ବେଆଇନ କ୍ରସରରୁ ସ୍କ୍ରାପ ପରିବହନ ବେଳେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗାଡ଼ି ଚାଳକର ଶୋଚନୀୟ ମୃତ୍ୟୁ

ଚଢ଼େଇଧରା : ବେଆଇନ କ୍ରସରରୁ ସ୍କ୍ରାପ୍‌ ପରିବହନ ସମୟରେ ବିଦ୍ୟୁତ୍‌ ତାର ଲାଗି ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ରାହାଡ଼ପୁର ପାହାଡ଼ ପାଦଦେଶରେ ଥିବା ବେଆଇନ ଭିକି ଷ୍ଟୋନ କ୍ରସର ନିକଟରେ ଘଟିଛି ଏହି ଅଘଟଣ। ଟ୍ରକ (ଓଡି ୦୪ ଡି ୯୫୯୮) ରେ ସ୍କ୍ରାପ୍‌ ପରିବହନ କରୁଥିବା ସମୟରେ ଡାଲା ଉପରକୁ ଉଠିଥିବା ଲୁହା ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗିଯାଇଥିଲା। ଫଳରେ ଗାଡ଼ିରେ ବିଦ୍ୟୁତ୍‌ ସଂଚାରିତ ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ମୃତ ଡ୍ରାଇଭର ସୁନାକର ଟୁଡୁଙ୍କ ଘର କଳିଆପାଣି।

ଏହି ବେଆଇନ କ୍ରସରଟିକୁ ବଡ଼ ଆକାରରେ ବସାଇବା ଲାଗି ମାଲିକ କାମ ଚାଲୁରଖିଛନ୍ତି। ପୁରୁଣା ହମ୍ପର କାଢି ନୂଆ ହମ୍ପର ବସାଯାଇଛି। ଏହି ପୁରୁଣା ସ୍କ୍ରାପ୍‌ ଲୁହାକୁ ଏକ ଟ୍ରକରେ ଅନ୍ୟତ୍ର ପରିବହନ କରାଯାଉଥିଲା। କ୍ରସର ଠାରୁ ଏକ କିମି ଦୂରରେ ରାହାଡ଼ପୁର ଗ୍ରାମ ନିକଟରେ ଶକ୍ତିଶାଳୀ ୧୧ କେଭି ବିଦ୍ୟୁତ୍‌ ତାର ଡାଲା ଉପରକୁ ଉଠିଥିବା ଲୁହାରେ ଲାଗିଯାଇଥିଲା। ଘଟଣାସ୍ଥଳରେ ହିଁ ଚଳକ ସୁନାକରଙ୍କ ମୃତ୍ୟୁ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଘଟଣ ଘଟିବା ପରେ କ୍ରସର ମାଲିକଙ୍କ ପକ୍ଷରୁ ଏକ କ୍ୟାମ୍ପର ଗାଡ଼ିରେ ଚାଳକଙ୍କ ମୃତଦେହକୁ ଅନ୍ୟତ୍ର ନେଇଯାଇ ଘଟଣାକୁ ଚାପିଦେବାକୁ ଉଦ୍ୟମ ହୋଇଥିଲା। ଏଭଳି ଅଭିଯୋଗ ହେଉଥିବାବେଳେ ସ୍ଥାନୀୟ ଲୋକେ ଜେନାପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏ ସଂକ୍ରାନ୍ତରେ ୨୭୭/୨୧ ନମ୍ବରରେ ଏକ ଅପମୃତ୍ୟ ମାମଲା ରୁଜୁକରି ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ରାହାଡ଼ପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମ ମଧ୍ୟ ଦେଇ ଯାଇଥିବା ଶକ୍ତିଶାଳୀ ବିଦ୍ୟୁତ୍‌ ତାରକୁ ବଦଳାଇ କେବୁଲ ବ୍ୟବହାର କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର