ସର୍ଦ୍ଦୋଳା ଗାଁଲୋକଙ୍କୁ ସାଲ୍ୟୁଟ୍‌
ଘଟଣା ଘଟିବା ପରେ କିଛି ଜାଣିପାରିନଥିଲେ ଟ୍ରେନ୍‌ଯାତ୍ରୀମାନେ। ଖୁବ୍‌ ଜୋରରେ ଶଦ୍ଦ ହୋଇଥିଲା। ଯାହାକୁ ଶୁଣି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ସର୍ଦ୍ଦୋଳା ଗ୍ରାମବାସୀ। ଟାଙ୍ଗୀ ପୁଲିସ, ଆହ୍ବାନ, ସ୍ୱାଭିମାନ, ଜୟ ଜଗନ୍ନାଥ ସେବା ସଂସ୍ଥାର ସ୍ବେଚ୍ଛାସେବୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ। ସୁରକ୍ଷିତ ଅବସ୍ଥାରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ଟାଙ୍ଗୀ ଓ ପରେ ଗୁରୁତରମାନଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ଗାଁକୁ ଫେରୁଥିଲେ ଦମ୍ପତି
ଅନେକ ଖୁସି ନେଇ ଗାଁକୁ ଫେରୁଥିଲେ ଦମ୍ପତି। ହେଲେ ଟ୍ରେନ୍‌ ଦୁର୍ଘଟଣା ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ୩ବର୍ଷ ଝିଅ କିନ୍ତୁ ସୁସ୍ଥ ରହିଛି। ମୁମ୍ବାଇରେ ଚାକିରି କରନ୍ତି ବାଲେଶ୍ବର ଜିଲ୍ଲା ପାଇକପଡାର ଦୁର୍ଯୋଧନ ନାଏକ। ସ୍ତ୍ରୀ ଓ ଝିଅ ସହ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା। ଦୁର୍ଯୋଧନଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ତ୍ରୀ ମଧ୍ୟ ଗୁରୁତର। ହେଲେ ବାପାମାଙ୍କୁ ଏଭଳି ଅବସ୍ଥାରେ ଦେଖି ଭୋ ଭୋ କାନ୍ଦୁଥିଲା କୁନି ଝିଅଟି।

ବଗିରେ ରହିଯାଇଥିଲା ଶିଶୁକନ୍ୟା
ଦୁର୍ଘଟଣା ପରେ ସମସ୍ତେ ଜୀବନ ବଂଚାଇବା ପାଇଁ ଦୌଡିଥିଲେ। ହେଲେ ‌ତାରି ଭିତରେ ଲାଇନ୍‌ଚ୍ୟୁତ ବଗି ଭିତରେ କାନ୍ଦୁଥିଲା ପ୍ରାୟ ୬/୭ମାସର ଶିଶୁକନ୍ୟା। ପାଖରେ କେହି ନଥିଲେ। ଏଭଳି ଦୃଶ୍ୟ ଦେଖି ଆରପିଏଫ୍‌ ଏଏସ୍‌ଆଇ ଏ.କେ. ମାଝି ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ତାର ପରିଚୟ ଜଣାପଡିବା ପରେ ତାଙ୍କ ପରିବାରବର୍ଗଙ୍କୁ ଶିଶୁଟିକୁ ହସ୍ତାନ୍ତର କରିଥିଲେ।

ଟ୍ରେନ୍‌ ଲାଇନ୍‌ ତଳକୁ ଥିଲା ୪୦ଫୁଟ ଖାତ !
ଯେଉଁସ୍ଥାନରେ ଦୁର୍ଘଟଣା ଘଟିଛି ସେହି ଟ୍ରେନ୍‌ ଲାଇନ୍‌ ତଳକୁ ପ୍ରାୟ ୪୦ଫୁଟର ବଡ ଖାତ ଥିବା ଦେଖିବାକୁ ମିଳିଥିଲା। ଯଦି ଟ୍ରେନ୍‌ର ଲାଇନ୍‌ଚ୍ୟୁଚ ବଗି ଏହି ଖାତରେ ପଡିଥାନ୍ତା ତେବେ ଏକ ବଡ ଅଘଟଣ ଘଟିଥାନ୍ତା ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି।

ପୂର୍ବରୁ ବି ବାଟବଣା ହୋଇଥିଲା ଲୋକମାନ୍ୟ ତିଲକ୍‌
୨୦୧୭, ଅଗଷ୍ଟ ୨୨ ତାରିଖରେ ବାଟବଣା ହୋଇଥିଲା ଲୋକମାନ୍ୟ ତିଲକ୍‌ ଏକ୍ସପ୍ରେସ। ସେହି ଟ୍ରେନ୍‌ଟି ରାତି ପ୍ରାୟ ୧୨ଟାରେ ବାଟବଣା ହୋଇଥିଲା। ଭୁବନେଶ୍ବରରୁ ନିର୍ଗୁଣ୍ଡି ଦେଇ ମୁମ୍ବାଇ ଯିବାକୁ ଥିବା ଟ୍ରେନ ରାତି ପ୍ରାୟ ୧୨ଟାରେ ଏହା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମତ୍ସ୍ୟପୁର ଷ୍ଟେସନ୍‌ରେ ବାଟବଣା ହୋଇ ୩ କିଲୋମିଟର ଦୂର ରାଧାକିଶୋରପୁରକୁ ପଳାଇଥିଲା।

ଅନ୍ୟପଟେ ହୁଇଲ ସ୍ଲିପ୍‌ ସମସ୍ୟା ଯୋଗୁଁ ଘଣ୍ଟିଖାଲ ଷ୍ଟେସନ୍‌ରେ ଗୋଟିଏ ମାଲବାହୀ ଟ୍ରେନ୍‌ ୩ଶହ ମିଟର ପଛକୁ ଗଡି ଯାଇଥିଲା। ସେହିଭଳି ୨୦୧୯, ଅକ୍ଟୋବର ୨୮ରେ ବଗି ଛାଡି ମାଲବାହୀ ଟ୍ରେନ୍‌ର ୱାଗନ୍‌ ଛୁ ମାରିଥିଲା। ଏଭଳି ଘଟଣା ଘଟିଥିଲା ଘଣ୍ଟିଖାଲ ଷ୍ଟେସନ୍‌ର ନିଧିପୁର କଲଭର୍ଟ ନିକଟରେ। ପ୍ରାୟ ୩୦ ମିଟର ଦୂରକୁ ୱାଗନ୍‌ ଛାଡି ପଳାଇଥିଲା ‌ଇଞ୍ଜିନ୍‌।