ତୁଷୁରା : ଦାମୀଗାଡ଼ିରେ ‘ଅନ୍ତରାଷ୍ଟ୍ରୀୟ ମାନବାଧିକାର’ ଫଳକ ଲଗାଇ ଗଞ୍ଜେଇ ଚାଲାଣ! ବଲାଙ୍ଗୀର ଜିଲ୍ଲା ତୁଷୁରା ପୁଲିସ ଗାଡ଼ି, ୨୨ କେଜି ଗଞ୍ଜେଇ ଜବତ ସହିତ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ମଧ୍ୟପ୍ରଦେଶ ନାଗରିକ। ସେମାନେ ହେଲେ, ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲା ରାମପୁର ଗାଁର ଦୀପକ ପଟେଲ (୨୩ବର୍ଷ), ସତାଇ ଗାଁର ପ୍ରମୋଦ ପଟେଲ (୨୩ବର୍ଷ) ଓ ଗୟାପ୍ରସାଦ ପଟେଲ (୩୯ବର୍ଷ)।
ସୂଚନା ଅନୁସାରେ, ଅଭିଯୁକ୍ତମାନେ ଦାମୀ ଚାରିଚକିଆ ଗାଡ଼ି (ଏମ୍ପି ୧୬ଟି ୨୦୨୨)ରେ ବୌଦ୍ଧ ଜିଲ୍ଲା ପଟରୁ ତୁଷୁରା ରାସ୍ତାଦେଇ ନୂଆପଡ଼ା ଜିଲ୍ଲାକୁ ଯାଉଥିବା ସମୟରେ ଧରାପଡ଼ିଥିଲେ। ଗାଡ଼ି ଯାଞ୍ଚ ବେଳେ ସେଥିରେ ୨୨ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା। ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଏନେଇ ଏକ ମାମଲା ରୁଜୁ କରି ଉକ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଯାଇଥିବା ଥାନାଧିକାରୀ ସଂଜୀବ ପଧାନ କହିଛନ୍ତି। ଜଣେ ଅଭିଯୁକ୍ତ ପାଖରୁ ଅନ୍ତରାଷ୍ଟ୍ରୀୟ ମାନବାଧିକାର ସଦସ୍ୟ ଲେଖାଥିବା ଏକ ପରିଚୟପତ୍ର ମଧ୍ୟ ପୁଲିସ ଜବତ କରି ଅଧିକ ତଦନ୍ତ କରୁଛି।
ଏହି ଚଢ଼ଉରେ ଏସ୍ଆଇ କମଳଲୋଚନ ମାଝୀ, ଏସ୍ଆଇ ଭାନୁପ୍ରିୟା ମହାନ୍ତି, ଏଏସ୍ଆଇ ଯୋଗେଶ୍ବର ଧରୁଆ ପ୍ରମୁଖ ସାମିଲ୍ ଥିଲେ।