ଟ୍ରେନ୍ ଦୁର୍ଘଟଣାର ୨ୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ, ପୁଣିଥରେ ଇଞ୍ଜିନ୍‌ ଯାଞ୍ଚ, ଅଧିକାରୀଙ୍କୁ ଜେରା

ରାୟଗଡା: ମେଣ୍ଟେନାନ୍ସ ଇଞ୍ଜିନ୍-ସମଲେଶ୍ବରୀ ଟ୍ରେନ୍ ଦୁର୍ଘଟଣାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛନ୍ତି ରେଳପଥ ନିରାପତ୍ତା ଆୟୁକ୍ତ ଆର୍. କେ. ଶର୍ମା। କେଉଟଗୁଡା, ରାୟଗଡା ଷ୍ଟେସନ ପରିଦର୍ଶନ କରି ଦୁର୍ଘଟଣାଗ୍ରସ୍ତ ଦୁଇ ଇଞ୍ଜିନ୍‌ର ପୁଣି ଯାଞ୍ଚ କରିଛନ୍ତି। ଉଭୟ ଷ୍ଟେସନରେ ବିଭାଗୀୟ ଅଧିକାରୀଙ୍କୁ ପଚରାଉଚରା କରିଛନ୍ତି।

ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ କମିଶନର ଶ୍ରୀ ଶର୍ମା ରାୟଗଡାରେ ପହଞ୍ଚିବା ପରେ ସକାଳ ୯ଟାରେ କେଉଟଗୁଡା ଷ୍ଟେସନ ଅଭିମୁଖେ ଯାଇଥିଲେ। କେଉଟଗୁଡା ଷ୍ଟେସନରେ ଥିବା କ୍ଷତିଗ୍ରସ୍ତ ମେଣ୍ଟେନାନ୍ସ ଇଞ୍ଜିନକୁ ପୁଣି ଯାଞ୍ଚ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କେଉଟଗୁଡାରେ ୨ଘଣ୍ଟାରୁ ଊର୍ଧ୍ବ ସମୟ ଧରି ତଦନ୍ତ କରିବା ପରେ ରାୟଗଡା ଷ୍ଟେସନ ଅଭିମୁଖେ ଆସିଥିଲେ କମିଶନର। ମଧ୍ୟାହ୍ନ ୧୨ଟା ୪୫ ମିନିଟରେ ରାୟଗଡା ଷ୍ଟେସନରେ ପହଞ୍ଚିବା ପରେ ୭ନଂ ପ୍ଲାଟଫର୍ମରେ ଥିବା କ୍ଷତିଗ୍ରସ୍ତ ସମଲେଶ୍ବରୀ ଇଞ୍ଜିନକୁ ଅନୁଧ୍ୟାନ କରିଥିଲେ। ଏହାପରେ କ୍ୟାରେଜ୍ ଓ ୱାଗନ୍ ଡିପୋ ବିଭାଗରେ ୱାଗନ୍ କ୍ଷୟକ୍ଷତି ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚରାଉଚରା କରିଥିଲେ। ସୂଚନାଯୋଗ୍ୟ, ଜୁନ୍ ୨୫ ତାରି‌ଖରେ ଇଲେକ୍ଟ୍ରି ମେଣ୍ଟେନାନ୍ସ ଇଞ୍ଜିନ୍ ଓ ସମଲେଶ୍ବରୀ ଏକ୍ସପ୍ରେସ୍ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଏଥିରେ, ୩ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର