ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ : ବର୍ତ୍ତିଲା ସମଲେଶ୍ୱରୀ ଏକ୍ସପ୍ରେସ; ମାଲଗାଡ଼ିର ଇଞ୍ଜିନ୍‌-ଓ୍ଵାଗନ୍‌ ଅଲଗା

ରାୟଗଡ଼ା/ସମ୍ବଲପୁର : ଆଜି ଗୋଟିଏ ଦିନରେ ଦୁଇଟି ଛୋଟକାଟର ରେଳ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରୁ ଜଗଦଲପୁର-ହାଓ୍ଵଡା ସମଲେଶ୍ୱରୀ ଏକ୍ସପ୍ରେସ୍‌ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଟିଟିଲାଗଡ଼ଠାରେ ଏକ ମାଲ୍‌ଗାଡ଼ିର ଇଞ୍ଜିନ୍‌ ଓ ଓ୍ଵାଗନ୍‌ ଅଲଗା ହୋଇଯାଇଥିବା ଜଣାପଡ଼ିଛି।

ଆଜି ସଂଧ୍ୟା ୫ଟା ୧୫ ମିନିଟ୍‌ରେ ହାଓ୍ଵଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ୍‌ର ଇଂଜିନର ସମ୍ମୁଖ ଟ୍ରଲିର ପ୍ରଥମ ଯୋଡ଼ା (ଦୁଇଟି) ଚକ ରେଳ ଧାରଣାରୁ ତଳକୁ ଖସି ଯାଇଥିଲା। ସିଙ୍ଗାପୁର ରୋଡ୍‌-କେଉଟଗୁଡ଼ା ଡିଭିଜନର କେଉଟଗୁଡ଼ା ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା। ରେଳ ଧାରଣାର ଫିସ୍‌ ପ୍ଲେଟ୍‌ ଖୋଲି ଯାଇଥିବାରୁ ଏଭଳି ହୋଇଥିବା କୁହାଯାଉଛି। ଏହି ଦୁର୍ଘଟଣାରେ କେବଳ ଇଂଜିନ ପ୍ରଭାବିତ ହୋଇଥିଲାବେଳେ ଅନ୍ୟ ସମସ୍ତ କୋଚ ଗୁଡ଼ିକ ଧାରଣା ଉପରେ ରହିଥିଲା ଓ କୌଣସି କ୍ଷୟକ୍ଷତି ହୋଇ ନଥିଲା। ଯାତ୍ରୀମାନେ ସୁରକ୍ଷିତ ଥିଲେ। ତେବେ ଏହା ସିଂଗଲ ଲାଇନ ହୋଇଥିବାରୁ ଇଂଜିନ ଲାଇନ୍‌ଚ୍ୟୁତ ହେବା କାରଣରୁ ବହୁ ସମୟ ଧରି ଉକ୍ତ ମାର୍ଗରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମେ ରାୟଗଡ଼ାରୁ ଆଉ ଏକ ଇଂଜିନ ଯାଇ କୋଚ ଗୁଡ଼ିକୁ ସିଂଗାପୁର ରୋଡ୍‌କୁ ଫେରାଇ ଆଣିଥିଲା। ରାତି ୮ଟା ୫ରେ କୋଚ ଗୁଡ଼ିକ ସିଂଗାପୁର ରୋଡ୍‌ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ପାଣି, ଚା’, ବିସ୍କୁଟ୍‌ ଓ ଖାଦ୍ୟ ପ୍ୟାକେଟ୍‌ ବଣ୍ଟନ କରା ଯାଇଥିବା ରେଳବାଇ ସୂତ୍ରରୁ ପ୍ରକାଶ। ଏହାପରେ ରାୟଗଡ଼ାରୁ ରିଲିଫ ଟ୍ରେନ ଯାଇ ଲାଇନଚ୍ୟୁତ ଇଂଜିନକୁ ପୁଣି ଧାରଣାକୁ ଉଠାଇଥିଲା ଓ ତାକୁ ରାୟଗଡ଼ାକୁ ଫେରାଇ ନେଇଥିଲା। ଲାଇନ୍‌ କ୍ଲିୟର ହେବା ପରେ ଅନ୍ୟ ଏକ ଇଂଜିନ ଯାହାଯ୍ୟରେ ସିଂଗାପୁର ରୋଡ୍‌ରୁ କୋଚ ଗୁଡ଼ିକୁ କୋରାପୁଟ ଅଭିମୁଖେ ପଠା ଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଅପରେସନ ଜାରି ରହିଥିଲା।

ସେହିପରି ସଂଧ୍ୟାରେ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନର ସିକିର୍‌ ଓ ଟିଟିଲାଗଡ଼ ଷ୍ଟେସନ ମଧ୍ୟରେ ଗୋଟିଏ ମାଲଗାଡ଼ିର ଇଂଜିନ ଓ ପ୍ରଥମ ଓ୍ଵାଗନ ଅନ୍ୟ ଓ୍ଵାଗନ ମାନଙ୍କଠାରୁ ଅଲଗା ହୋଇ ଯାଇଥିଲା। ଟ୍ରେନ ସିକିର୍‌ ଷ୍ଟେସନ ଅତିକ୍ରମ କରି ଟିଟିଲାଗଡ଼ ଯାଉଥିବା ବେଳେ ଏକ ଲେବେଲ କ୍ରସିଂ ନିକଟରେ ଏଭଳି ହୋଇଥିଲା। ଟ୍ରେନ ଇଂଜିନ୍‌ ଓ ଗୋଟିଏ ଓ୍ଵାଗନ କିଛି ବାଟ ଆଗକୁ ଯାଇଥିଲା। ତେବେ ଚାପ କମିବାର ସୂଚନାରୁ ଟ୍ରେନର ଡ୍ରାଇଭର (ଲୋକ ପାଇଲଟ୍‌) ଘଟଣା ସଂପର୍କରେ ଜାଣି ପାରି ଇଂଜିନକୁ ପୁଣି ପଛକୁ ଫେରାଇଥିଲେ। ପ୍ରଥମ ଓ୍ଵାଗନକୁ ଅନ୍ୟ ଓ୍ଵାଗନ ଗୁଡ଼ିକ ସହ ଯୋଡ଼ା ଯିବା ପରେ ଗାଡ଼ି ପୁଣି ଟିଟିଲାଗଡ଼ ଅଭିମୁଖେ ଯାତ୍ରା କରିଥିବା ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର