ପୀଡ଼ିତା ନାବାଳିକାଙ୍କ ମୁହଁରେ ନିର୍ଯାତନାର କରୁଣ କାହାଣୀ : ଦେହ ବ୍ୟବସାୟରେ ଲଗାଇଥିଲେ ପାର୍ଲର ମାଲିକାଣୀ

ଯାଜପୁରସଦର/ବ୍ୟାସନଗର : ବ୍ୟାସନଗରରେ ଜଣେ ପାର୍ଲର ମାଲିକାଣୀଙ୍କ ଦ୍ବାରା ଚାଲିଥିବା ସେକ୍ସ ରାକେଟ୍‌ ଉପରୁ ପରଦା ହଟିଛି। କାମ ଦେବା ବାହାନାରେ ଆଣି ଜଣେ ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଥିଲେ। ନାବାଳିକା ଜଣକ ଏକ ଶିଶୁକନ୍ୟାକୁ ଜନ୍ମଦେବା ସହ ତା’ଉପରେ ହୋଇଥିବା ଅକଥନୀୟ ନିର୍ଯାତନାର କାହାଣୀ ପୁଲିସକୁ ଜଣାଇବା ପରେ ପାର୍ଲର ମାଲିକାଣୀଙ୍କ କାରନାମା ପଦାରେ ପଡ଼ିଛି। ଯାଜପୁରରୋଡ଼ ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ଗଞ୍ଜାମ ‌ପୋଲସରା ଅଞ୍ଚଳର ଜଣେ ନାବାଳିକା ପିଲାଦିନରୁ ମା’ଙ୍କୁ ହରାଇଥିଲେ। ଫୋନ୍‌ରେ ବାର୍ତ୍ତାଳାପ କରିବାକୁ ନେଇ ପରିବାର ଲୋକେ ଗାଳି ଦେବାରୁ ନାବାଳିକା ଜଣକ ଘରୁ ଚାଲିଆସିଥିଲେ। ଭୁବନେଶ୍ବରର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଣେ ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ମହିଳା ଜଣକ ଘରେ କାମ କରିବାକୁ ଡାକିନେଇ କେନ୍ଦ୍ରାପଡ଼ାରେ ବିକ୍ରି ଦେଇଥିଲେ। ସେଠାରେ ବନ୍ଧୁକ ଦେଖାଇ ତାଙ୍କୁ ଜୋର୍‌ଜବରଦସ୍ତ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା। ଏହାପରେ ୨୦୧୯ ଜାନୁଆରିରେ ଯାଜପୁରରୋଡର ଜଣେ ପାର୍ଲର ମାଲିକାଣୀଙ୍କ ନିକଟକୁ ନାବାଳିକାକୁ ପଠାଇ ଦିଆଯାଇଥିଲା। ଏଠାରେ ମଧ୍ୟ ସଂପୃକ୍ତ ନାବାଳିକାଙ୍କୁ ପାର୍ଲର ମାଲିକାଣୀ ଦେହ ବ୍ୟବସାୟରେ ଲଗାଇଥିଲେ।

ପାର୍ଲର ମାଲିକାଣୀ ଅନ୍ୟ ଯୁବତୀଙ୍କୁ ମଧ୍ୟ ଏହି କାରବାରରେ ଲଗାଇଥିବା ଦେଖି ଏଠାରୁ ଖସିବାର ଉପାୟ ଚିନ୍ତା କରୁଥିଲେ ଏହି ପୀଡ଼ିତା ନାବାଳିକା। ଏହି ସମୟ‌‌ରେ ଭଉଣୀ ବାହାଘର ଥିବାରୁ ନାବାଳିକା ଜଣକ ନିଜ ଘରକୁ ଚାଲିଯାଇଥିଲେ। ତେବେ ପାର୍ଲର ମାଲିକାଣୀ ସବୁକଥା ପ୍ରଘଟ କରିଦେବାର ଧମକ ଦେଇ ପୁଣି ବ୍ୟାସନଗରକୁ ଡକାଇ ଆଣିଥିଲେ। ଦେହ ବ୍ୟବସାୟରେ ନିୟୋଜିତ ନାବାଳିକା ଜଣକ ଗର୍ଭବତୀ ହୋଇଥିବାବେଳେ ଡାକ୍ତରଙ୍କ ଅସହଯୋଗ ଯୋଗୁଁ ଗର୍ଭନଷ୍ଟ କରାଇ ପାରିନଥିଲେ। ଏଭଳି କି ପ୍ରସବର ଘଣ୍ଟାଏ ପୂର୍ବରୁ ମଧ୍ୟ ସଂପୃକ୍ତ ନାବାଳିକାକୁ ଜଣେ ଗ୍ରାହକଙ୍କ ହାତରେ ଟେକି ଦିଆଯାଇଥିଲା।

ଗତ୧୫ ତାରିଖରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ପାର୍ଲର ମାଲିକାଣୀ ସମସ୍ତଙ୍କ ଅଗୋଚରରେ ଡାକ୍ତରଖାନାରୁ ନାବାଳିକାଙ୍କୁ ନେଇ ପୁନର୍ବାର କାମରେ ଲଗାଇଥିଲେ। ଏହି ନରକ ଯନ୍ତ୍ରଣାରୁ ମୁକ୍ତି ପାଇଁ ମାନସିକ ପ୍ରସ୍ତୁତି କରି ପୀଡ଼ିତା ନିଜ ନବଜାତ ଶିଶୁକନ୍ୟାକୁ ଧରି ସେଠାରୁ ଗତକାଲି ଯାଜପୁରରୋଡ ପୁଲିସର ଦ୍ବାରସ୍ଥ ହୋଇଥିଲେ। ଘଟଣା ସଂପର୍କରେ ଅବଗତ ହେବା ପରେ ପୁଲିସ ଉଭୟ ମା’ ଝିଅଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ କେନ୍ଦ୍ରରେ ଛାଡ଼ିଛି।

ଏନେଇ ଯାଜପୁରରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରଯିବାରେ ପୀଡ଼ିତାଙ୍କୁ ସିଡବ୍ଲୁସିରେ ହାଜର ପାଇଁ ପଠାଯାଇଛି। ସେଠାରୁ କାଉନସେଲିଂ ‌ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟାସନଗରର ଜନଗହଳିପୂର୍ଣ୍ଣ ହୁଡ଼ିସାହିରେ ଦୀର୍ଘଦିନ ହେଲା ଏହି ମହିଳା ଜଣକ ସେକ୍ସ ରାକେଟ ଚଳାଇ ଆସୁଥିଲେ। ଏ ନେଇ ଜଣେ ମହିଳା ପୂର୍ବରୁ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଜୋରଜବରଦସ୍ତ ସେକ୍ସ ରାକେଟ୍‌ରେ ନିୟୋଜିତ କରି ଅନେକ ଜୀବନ ନଷ୍ଟ କରିଥିବା ଏହି ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର