ଟ୍ରେନ୍‌ ଦୁର୍ଘଟଣାର କରୁଣ କାହାଣୀ

ଭୟ ମାରିଦେଲା ଭୋକ

ହଠାତ୍‌ ଦୁର୍ଘଟଣା ଘଟିଲା। ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଲା। ଗାଁ ଲୋକ ଟ୍ରେନ୍‌ ଲାଇନ୍‌ ଆଡ଼କୁ ଦୌଡ଼ିଲେ। ସେଠାରେ ଯାଇ ଟର୍ଚ୍ଚ ଆଲୁଅରେ ଯାହା ଦେଖିଲେ, ହତବାକ୍‌ କରିଦେବା ଭଳି ଥିଲା। କିଏ ମରିପଡ଼ିଥିଲା ତ ଆଉ କିଏ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଯନ୍ତ୍ରଣାରେ ଚିତ୍କାର କରୁଥିଲା। ଆହତମାନଙ୍କୁ ଗାଁର ପୁରୁଷମାନେ ଉଦ୍ଧାର କରି ପାଖ ବିଲକୁ ବୋହିନେଲେ। ଏମିତି କି କିଛି ଆହତଙ୍କୁ ଆମ ଘରକୁ ନେଇଗଲୁ। ସେଠ‌ାରେ ତମ୍ବୁ ପକାଇ ସେମାନଙ୍କର ଚିକିତ୍ସା କଲୁ। ଘରେ ରୋଷେଇ କରି ଖାଇବାକୁ ଦେଲୁ। ହେଲେ କେହି କିଛି ଖାଇଲେନି। ସତେଯେମିତି ସେମାନଙ୍କ ଭୋକକୁ ଭୟ ମାରିଦେଇଥିଲା ବୋଲି କହିଛନ୍ତି କୃଷ୍ଣପୁର ଗ୍ରାମର ସାବିତ୍ରୀ ମଲ୍ଲିକ।

 

ରକ୍ତଛିଟା ତକିଆରେ ମୃତ୍ୟୁର ବୟାନ
ସଂଧ୍ୟା ହୋଇଆସୁଥାଏ। ଏସି ବଗିର ଅନେକ ଲୋକ ରେଳ ବିଭାଗ ପକ୍ଷରୁ ଦିଆଯାଇଥିବା ଧଳା ତକିଆରେ ମୁଣ୍ଡ ରଖି ଗଡ଼ିଥାଆନ୍ତି। ନିଦରେ ନୁହେଁ, ଖାଲି ଆଖି ବୁଜି କିଏ କେତେ କ’ଣ ଭାବୁଥାଆନ୍ତି। ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେଲା। ଦୁର୍ଘଟଣା ଘଟିଲା। ରେଳଡବାଗୁଡ଼ିକ ଯେମିତି ଶୂନ୍ୟକୁ ଉଠିଗଲା। ବାସ୍‌ ତା’ପରେ ଯାହା ଦୃଶ୍ୟ ଥିଲା, ତାହା କାହାର ବି ଛାତିକୁ ଥରାଇ ଦେବା ପାଇଁ ଯଥେଷ୍ଟ। ଦେଖାଗଲା ଠାଏଠାଏ ରକ୍ତରେ ଭିଜା ମୃତଦେହ ପଡ଼ିଥିଲା। ତକିଆ ସବୁ ବି ଛିଟିକି ପଡ଼ିଥିଲା ଏଣେତେଣେ। ଯେଉଁମାନେ ସେ ତକିଆରେ ମୁଣ୍ଡ ରଖି ଗଡ଼ିଥିଲେ, ସେମାନେ ସବୁଦିନ ପାଇଁ ଶୋଇଯାଇଥିଲେ। କାଲିର ହୃଦୟବିଦାରକ ଘଟଣାକୁ ଆଜି ବୟାନ କରୁଥିଲା ରକ୍ତର ଛିଟା ଲାଗିଥିବା ସେଇ ତକିଆ ସବୁ।

 

ଶବ ପକେଟ୍‌ରେ ବାଜିଲା ଫୋନ୍‌
ସୋର ଡାକ୍ତରଖାନାରେ ଗଦା ହୋଇ ପଡ଼ିଥିଲା ଶବ। ହଠାତ୍‌ ମୃତ ପଶ୍ଚିମବଙ୍ଗ ମୁର୍ସିଦାବାଦର ମୁନସୀ ଟୁଡୁଙ୍କ ପ୍ୟାଣ୍ଟ ପକେଟ୍‌ରେ ମୋବାଇଲ୍‌ ବାଜିଥିଲା। ସେଠାରେ ଉପସ୍ଥିତ ଥିବା ଡାକ୍ତର କି ଡାକ୍ତରଖାନା କର୍ମଚାରୀ‌; କେହି ବି ଫୋନ୍‌ ଉଠାଇବାକୁ ସାହସ କରି ନଥିଲେ। ତେବେ ଡାକ୍ତରଙ୍କ ନିର୍ଦ୍ଦେଶ ମୁତାବକ ଜଣେ ସିକ୍ୟୁରିଟି ଗାର୍ଡ ଫୋନ୍‌ ଉଠାଇଲେ। ସେପଟୁ କେହିଜଣେ ବିକ‌ଳ କଣ୍ଠରେ ପଚାରୁଥିଲେ, ବାପା ତୁ ଭଲ ଅଛୁ ତ..? ତୋର କିଛି ହୋଇନି ତ? ସିକ୍ୟୁରିଟି ଗାର୍ଡ ଜଣକ କହିଲେ; ଆଜ୍ଞା ମୋତେ ଆପଣ ଯିଏ ଭାବୁଛନ୍ତି, ମୁଁ ସେ ନୁହେଁ। ଯାହାଙ୍କୁ ଫୋନ୍‌ କରୁଛନ୍ତି, ସେ ଆଉ ଏ ଦୁନିଆରେ ନାହାନ୍ତି। ମୃତ୍ୟୁ ଖବର ଶୁଣି ମୁନସୀଙ୍କ ଶୋକସନ୍ତପ୍ତ ପରିବାର ଲୋକ ସୋରରେ ପହଞ୍ଚିଥିଲେ ଏବଂ ଶବ ନେଇ ଘରକୁ ଯାଇଥିଲେ।

୭ ଜଣରୁ ଆଖିବୁଜିଲେ ୫
ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଜିଲ୍ଲାର ୭ ଜଣ ସାଥି କରମଣ୍ଡଳ ଏକ୍ସପ୍ରେସ୍‌ରେ ସାଙ୍ଗ ହୋଇ କେରଳକୁ ରାଜମିସ୍ତ୍ରୀ କାମ କରିବା ପାଇଁ ଯାଉଥିଲେ। ହେଲେ ଦୁର୍ଘଟଣାରେ ସାଙ୍ଗମାନଙ୍କ ମଧ୍ୟରୁ ବର୍ଦ୍ଧମାନ ଜିଲ୍ଲାର ଛୋଟା ସର୍ଦାର, ସାଞ୍ଜିତ ସର୍ଦାର, କଲେଜ ସର୍ଦାର, ସିଷ୍ଟି ରାୟଙ୍କ ସହ ୫ ଜଣଙ୍କ ଜୀବନ ଚାଲିଗଲା। ତେବେ ସାହାପରା କାରୁଇ ଗ୍ରାମର ସୁଜିତ ରାୟ (୨୮) ଓ ସୁଖଲାଲ ସାରଦାର (୪୮) ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆଖି ଆଗରେ ସାଙ୍ଗଙ୍କ ମୃତ୍ୟୁକୁ ଦେଖି ସୁଜିତ ଓ ସୁଖଲାଲ କହୁଥିଲେ, ଜଗନ୍ନାଥ ଆମକୁ ବଞ୍ଚାଇଦେଲେ।

କାନ୍ଦି କାନ୍ଦି ପୁଅର ଶବ ଖୋଜୁଥିଲେ ବାପା
ଶବର ପାହାଡ଼ ଭିତରୁ ଜଣେ ବାପା ଆଜି ପୁଅର ଶବକୁ ଖୋଜୁଥାଏ। ଗୋଟିଏ ପରେ ଗୋଟିଏ ଶବର ମୁହଁରୁ ଲୁଗା ହଟାଇ ଦେଖୁଥାଏ ବାପା। ହେଲେ, ଏହାଭିତରୁ ପୁଅକୁ ନପାଇ ବାପା ଜଣକ ବାହୁନି ବାହୁନି କାନ୍ଦୁଥାଏ। ଆଉ କହୁଥାଏ, କରମଣ୍ଡଳରେ ପୁଅ ଚଢ଼ିଥିଲା, ହେଲେ ପୁଅ ଆଉ ଘରକୁ ଫେରିଲାନି। ଦୁର୍ଘଟଣା ଖବର ଟିଭିରୁ ଦେଖି ଧାଇଁ ଆସିଲି। ହେଲେ ପୁଅ ଏଠାରେ ମିଳୁନାହିଁ। ମୁଁ ବେଶି ପାଠ ପଢ଼ିନାହିଁ। ମୋ ପୁଅର ଖବର ପାଇଲେ ଦୟାକରି ମୋତେ ଜଣାଇବେ। ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଗ ଅଞ୍ଚଳର ଜଣେ ବୁଢ଼ା ବାପାର ବାପାର ଏଭଳି ଛାତିଫଟା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା।

 

 

ପାଇଖାନା କୋଣରେ ୪ ବର୍ଷ ଝିଅ
ଶୁକ୍ରବାର ରାତି ୪ଟା ଯାଏ ପାଖାପାଖି ୨୭/୨୮ ଜଣଙ୍କୁ ଉଦ୍ଧାର କରିଛି। ଏହି ଉଦ୍ଧାର ବେଳେ ସବୁଠୁ କଷ୍ଟଦାୟକ ଥିଲା ପାଇଖାନା କୋଣରେ ଯେତେବେଳେ ଜଣେ ୪ ବର୍ଷର ଝିଅକୁ ଦେଖିଲି। ଝିଅଟି ପାଖରେ କେହି ନଥିଲେ। ମା’ ଅଚେତ ଅବସ୍ଥାରେ ଗୋଟିଏ ସ୍ଥାନରେ ପଡ଼ିଥିଲେ। ଝିଅକୁ ଉଦ୍ଧାର କରିବାପରେ ମା’କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲି। ଏ ଦୃଶ୍ୟ ଓ ଦୁଃଖ ସତରେ ‌ଯନ୍ତ୍ରଣାଦାୟକ ଥିଲା। ସରକାରୀ ଭାବେ ଯେତିକି ମୃତ୍ୟୁ ସଂଖ୍ୟା କୁହାଯାଉଛି, ପ୍ରକୃତରେ ୫ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳର ଚକ୍ରଧର ଦାସ, ଜ୍ୟୋତିଷ କୁମାର ଜେନା ପ୍ରମୁଖ କହିଛନ୍ତି।

ଜାତୀୟ ରାଜପଥ ୨ ଘଣ୍ଟା ଜାମ୍‌
ଟ୍ରେନ୍‌ ଦୁର୍ଘଟଣାସ୍ଥଳକୁ ଆଜି ରାଜ୍ୟ ଓ କେନ୍ଦ୍ରୀୟ ନେତାଙ୍କ ଲମ୍ବା ଲାଇନ୍‌ ଲାଗିଥିବା ବେ‌ଳେ ବିଭିନ୍ନ ସୁରକ୍ଷା ଓ ପ୍ରବଳ ଜନ ସମାଗମ ଦୃଷ୍ଟିରୁ ଜାତୀୟ ରାଜପଥରେ ୨ ଘଣ୍ଟା ଯାତାୟତ ଠପ୍ ହୋଇଯାଇଥିଲା। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ମାର୍କୋଣାଠାରେ ଶହଶହ ଗାଡ଼ି ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ‌ଯେଉଁଥିରେ ପୁଲିସ, ଆମ୍ବୁଲାନସ, ରାଜନେତା, ରାଜ୍ୟ ଓ ଜାତୀୟସ୍ତରୀୟ ଗଣମାଧ୍ୟମ ସହ ସାଧାରଣ ଜନତା ଅଟକି ରହିଥିଲେ। ତେ‌ବେ କିଛି ସ୍ଥାନୀୟ ଯୁବକଙ୍କ ସହଯୋଗରେ ୨ ଘଣ୍ଟାର ପରିଶ୍ରମ ପରେ ଟ୍ରାଫିକ୍‌ ବ୍ୟବସ୍ଥା ସ୍ବଭାବିକ ହୋଇଥିଲା।

୭ କିମିକୁ ଆମ୍ବୁଲାନ୍ସ ଭଡ଼ା ୨୦ହଜାର!
ସ୍ଥାନୀୟ ଗୋପାଳପୁର ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତି ତାଙ୍କ ପୁଅର ମୃତଦେହ ଚିହ୍ନଟ କରିଥିବା ବେଳେ ସେଠାରେ ଥିବା ଏକ ଆମ୍ବୁଲାନ୍ସରେ ଘରକୁ ନେଇଯିବା ପାଇଁ କହିଥିଲେ। ବାହାନଗାରୁ ଗୋପାଳପୁରର ଦୂରତ୍ବ ହେଉଛି ମାତ୍ର ୭/୮ କିମି। ମାତ୍ର ବିପଦ ସମୟରେ ନିଜର ମାନବିକତାକୁ ଭୁଲିଯାଇ ଆମ୍ବୁଲାନ୍ସ ଡ୍ରାଇଭର ୧୫ ହଜାର ଟଙ୍କା ମାଗିଥିଲେ। ବୟସ୍କ ବ୍ୟକ୍ତି ଜଣକବାଧ୍ୟ ହୋଇ ପୁଅର ମୃତଦେହକୁ ଏକ ଅଟୋରେ ନେଇ ଯାଇଥିଲେ।

ପତ୍ନୀଙ୍କ ମୃତଦେହ ପାଇଲେ; ଝିଅ,ପୁତୁରାକୁ ପାଇଲେନି
ବଡ଼ଝିଅ ବିଷ୍ଣୁପ୍ରିୟ‌‌ା ଛଅମାସ ପୂର୍ବରୁ ଅପରେସନ୍‌ ହୋଇଥିଲା। ତାକୁ ଆଉଥରେ ଚେକ୍‌ଅପ କରିବାକୁ ଗତକାଲି ପତ୍ନୀ ଝରଣା ଓ ପୁତୁରା ସନ୍ଦୀପ କଟକ ହଳଦୀପଦା ଷ୍ଟେସନରୁ କରମଣ୍ଡଳ ଏକ୍ସପ୍ରେସ୍‌ ଜରିଆରେ କଟକ ଯାଉଥିଲେ। ତେବେ, ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇ ଆଜି ସକାଳେ ବାହାନଗା ହାଇସ୍କୁଲରେ ପହଞ୍ଚିଥିଲେ ବିନୋଦ ଦାସ। ଶତାଧିକ ମୃତଦେହକୁ ଗୋଟିଗୋଟି କରି ଖୋଜିବା ପରେ ପତ୍ନୀ ଝରଣାଙ୍କୁ ପାଇଗଲେ ସିନା କିନ୍ତୁ ସଂଧ୍ୟାପର୍ଯ୍ୟନ୍ତ ପୁତୁରା ଓ ଝିଅକୁ ପାଇନଥିବା ଦେଖାଯାଇଥିଲା।

ଦାଗ ହୋଇ ରହିଗଲା କରମଣ୍ଡଳ
କରମଣ୍ଡଳ ଏକ୍ସପ୍ରେସ୍‌ ୨୦୦୯ ମସିହାରେ ଯାଜପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ୧୬ ଜଣଙ୍କର ମୃତ୍ୟୁ ହେବାସହ ଶତାଧିକ ଲୋକ ଗୁରୁତର ଆହତ ହୋଇଥିଲେ। ସେବେଠାରୁ କରମଣ୍ଡଳ ଏକ୍ସପ୍ରେସ୍‌ ପ୍ରତି ଅହେତୁକ ଭୟ ରହିଥିଲା। କେବେବି ଏହି ଟ୍ରେନ୍‌ରେ ଘରକୁ ଆସୁନଥିଲେ ଯାଜପୁରରୋଡ଼୍‌ ଲାଛିପୁର ଅଞ୍ଚଳର ଶିବଶଙ୍କର ସାହୁ(୫୦)। କୋଲକାତାରେ ରହି ବ୍ୟବସାୟ କରନ୍ତି ଶ୍ରୀ ସାହୁ। ଯେବେ ଘରକୁ ଆସନ୍ତି ଜନଶତାବ୍ଦୀ ଟ୍ରେନ୍‌ରେ ଆସିଥା’ନ୍ତି। ହେଲେ, ସେଠାରେ ରହୁଥିବା ତାଙ୍କର ଦୁଇଜଣ ପଡ଼ୋଶୀ ଦୁଇଦିନ ପୂର୍ବରୁ କରମଣ୍ଡଳ ଏକ୍ସପ୍ରେସ୍‌ରେ ଆସିବାକୁ ତାଙ୍କୁ କହିଥିଲେ। ଗତକାଲି ସେମାନେ ଏହି ଟ୍ରେନ୍‌ରେ ଘରକୁ ଫେରୁଥିବା ବେଳେ ତାଙ୍କ ଯାତ୍ରା ଶେଷଯାତ୍ରା ହୋଇଗଲା। ଆଜି ବାହାନଗା ହାଇସ୍କୁଲକୁ ତାଙ୍କ ପରିବାର ଲୋକ ମୃତଦେହ ନେବାକୁ ଆସିଥିବା ବେଳେ ଏମିତି ଅଭିଯୋଗ କରିଥିଲେ ଶିବଶଙ୍କର।


କୁଢ଼କୁଢ଼ ଶବ ଭିତରେ ମୁହଁଖୋଜା

ଗତକାଲି ସଂଧ୍ୟାରେ ଦୁର୍ଘଟଣା ପରେ ମୃତାହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମୃତ ଯାତ୍ରୀମାନଙ୍କୁ ବାହାନଗା ହାଇସ୍କୁଲ, ବାଲେଶ୍ବର ସହର ଉପକଣ୍ଠ ନୋସି ବିଜ୍‌ନେସ ପାର୍କ ନିଆଯାଇଥିବା ବେଳେ ଆହତମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୋର ଡାକ୍ତରଖାନା ଆଦିରେ ଭର୍ତ୍ତି କରାଯାଇଥିବା ବେଳେ ଖବର ପାଇ ଆଜି ସକାଳେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀଙ୍କ ସମ୍ପର୍କୀୟମାନେ ଉକ୍ତ ସ୍ଥାନଗୁଡ଼ିକରେ ପହଞ୍ଚିଥିଲେ। କୁଢ଼ କୁଢ଼ ମୃତଦେହ ଭିତରୁ ଗୋଟି ଗୋଟି କରି ନିଜ ସମ୍ପର୍କୀୟଙ୍କ ମୁହଁ ଚିହ୍ନିବା ସତରେ ଭାରି ହୃଦୟ ବିଦାରକ ଥିଲା।

ବର୍ତ୍ତିଗଲେ ଦାଦନ ପରିବାର
ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ଜୀବନହାନି ହୋଇଥିବା ବେଳେ କାହାକାହାର ସମ୍ପୂର୍ଣ୍ଣ ପରିବାର ଉଜୁଡ଼ି ଯାଇଥିବା ଦେଖାଯାଇଛି। ହେଲେ, ପେଟ ପାଇଁ ବିହାର ନବାଦା ଜିଲ୍ଲାରୁ ଚେନ୍ନାଇକୁ ପୂରା ପରିବାର ଧରି ଦାଦନ ଖଟିବାକୁ ଯାଉଥିବା ୬ ଜଣ ଯାତ୍ରୀ ଏହି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବି ପୂରା ପରିବାରକୁ ଜୀବିତ ଅବସ୍ଥାରେ ଫେରି ପାଇପାରିଥିବା ଦେଖିବାକୁ ମିଳିଥିଲା। କରମଣ୍ଡଳ ଏକ୍ସପ୍ରେସ୍‌ର ଜେନେରାଲ ବଗିରେ ସେମାନେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ସମସ୍ତଙ୍କର ଟଙ୍କା‌, ପରିଚୟ ପତ୍ର, ବ୍ୟାଗ, ମୋବାଇଲ, ଖାଦ୍ୟ ସବୁକିଛି ହଜିଯାଇଛି ଏବଂ ସମସ୍ତେ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର