ପୁରୀ : ମାଡ଼ି ବସିଲେଣି ପ୍ରଶସ୍ତ ବଡ଼ଦାଣ୍ଡ। ପୂର୍ବରୁ କ୍ୟାବିନ୍‌, ଠେଲାଗାଡ଼ି, ଉଠାଦୋକାନୀ ବଡ଼ଦାଣ୍ଡକୁ ଦଖଲରେ ରଖିଥିଲେ। ଏବେ ବଡ଼ ବଡ଼ ସପିଂ ମଲ୍‌ର ବେଆଇନ୍‌ ପାର୍କିଂ ବାକି ରାସ୍ତାକୁ ଓଗାଳି ସାରିଲାଣି। ବଡ଼ ବଡ଼ ସପିଂ ମଲ୍‌ମାନେ ଏବେ ବଡ଼ଦାଣ୍ଡକୁ ନିଜ ପାର୍କିଂ ଜାଗା ଭଳି ବ୍ୟବହାର କରୁଛନ୍ତି। ଫଳରେ ସାମାନ୍ୟ ଦୁଇଚକିଆ ବି ବଡ଼ଦାଣ୍ଡରେ ଚଳାଇବା କଷ୍ଟକର ହୋଇପଡ଼ୁଛି। ନା ପୌରସଂସ୍ଥାର ଏଥିପ୍ରତି ଦୃଷ୍ଟି ପଡ଼ୁଛି, ନା ଜିଲ୍ଲାପାଳ। ଲୋକେ ଟ୍ରାଫିକ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ଦିନ ଅପେକ୍ଷା ସନ୍ଧ୍ୟା ଯନ୍ତ୍ରଣା ଦ୍ବିଗୁଣିତ ହୋଇଯାଉଛି।

Advertisment

ସହରର ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଇଁ ଜିଲ୍ଲା ପୁଲିସର ସ୍ବତନ୍ତ୍ର ଟ୍ରାଫିକ ଥାନା ରହିଛି। ସେପଟେ ରାସ୍ତାକୁ ଜବରଦଖଲ କରି ବେଆଇନ୍‌ ପାର୍କିଂ ଭା‌ବେ ବ୍ୟବହାର କରିଥିବା ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୌରସଂସ୍ଥାର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ରହିଛନ୍ତି। କିନ୍ତୁ ଏମାନେ ବି ନିରବଦ୍ରଷ୍ଟା ସାଜିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ସେପଟେ ଅତୀତରେ ଅରବିନ୍ଦ ଅଗ୍ରୱାଲଙ୍କ ସମୟରେ ଭିଆଇପି ରୋଡ୍‌ରେ ଥିବା ଏକ ସପିଂ ମଲ୍‌ ଏଭଳି ବେଆଇନ୍‌ ପାର୍କିଂ କରି ସିଲ୍‌ ହୋଇଥିଲା। କିନ୍ତୁ ଏହା ପରଠାରୁ ଯେଉଁ ଜିଲ୍ଲାପାଳ ଆସୁଛନ୍ତି, ସେମାନଙ୍କ ନିରବତା ଏଭଳି ବେଆଇନ୍‌ ପାର୍କିଂକୁ ପ୍ରୋତ୍ସାହନ ଦେଉଛି ବୋଲି ଅଭିଯୋଗ ହେଉଛି। ଜାତୀୟ ରାଜପଥ ବିଭାଗ ଅଧୀନରେ ଆସୁଥିବା ବଡ଼ଦାଣ୍ଡର ଓସାର ପ୍ରାୟ ଶହେ ଫୁଟରୁ ଅଧିକ ହେବ। ତଥାପି ଦୋକାନୀଙ୍କ ପେଟପାଟଣାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ବିଭାଗ ଓ ପୌରସଂସ୍ଥା ରାସ୍ତାର ଦୁଇପାର୍ଶ୍ବରେ ଧଳା ଗାର ପଛକୁ ବସିବାକୁ ଉଠା ଦୋକାନୀଙ୍କୁ ଅନୁମତି ଦେଇଛି। ଠେଲା ଗାଡ଼ି ରଖି ବ୍ୟବସାୟ କରିବାର ସୁଯୋଗ ଦିଆଯାଇଛି। ଏହି ସୁଯୋଗ ନେଇ ଦୋକାନୀମାନେ କ୍ୟାବିନ୍‌ ସହ ସ୍ଥାୟୀ ଷ୍ଟଲ୍‌ ପକାଇ ଜାଗା ମାଡ଼ି ବସିଛନ୍ତି। ଏହି ଦୋକାନୀମାନେ ନିଜ ନିଜ ଦୋକାନ ଆଗରେ ଆହୁରି ଠେଲାଗାଡ଼ି, ଦୋକାନ ପକାଇ ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି। ଦୁଇପାର୍ଶ୍ବ ଧଳା ଗାର ଡେଇଁ ଏମାନେ ରାସ୍ତା ଉପରେ ବସୁଛନ୍ତି। ଫଳରେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଆଶଙ୍କା ରହୁଛି।

ଏହି ଯନ୍ତ୍ରଣାକୁ ଦ୍ବିଗୁଣିତ କରି ଦେଇଛନ୍ତି ବଡ଼ ବଡ଼ ସପିଂ ମଲ୍‌। ନିକଟରେ ଏକ ସପିଂ ମଲ୍ ଖୋଲିଛି। ଚାରି ମହଲା ବିଶିଷ୍ଟ ଏହି ସପିଂ ମଲ୍‌ ନିଜର ପାର୍କିଂ ବି ରଖିନି। କୌଣସି ସପିଂ ମଲ୍‌ ଖୋଲିବା ପୂର୍ବରୁ ପାର୍କିଂ ବ୍ୟବସ୍ଥା କରିବା ପ୍ରାଥମିକତା ହୋଇଥିବାବେଳେ ନନ୍ଦିଘୋଷ ସପିଂ ମଲ୍‌ ପାର୍କିଂ ନ କରି ବି ପ୍ରଶାସନ ଏହାକୁ ଚଲାଇବାକୁ ଅନୁମତି ଦେଇଛି। ଗ୍ରାହକମାନେ ବଡ଼ଦାଣ୍ଡରେ ଗାଡ଼ି ପାର୍କିଂ କରୁଛନ୍ତି। ଗାଡ଼ି ସଂଖ୍ୟା ଏତେ ବଢ଼ି ଯାଉଛି।