ବାହାନଗା ଟ୍ରେନ ଟ୍ରାଜେଡି : ଉଡ଼ିଲା ବଗି, ୫ କି.ମି ଯାଏ ଶୁଭିଲା ଶବ୍ଦ; ଏଠି ସେଠି ପଡ଼ିଥିଲା ଛିଣ୍ଡା ହାତଗୋଡ଼

ବାହାନଗା: ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା କେବଳ ଓଡ଼ିଶା ନୁହେଁ, ପୂରା ଦେଶକୁ ସ୍ତବ୍ଧ କରିଦେଇଛି। ଶୁକ୍ରବାର ସଂଧ୍ୟା  ପ୍ରାୟ ସାଢ଼େ ୬ଟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ହୋଇଥିବା  ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା। ଦୁର୍ଘଟଣା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳଙ୍କ ଭିଡ଼ ଜମିଥିଲା। ଅନ୍ଧାର‌ ଯୋଗୁ କିଛି ଦିଶୁ ନଥିଲା। ଉଦ୍ଧାର କାର୍ଯ୍ୟ ମଧ୍ୟ ଠିକ୍‌ ଭାବେ ହୋଇପାରୁ ନଥିଲା। ଏପରି ସମୟରେ ପ୍ରାୟ ଦେଢ଼ଘଣ୍ଟା ପରେ ସ୍ଥାନୀୟ ପ୍ରଶାସନ ଏବଂ ବାହାନଗା ରେଳଷ୍ଟେସନ ପକ୍ଷରୁ ଆଲୁଅ ବ୍ୟବସ୍ଥା ହୋଇଥିଲା। ଆଉ ଆଲୁଅ ଜଳିବାପରେ ଏଠିସେଠି ଯାତ୍ରୀମାନଙ୍କ ଛିଣ୍ଡା ହାତଗୋଡ଼ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହା ଦେଖିବା ପରେ ସମସ୍ତେ ହତବାକ୍‌ ହୋଇଯାଇଥିଲେ।

ଉଡ଼ିଲା ବଗି, ୫ କି.ମି ଯାଏ ଶୁଭିଲା ଶବ୍ଦ
ସମୟ ୭ଟା ୫ ପାଖାପାଖି ହେବ। କରମଣ୍ଡଳ ଏକ୍ସପ୍ରେସ୍‌ ଅପ୍‌ ଟ୍ରେନ୍‌ ଏବଂ ଯଶୋବନ୍ତପୁର-ହାଓଡ଼ା ଟ୍ରେନ୍‌ ଡାଉନ୍‌ ଲାଇନ୍‌ରେ ଚାଲିଥିଲା। ଯାତ୍ରୀମାନଙ୍କ ମଧ୍ୟରୁ କିଏ ଶୋଇଥିଲେ, କିଏ ମୋବାଇଲ୍‌ ଦେଖୁଥିଲେ। ଆଉ କିଏ ଘର ଲୋକଙ୍କ ସହ କଥା ହେଉଥିଲେ। କିଏ ଖାଉଥିଲେ ତ କିଏ ଚା ପିଉଥିଲେ। ବାଲେଶ୍ବର ଜିଲ୍ଲା ବାହାନଗା ରେଳଷ୍ଟେସନ୍‌ ନିକଟ ପଣପଣାଠାରେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେଲା। ଟେନ୍‌ର ବଗିଗୁଡ଼ିକ ସତେଯେମିତି ପବନରେ ଉଡ଼ିବାକୁ ଲାଗିଲା। ଯାତ୍ରୀମାନେ କିଏ କେଉଁଆଡ଼େ ଛିଟିକି ପଡ଼ିଲେ, କିଛି ଠିକଣା ନଥିଲା। ଯେଉଁମାନେ ସଚେତନ ଥିଲେ, ସେମାନେ ଜାଣିଲେ ଯେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଭୟ ଟ୍ରେନ୍‌ ମଧ୍ୟରେ ହୋଇଥିଲା ଶକ୍ତ ଧକ୍କା। ଏହିସମୟରେ ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ୫ କିଲୋମିଟର ଦୂରକୁ ଶୁଭିଥିଲା। ସ୍ଥାନୀୟ ଲୋକ କେହି କିଛି ବୁଝିପାରି ନଥିଲେ। ହେଲେ, କେଇ ମିନିଟ୍‌ ପରେ ଘଟଣା ବିଷୟରେ ଜଣାପଡ଼ିଥିଲା।

ରକ୍ତଦେବାକୁ ପହଞ୍ଚିଲେ ଲୋ‌କେ
ଦୁର୍ଘଟଣା ପରେ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ବାହାନଗା ଓ ସୋର ଡାକ୍ତରଖାନା ସହ ବାଲେଶ୍ବର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ବାଲେଶ୍ବର ଡାକ୍ତରଖାନାରେ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ, ଦୁର୍ଘଟଣା ଯୋଗୁ ଗୁରୁତର ଯାତ୍ରୀଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଫଳରେ, ସେମାନଙ୍କ ପାଇଁ ରକ୍ତର ଆବଶ୍ୟକ ହୋଇଥିଲା। ବାଲେଶ୍ବର ରକ୍ତଭଣ୍ଡାରରେ ଯାହା ରକ୍ତ ଗଚ୍ଛିତ ଥିଲା, ସେଗୁଡ଼ିକ ସରିଯାଇଥିଲା। ଏପରିସମୟରେ ଅନେକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ରକ୍ତଦେବା ସହ ଜନସାଧାରଣଙ୍କୁ ରକ୍ତଦାନ କରିବା ପାଇଁ ସୋସିଆଲ୍‌ ମିଡିଆରେ ଆହ୍ବାନ ଦେଇଥିଲେ। ଫଳରେ, ମାତ୍ର କେଇ ମିନିଟ୍‌ ମଧ୍ୟରେ ଶତାଧିକ ଲୋକ ରକ୍ତ ଦେବାପାଇଁ ଡାକ୍ତରଖାନରେ ପହଞ୍ଚିଯାଇଥିଲେ।

ପାଗଳଙ୍କ ପରି ସାଙ୍ଗକୁ ଖୋଜୁଥିଲେ
ଦୁର୍ଘଟଣା ପରେ ଟ୍ରେନ୍‌ରେ ଯାତ୍ରା କରୁଥିବା ପରିବାରର ସଦସ୍ୟମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ବନ୍ଧୁ ବନ୍ଧୁଠାରୁ ଅଲଗା ହୋଇଯାଇଥିଲେ। କିଏ ବଞ୍ଚିଛି, କାହାର ଜୀବନ ଯାଇଛି; କିଛି ଜଣାପଡ଼ୁ ନଥିଲା। ଏପରି ସମୟରେ ସେମାନେ କାନ୍ଦି କାନ୍ଦି ପ୍ରିୟଜନଙ୍କୁ ଖୋଜୁଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ରଂଜନ ରାଉତ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସେ ମଧ୍ୟ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ରଂଜନ ସୋରର ତାଙ୍କ ବନ୍ଧୁ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କୁ ଫୋନ୍‌ ଯୋଗେ ଘଟଣା ବିଷୟରେ ଜଣାଇଥିଲେ ଏବଂ ପିଇବା ପାଣି ନେଇ ଆସିବାକୁ କହିଥିଲେ। ମୃତ୍ୟୁଞ୍ଜୟ ପାଣି ଧରି ୭ କିଲୋମିଟର ଦୂର ସୋରରୁ ଆସି ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରଂଜନଙ୍କୁ ପାଗଳଙ୍କ ପରି ଖୋଜିଥିଲେ। ହେଲେ, ମୃତାହତ ଓ ଶହ ଶହ ଆହତଙ୍କ ମଧ୍ୟରୁ ତାଙ୍କୁ ଖୋଜିପାଇ ନଥିଲେ। ସେହିସମୟର ଦୃଶ୍ୟ ବେଶ୍‌ ହୃଦୟବିଦାରକ ଥିଲା।

ସହାୟତାରେ ୨ ଜିଲ୍ଲାର ସ୍ବେଚ୍ଛାସେବୀ
ଭୟାବହ ଟ୍ରେନ୍‌ ଦୁର୍ଘଟଣା ଖବର ଚାରିଆଡ଼େ ବିଜୁଳି ବେଗରେ ପ୍ରଚାର ହୋଇଗଲା। ଫଳରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସହ ଆହତଙ୍କୁ ସାଙ୍ଗରେ ଆଣିଥିବା ଶୁଖିଲା ଖାଦ୍ୟ ଓ ପାଣି ଦେଇଥିଲେ। ସ୍ବେଚ୍ଛାସେବୀମା‌ନେ ଗାଡ଼ି କରି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରୁ ଯାଇଥିଲେ।

ମହାନତା ଦେଖାଇଲେ ଗାଡ଼ି ମାଲିକ
ଟ୍ରେନ୍‌ ଦୁର୍ଘଟଣାରେ ଆନେକ ଯାତ୍ରୀ ପ୍ରାଣ ହରାଇଲେ। ସେହିପରି ଶତାଧିକ ଯାତ୍ରୀ ଗୁରୁତର ଓ ଆହତ ହେଲେ। ତେବେ ସୌଭାଗ୍ୟବଶତଃ ଯେଉଁ ଯାତ୍ରୀମାନେ ଟ୍ରେନ୍‌ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ‌ସେମାନେ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବ୍ୟସ୍ତ ଓ ବିବ୍ରତ ହୋଇ ଉଠିଥିଲେ। ହେଲେ, ସେମାନଙ୍କ ପାଖରେ ସାଧନ ନଥିଲା। ଏପରି ସମୟରେ ବାଲେଶ୍ବର ଓ ଭଦ୍ରକ ସହ ଅନ୍ୟ ଜିଲ୍ଲାର ବସ୍‌ ମାଲିକ ଓ ଅନ୍ୟ ଗାଡ଼ିମାଲିକମା‌ନେ ମହାନତା ଦେଖାଇଥିଲେ। ସେମାନେ ନିଜ ଖର୍ଚ୍ଚରେ ଟ୍ରେନ୍‌ ଯାତ୍ରୀଙ୍କୁ ଭୁବନେଶ୍ବର ଓ କଲିକତା ନେବାର ବ୍ୟବସ୍ଥା କରିଥିଲେ। ଏପରି କାମ ପାଇଁ ବିଭିନ୍ନ ମହଲରୁ ଗାଡ଼ି ମାଲିକମାନଙ୍କୁ ସାଧୁବାଦ ଜଣାଯାଇଛି।

ସବୁ ଷ୍ଟେସନ୍‌ରେ ଯାତ୍ରୀ ହନ୍ତସନ୍ତ
ଟ୍ରେନ୍‌ ଦୁର୍ଘଟଣା ପରେ ଉଭୟ ରେଳପଥରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା। ସନ୍ଧ୍ୟା ସାଢ଼େ ୭ଟାଠାରୁ ଉଭୟ ଦିଗରୁ ଦକ୍ଷିଣପୂର୍ବ ରେଳବାଇ କର୍ତ୍ତୃପକ୍ଷ ଟ୍ରେନ ଚଳାଚଳ ବାତିଲ କରିଦେବାରୁ ଭଦ୍ରକ-ଖଡ଼ଗପୁର ମଧ୍ୟରେ ସବୁ ଷ୍ଟେସନରେ ବିଭିନ୍ନ ଟ୍ରେନରେ ନିଜ ନିଜର ଗନ୍ତବ୍ୟ ପଥକୁ ଯିବାକୁ ଅପେକ୍ଷା କରିଥିବା ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ। ସାଢ଼େ ୭ଟାରୁ ସବୁ ଷ୍ଟେସନରେ ବିଭିନ୍ନ ଟ୍ରେନ ଅଟକି ରହିଥିଲା। ଯାତ୍ରୀମାନେ ବସ୍‌ ସହିତ ବିଭିନ୍ନ ଗାଡ଼ିଭଡ଼ା କରି ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ଚାଲି ଯାଉଥିଲେ। ବସ୍‌ଗୁଡିକରେ ମଧ୍ୟ ଯାତ୍ରୀଙ୍କ ଭିଡ଼ ଯାହାକୁ ଯେତେ।

ଜନତା ପାଲଟିଲେ ଉଦ୍ଧାରକାରୀ
ବାହାନଗାଠାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ଆଖପାଖରେ ଥିବା ଗୋପାଳପୁର, ସୋର, ଖନ୍ତାପଡ଼ା ଆଦି ହସ୍‌ପିଟାଲକୁ ଆହତମାନଙ୍କୁ ନିଆଯାଇଥିଲା। ଉଦ୍ଧାର କାର୍ଯ୍ୟରେ ପ୍ରଶାସନ, ପୁଲିସ, ରେଳ କର୍ମଚାରୀ, ଅଗ୍ନିଶମ ବିଭାଗ, ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ସହ ସ୍ଥାନୀୟ ଜନସାଧାରଣ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଲାଗିଥିବା ଦେଖିବାକୁ ମିଳିଛି। ଏଭଳି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ବିଭିନ୍ନ ଦଳର ଲୋକ ପ୍ରତିନିଧିମାନେ ମଧ୍ୟ ଦୁର୍ଘଟଣା ସ୍ଥଳ ଓ ହସ୍‌ପିଟାଲରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।

ବାଲେଶ୍ବର ଜିଲ୍ଲା ହସ୍ପିଟାଲ୍‌ରେ ଜନସମୁଦ୍ର
ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ବାଲେଶ୍ବର ଜିଲ୍ଲା ହସ୍‌ପିଟାଲକୁ ଅଣାଯାଇଥିବା ବେଳେ ହସ୍‌ପିଟାଲ ପରିସର ଲୋକାରଣ୍ୟ ହୋଇଯାଇଛି। କାଜୁଆଲ୍‌ଟି ବିଭାଗ ଠାରୁ ଆରମ୍ଭ କରି ସର୍ଜରୀ ବିଭାଗ, ଏକ୍ସ-ରେ’ ବିଭାଗ, ସିଟି ସ୍କାନ୍‌, ନିଦାନ ବିଭାଗ, ରକ୍ତ ଭଣ୍ଡାର ଆଦି ସ୍ଥାନରେ ପ୍ରବଳ ଗହଳି ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ହସ୍‌ପିଟାଲ ପରିସର‌ରେ ସୁରକ୍ଷାକର୍ମୀ ଓ ପୁଲିସ ମୁତୟନ କରାଯାଇଥିବା ବେଳେ ସିଟି ଡିଏସ୍‌ପି ଗାୟତ୍ରୀ ପ୍ରଧାନ ଓ ହସ୍‌ପିଟାଲ ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ ଓ ଚିକିତ୍ସା କାର୍ଯ୍ୟ ତଦାରଖ କରିଥିଲେ।

ରାତିସାରା ଉଦ୍ଧାର କାର୍ଯ୍ୟ
ଦୁର୍ଘଟଣା ସ୍ଥଳରେ କିଟିମିଟି ଅନ୍ଧାର ହୋଇଥିବାରୁ ଦୀର୍ଘ ସମୟ ଯାଏ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶତାଧିକ ମୃତାହତଙ୍କୁ ‌ଓଲଟିଥିବା ବଗି ଭିତରୁ, ତଳୁ ଏବଂ ଆଖପାଖରୁ ଉଦ୍ଧାର କରାଯାଇଥିବା ବେଳେ ରାତିତମାମ ଏହି କାର୍ଯ୍ୟ ଜାରି ରହିଥିଲା। ବାହାନଗାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଜାତୀୟ ରାଜପଥ ଦେଇ ରାତିସାରା ଶତାଧିକ ଆମ୍ବୁଲାନ୍ସର ସୁଅ ଛୁଟୁଥିବା ଦେଖାଯାଇଥିଲା। ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ଲାଗି ଗୋଟିଏ ଗୋଟିଏ ଆମ୍ବୁଲାନ୍ସରେ ୩/୪ ଜଣ ଆହତମାନଙ୍କୁ ମଧ୍ୟ ଅଣାଯାଇଥିଲା।

ଏସ୍‌ସିବିରୁ ଗଲେ ୨୫ଜଣିଆ ଟିମ୍‌
ଆହତଙ୍କ ଚିକିତ୍ସା ପାଇଁ ଏସ୍‌ସିବି ସମେତ କଟକର ଆଇସିୟୁ ଥିବା ୧୦ରୁ ଅଧିକ ଘରୋଇ ହସ୍ପିଟାଲ୍‌କୁ ପ୍ରସ୍ତୁତ ରଖାଯାଇଛି। ଏଭଳି ପ୍ରାୟ ୧୦୦ଟି ଆଇସିୟୁ ବେଡ୍ ଆହତଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଏସସିବିର ସର୍ଜରି, ଅର୍ଥୋପେଡିକ୍‌ ଓ ନିଶ୍ଚେତକ ଡାକ୍ତରଙ୍କୁ ନେଇ ୨୫ଜଣିଆ ବିଶେଷଜ୍ଞ ଟିମ୍‌ ବାଲେଶ୍ବର ଅଭିମୁଖେ ଯାଇଛନ୍ତି। ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସୂଚନା ଅନୁସାରେ, କଟକ ବଡ଼ଡାକ୍ତରଖାନା ସମେତ ଘରୋଇ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ରଖାଯାଇ ଏକ କୋର୍ଡିନେସନ୍‌ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଆହତଙ୍କ ଚିକିତ୍ସା ସଂପର୍କିତ ସମସ୍ତ ବ୍ୟବସ୍ଥାର ତଦାରଖ କରିବ।

ସମ୍ବନ୍ଧିତ ଖବର