ରାୟଗଡ଼ା: ରାୟଗଡ଼ା ରେଲୱେ ଓଭରବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଜାତୀୟ ରାଜପଥରେ ଚଳାଚଳ ବ୍ୟାହତ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଟ୍ରକକୁ ରାସ୍ତାରୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛି। ଜାତୀୟ ରାଜପଥରେ ଚଳାଚଳ ବାଧାପ୍ରାପ୍ତ ହେବା ପରେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ସମସ୍ତ ଯାନବାହନ ଓଭରବ୍ରିଜର ଉଭୟ ପାର୍ଶ୍ବରେ ଅଟକି ରହିଛି।

Advertisment

ରାତି ୯ଟା ୪୫ ମିନିଟରେ ଏକ ମାଲବ‌ୋଝେଇ ଟ୍ରକ୍ ରାୟଗଡ଼ାର ଜେକେ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତି ଦିଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇବାରୁ ଓଭରବ୍ରିଜ୍ ବୁଲାଣିରେ ଧକ୍କା ହୋଇଥିଲା। ଉଭୟ ଟ୍ରକର ଗତି ଏତେ ତୀବ୍ର ଥିଲା ଯେ ଦୁର୍ଘଟଣା ପରେ ଉଭୟ ଟ୍ରକ୍ ଓଭରବ୍ରିଜ୍ ଉପରେ ବୁଲି ଯାଇଥିଲା। ଫଳରେ ଓଭରବ୍ରିଜ୍ ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣାରେ ଏକ ଟ୍ରକର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟ୍ରକର ଡ୍ରାଇଭର ଚାପି ହୋଇ ରହି ଯାଇଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ରକ୍ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଉଭୟ ଟ୍ରକର ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ମଧ୍ୟ ପରିଚୟ ମିଳିପାରିନି। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଟ୍ରକକୁ ରାସ୍ତାରୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରାତିରେ ବହୁ ଭାରିଯାନ ସମେତ ଦୂରଗାମୀ ବସ୍ ରାୟଗଡ଼ା ଦେଇ ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।