ସମ୍ବଲପୁର : ଟ୍ରେନ୍ ଧକ୍କାରେ ବୁଧବାର ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ରେଙ୍ଗାଲି ନିକଟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଫାଟକ ଷ୍ଟେସନ୍ ନିକଟରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସମ୍ବଲପୁର ଜିଆର୍ପି ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଦିନ ୧୧ଟା ସମୟରେ ରେଙ୍ଗାଲି ଏଲ୍ସି ଗେଟ୍ ନିକଟରେ ରେଳ ଧରଣା ପାର ହେଉଥିବା ବେଳେ ଏକ ମାଲ ବୋଝେଇ ଟ୍ରେନ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ଜିଆର୍ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ମୃତକ ଜଣକ ଗୋଲାମାଲ ଅଞ୍ଚଳର ମକରଧ୍ବଜ ସାହୁ(୪୩) ବୋଲି ଜଣାପଡ଼ିଛି।
ସେଭଳି ବଲାଙ୍ଗୀର-ଭୁବନେଶ୍ବର ସୁଫରଫାଷ୍ଟ ଏକ୍ସପ୍ରେସ୍ ଧକ୍କାରେ ବୁଧବାର ସନ୍ଧ୍ୟାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ଏଏନ୍ଗୁହା ଲେନ୍ର ଭବାନୀଶଙ୍କର ନାଗ(୩୧) ବୋଲି ଜଣାପଡ଼ିଛି। ସେ ମଧ୍ୟ ରେଳ ଧାରଣା ପାର୍ କରୁଥିବା ବେଳେ ଟ୍ରେନ୍ଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ଜିଆର୍ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ଗୁରୁବାର ଉଭୟଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜିଆର୍ପି ପୁଲିସ ପକ୍ଷରୁ କହାଯାଇଛି। ତେବେ ୨ ଦିନ ମଧ୍ୟରେ ସମ୍ବଲପୁର ଅଞ୍ଚଳରେ ଟ୍ରେନ୍ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ମଙ୍ଗଳବାର ରେଙ୍ଗାଲି ନିକଟରେ ରାଇର୍କେଲା ପାସେଞ୍ଜର ଧକ୍କାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଫାଟକ ଷ୍ଟେସନ୍ ନିକଟରେ ଆଉ ଏକ ଟ୍ରେନ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା।