ବୌଦ୍ଧ/ବାଉଁଶୁଣି/ସ‌ାହାଜପାଲ: ପାଳଗଦା ନିଆଁରେ ଜିଅନ୍ତା ଜଳିଯାଇଛନ୍ତି ଦୁଇ ନିଷ୍ପାପ ଶିଶୁପୁତ୍ର। ଶନିବାର ସନ୍ଧ୍ୟାରେ ବୌଦ୍ଧ ସଦର ବ୍ଲକ୍‌ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗାଁର ଏହି ହୃଦୟ ବିଦାରକ ଘଟଣାରେ ଲୋକେ ହତବାକ୍‌ ହୋଇ ଯାଇଛନ୍ତି। ମୃତ ଦୁଇ ଶିଶୁ ହେଲେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରିଷ୍ଣ‌ା ଭୋଇ (୭ବର୍ଷ) ଏବଂ ବୌଦ୍ଧ ବ୍ଲକ‌୍ ବନ୍ଧାପଥର ପଞ୍ଚାୟତ ବସନ୍ତବାହାଲ ଗ୍ରାମର ସଞ୍ଜିତ ଉର୍ମାଙ୍କ ପୁଅ କ୍ରିଷ୍ଣା ଉର୍ମା (୮ବର୍ଷ)। ଉଭୟ ସମ୍ପର୍କରେ ମାମୁ, ଭଣଜା ହେବେ ବୋଲି ଜଣାପଡ଼ିଛି। ଖବର ପାଇ ବାଉଁଶୁଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୁଖମନ୍ତ୍ରୀ ମୋହନଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ  ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Advertisment

ସୂଚନା ମୁତାବକ, କ୍ରିଷ୍ଣା ଉର୍ମା ମାମୁଘରକୁ ବୁଲି ଆସିଥିଲେ। ଶନିବାର ସନ୍ଧ୍ୟାରେ ଏକ ପାଳଗଦା ନିକଟରେ କ୍ରିଷ୍ଣା ତାଙ୍କ ମାମୁ ସତ୍ୟମଙ୍କ ସହ ଖେଳୁଥିଲେ। ଏହି ସମୟରେ କୌଣସି କାରଣରୁ ପାଳଗଦାରେ ନିଆଁ ଲାଗି ଯାଇଥିଲା। ଦୁହେଁ ପାଖରେ ଥିବା ଏକ ଗାତରେ ପଡ଼ିଯାଇ ଆଉ ଉପରକୁ ଉଠି ପାରନିଥିଲେ। ଫଳରେ ଉଭୟ ନିଆଁରେ ସମ୍ପୂର୍ଣ୍ଣ ପୋଡ଼ିଯାଇ ପ୍ରାଣ ହରାଇଥିଲେ। ଦୁଇ ଅବୋଧ ଶିଶୁଙ୍କ ଅକାଳ ମୃତ୍ୟୁକୁ ନେଇ ପରିବାରରେ କାନ୍ଦବୋବାଳି ପଡ଼ିଥିବାବେଳେ ପୂରା ଗାଁ ଲୋକେ ଦୁଃଖରେ ମିୟମ୍ରାଣ ହୋଇ ପଡ଼ିଛନ୍ତି। ଖବର ପାଇ ପୁଲିସ ସେଠାରୁ ଦୁଇ ପୋଡ଼ା ଶବକୁ ବାଉଁଶୁଣି ଡାକ୍ତରଖାନା ଆଣିଛି। ପଞ୍ଚନାମା ପରେ ରବିବାର ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।