ଠିକ୍ ନଥିବାରୁ ସେମାନେ ଅଟୋ ନେଇ ସହରକୁ ଆସି ନାହାନ୍ତି। ଏହା ଫଳରେ ଆଜି ଅନେକ ଯାତ୍ରୀ ଯାତାୟତରେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧିତ ଖବର