ମିଳିଲାନି ଆଇସିୟୁ, ଆମ୍ବୁଲାନ୍ସ ଭିତରେ ଚାଲିଗଲା ପ୍ରାଣ
୧୮ ଦିନ ତଳେ ହୋଇଥିଲା ବିବାହ
ବାଲିପାଟଣା : ହାତରୁ ମେହେନ୍ଦି କି ପାଦରୁ ଅଳତା ଲିଭି ନଥିଲା। ମାତ୍ର ୧୮ ଦିନ ତଳେ ବୋହୂ ହୋଇ ଆସିଥିଲେ ଶାଶୂଘରକୁ। କିନ୍ତୁ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଲେ ନବବଧୂ। ତାଙ୍କ ଶରୀରରେ ଅକ୍ସିଜେନ ସ୍ତର କମିଗଲା। କରୋନା ହୋଇଥିବ ଭାବି ପରିବାର ଲୋକେ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ ଅକ୍ସିଜେନ ଲଗାଇ ହସ୍ପିଟାଲକୁ ନେଇ ଆସିଲେ। କିନ୍ତୁ ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଏତେ ବଡ଼ ବଡ଼ ହସ୍ପିଟାଲ ଥିଲେ ବି କେଉଁ ଗୋଟିକରେ ଆଇସିୟୁ ଶଯ୍ୟା ମିଳିଲାନି। ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ଲାଗିଥିବା ଅବସ୍ଥାରେ ଦୀର୍ଘ ୮ ଘଣ୍ଟା କାଳ ରାଜଧାନୀ ଓ ଉପକଣ୍ଠର ଗୋଟିଏ ପରେ ଗୋଟିଏ ୯ଟି ମେଡିକାଲ ବୁଲିଲେ। ଶେଷରେ ଆମ୍ବୁଲାନ୍ସ ଭିତରେ ସେମିତି ଗୁରୁତର ଅବସ୍ଥାରେ ପଡ଼ି ରହି ତାଙ୍କର ପ୍ରାଣ ଚାଲିଗଲା। ମୃତ ନବବଧୂ ଜଣକ ହେଲେ କୁରୁଞ୍ଜିପୁର ପଞ୍ଚାୟତ ଇନ୍ଦୋଳକୁସିଆରି ଗ୍ରାମର ବିଷ୍ଣୁଚରଣ ଭୋଳଙ୍କ ପତ୍ନୀ ସ୍ବର୍ଣଲତା ପାଳ (୨୫)। ଜଣେ ନବବିବାହିତାଙ୍କ ଏଭଳି ଦୁଃଖଦ ମୃତ୍ୟୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ତା' ସହିତ କରୋନା କାଳରେ ରାଜଧାନୀରେ ବି ସ୍ୱାସ୍ଥ୍ୟ ସେବା କେମିତି ବିପର୍ଯ୍ୟସ୍ତ ହୋଇପଡ଼ିଛି, ତାହାର ଏକ ବାସ୍ତବ ଚିତ୍ରକୁ ପଦାରେ ପକାଇ ଦେଇଛି।
ସୂଚନା ଅନୁସାରେ, ରାଜସ୍ବ ବଡ଼ ପାଳସାହି ଗ୍ରାମର ବେଣୁଧର ପାଳଙ୍କ ଝିଅ ସ୍ବର୍ଣ୍ଣଲତା ଗତ ମାସ ୨୮ ତାରିଖରେ ବିଷ୍ଣୁଙ୍କୁ ବିବାହ କରିଥିଲେ। କିଛି ଦିନ ହେବ ତାଙ୍କୁ ଜର ହୋଇଥିଲା। ଘରେ ରହି ଔଷଧ ଖାଉଥିଲେ। କିନ୍ତୁ ଜର କମି ନ ଥିଲା। ଶନିବାର ସକାଳେ ସ୍ବର୍ଣ୍ଣଲତା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ପ୍ରଥମେ ନିକଟସ୍ଥ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ରେଫର କରାଯାଇଥିଲା। ତେବେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ତାଙ୍କୁ କଟକ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ପରିବାର ଲୋକେ କଟକ ନ ନେଇ ଭୁବନେଶ୍ୱରର ଆମ୍ରି, ଏମ୍ସ, ବାଣୀବିହାର ନିକଟସ୍ଥ ଏକ ଘରୋଇ କ୍ଲିନିକ, ପୁଣି ଏମ୍ସ, ସମ୍, ଅଠାନ୍ତର ମେଡିକାଲ ଏମିତି ଗୋଟିକ ପରେ ଗୋଟିଏ ମେଡିକାଲ ବୁଲାଇଥିଲେ। ମାତ୍ର କେଉଁଠି କୋଭିଡ ରିପୋର୍ଟ ନ ଥିବାରୁ ତ ଆଉ କେଉଁଠି ଆଇସିୟୁ ଶଯ୍ୟା ନଥିବାରୁ କୌଣସି ହସ୍ପିଟାଲରେ ତାଙ୍କୁ ସ୍ଥାନ ମିଳି ନ ଥିଲା।
ହତାଶ ହୋଇ ପରିବାର ଲୋକେ ଅପରାହ୍ନ ଅଢେଇଟାରେ ପୁଣି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଏବଂ ଏଠାରେ ଡିୟୁଟିରେ ଥିବା ଡାକ୍ତରଙ୍କୁ ବେଡ଼ରେ ରଖିବା ପାଇଁ ବାଧ୍ୟ୍ୟ କରି ହୋହଲ୍ଲା କରିଥିଲେ। ତେବେ ସେତେବେଳକୁ ସ୍ବର୍ଣ୍ଣଲତାଙ୍କ ଶରୀରରେ ଅକ୍ସିଜେନ୍ ମାତ୍ରା କମି ୨୬%କୁ ଖସି ଆସିଥିବା ଦେଖି ଡ୍ୟୁଟିରେ ଥିବା ଡାକ୍ତର ରତିକାନ୍ତ ସ୍ୱାଇଁ ତୁରନ୍ତ କଟକ ନେବା ପାଇଁ କହିଥିଲେ। ହେଲେ ସମ୍ପର୍କୀୟମାନେ ଶୁଣି ନ ଥିଲେ। ସୂଚନା ପାଇ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସେଠାରେ ପହଞ୍ଚି କ୍ୟାପିଟାଲ ହସ୍ପିଟାଲ ନେବା ପାଇଁ କହିଥିଲେ। ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ପୁନର୍ବାର କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କର କୋଭିଡ୍ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଆସିଲା। କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସନ୍ଧ୍ୟା ପ୍ରାୟ ୬ ଟାରେ ସେହି ଆମ୍ବୁଲାନ୍ସ ଭିତରେ ହିଁ ସ୍ବର୍ଣଲତାଙ୍କ ମୃତ୍ୟୁ ହୋଇ ଯାଇଥିଲା।