ଟ୍ରେନ ଦୁର୍ଘଟଣା: ଫୋକସ୍‌ରେ ଉଦ୍ଧାର କାର୍ଯ୍ୟ; ୩ ଏନ୍‌ଡିଆର୍‌ଏଫ୍‌, ୪ ଓଡ୍ରାଫ୍‌, ୧୫ରୁ ଅଧିକ ଅଗ୍ନିଶମ ଦଳ ନିୟୋଜିତ

ଏସ୍‌ଆର୍‌ସିଙ୍କ ସମେତ ୪ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ

ଭୁବନେଶ୍ବର : ବଲେଶ୍ବରରେ ଟ୍ରେନ ଦୁର୍ଘଟଣା ପରେ ରାଜ୍ୟ ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦାରଖ କରିବା ସହ ୮ରୁ ଅଧିକ ବରିଷ୍ଠ ଅଧିକାରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ତଦାରଖ ଲାଗି ପଠାଇଛନ୍ତି। ରାତି ପ୍ରାୟ ୮ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆରସି ସତ୍ୟବ୍ରତ ସାହୁ, ଶିଳ୍ପ ସଚିବ ହେମନ୍ତ ଶର୍ମା, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ଘଟଣାସ୍ଥଳକୁ ୩ଟି ଏନ୍‌ଡିଆରଏଫ୍‌, ୪ଟି ଓଡ୍ରାଫ୍‌, ୧୫ରୁ ଅଧିକ ଅଗ୍ନିଶମ ଦଳ, ୫୦ରୁ ଅଧିକ ଆମ୍ବୁଲାନ୍ସ ପଠାଯାଇଛି। ଉଦ୍ଧାର ସମୟର ଆସ୍କା ଲାଇଟ୍‌ର ବ୍ୟବସ୍ଥା ହୋଇଛି। ଭୁବନେଶ୍ବରସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ଉଦ୍ଧାରକାରୀ ଏକାଡେମିର ୨୬ଜଣିଆ ଅତିରିକ୍ତ ଦଳ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ହୋଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ରାତିରେ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟର ତଦାରଖ କରୁଛନ୍ତି। ଭଦ୍ରକରୁ ମଧ୍ୟ ଦୁଇଟି ଅଗ୍ନିଶମ ଟିମ୍‌କୁ ସେଠାକୁ ପଠାଯାଇଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଦୁର୍ଘଟଣା ଖବର ଆସିବା କ୍ଷଣି ମୁଖ୍ୟମନ୍ତ୍ରୀ ତତ୍ପରତା ପ୍ରକାଶ କରିବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଜିଲ୍ଲାପାଳ, ଆଇଜି, ଏସ୍‌ପି ରାତି ସାଢ଼େ ୮ଟା ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଲେଶ୍ବରର ଫକୀରମୋହନ ମେଡିକାଲ କଲେଜ, କଟକର ଏସ୍‌ସିବି ମେଡିକାଲ କଲେଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ମଧ୍ୟ ସଜାଗ ରହିଛି। ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ, ଏଡିଜି ରେଲୱେ ମଧ୍ୟ ପହଞ୍ଚିଛନ୍ତି। ଏସ୍‌ଆରସିଙ୍କ କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମ୍‌ ୦୬୭୪-୨୫୩୪୧୭୭ ଖୋଲାଯାଇଛି। ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ, ଓଏସ୍‌ଡିଏମ୍‌ଏ ଏମ୍‌ଡି ଜ୍ଞାନ ରଞ୍ଜନ ଦାସ ଏସ୍‌ଆସିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।

ସେପଟେ ରେଳ ଦୁର୍ଘଟଣା ପାଇଁ ରାଜ୍ୟର ବିଭିନ୍ନ ଷ୍ଟେସନରେ ୨୦ରୁ ଅଧିକ ଯାତ୍ରୀବାହୀ ଟ୍ରେନ୍‌ ଅଟକି ରହିଛି। ଯାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଉନ୍ନୟନ କମିସନର ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ଗର୍ଗ କହିଛନ୍ତି ଯେ ଦୁର୍ଘଟଣା ହୋଇଥିବାରୁ ଉକ୍ତ ରୁଟ୍‌ରେ ନିୟମିତ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ତେଣୁ ରାଜ୍ୟର ବିଭିନ୍ନ ଷ୍ଟେସନରେ ଯାତ୍ରୀବାହୀ ଟ୍ରେନ୍‌ ଅଟକି ରହିଛି। ସେଠାରେ ଯାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଜିଲ୍ଲାପାଳମାନେ ଦୃଷ୍ଟି ଦେବେ। ଅପେକ୍ଷାରତ ଯାତ୍ରୀଙ୍କୁ ଷ୍ଟେସନରେ ଖାଦ୍ୟ, ପାନୀୟ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଏହି ଅର୍ଥ ଭରଣା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଘଟଣାସ୍ଥଳରେ ୫୦ ଡାକ୍ତର, ୧୧୫ ଆମ୍ବୁଲାନ୍‌ସ

ଭୁବନେଶ୍ବର : ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣାସ୍ଥଳକୁ ୧୧୫ଟି ଆମ୍ବୁଲାନ୍‌ସ ଏବଂ ଆଖପାଖ ଜିଲ୍ଲାରୁ ୫୦ ଡାକ୍ତରଙ୍କୁ ପଠାଯାଇଛି। କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତରୀ ଦଳ ସେଠାରେ ପହଞ୍ଚିଛି। ଭୁବନେଶ୍ବର ଓ କଟକର ଘରୋଇ ହସ୍ପିଟାଲରେ ଆହତମାନଙ୍କ ଚିକିତ୍ସା କରାଯିବ। ଏହାସହ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ମୟୂରଭଞ୍ଜର ସିଡିଏମ୍‌ଓମାନଙ୍କୁ ସ୍ବତନ୍ତ୍ର ଭାବେ ନିର୍ଦେଶ ଜାରି ହୋଇଛି। ସମସ୍ତ ମେଡିକାଲ ଟିମ୍ ଫାଷ୍ଟଏଡ୍‌ ଓ ‌ଚାଦର ସହିତ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଛି। ସେହିପରି ଆଖପାଖ ଜିଲ୍ଲାରୁ ମୃତଦେହ ଗାଡ଼ିକୁଡ଼ିକୁ ଚାଦର ସହିତ ଘଟଣାସ୍ଥଳକୁ ପଠାଯାଇଛି। ସମସ୍ତ ଶବଗୃହକୁ ପ୍ରସ୍ତୁତ ରଖିବା ଲାଗି ନିର୍ଦେଶ ଦିଆଯାଇଛି। ଏହାସହ ବିଏସ୍‌କେୱାଇରେ ଅନୁବନ୍ଧିତ ସମସ୍ତ ଘରୋଇ ହସ୍ପିଟାଲ ରୋଗୀଙ୍କୁ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବିଶେଷକରି ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ବରର ଅନୁବନ୍ଧିତ ହସ୍ପିଟାଲମାନେ ଦୁର୍ଘଟଣାରେ ଆହତଙ୍କୁ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର