ଟ୍ରାକ୍‌ରୁ ଖସୁଛି ଟ୍ରେନ୍‌: ୪ ସପ୍ତାହରେ ୪ଟି ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଚିନ୍ତା ପ୍ରକଟ କଲା ରେଳ ମନ୍ତ୍ରାଳୟ, ଘଟଣାର ତଦନ୍ତ ଲାଗି କମିଟି ଗଠନ

ଭୁବନେଶ୍ବର: ଟ୍ରାକ୍‌ରୁ ବାହାରି ଯାଉଛି ଟ୍ରେନ୍‌। ଗୋଟିଏ କି ଦୁଇଟି ନୁହେଁ, ଗତ ୪ ସପ୍ତାହରେ ଓଡ଼ିଶାରେ ୪ଟି ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହାକୁ ନେଇ ରେଳ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି। ସଂଘଟିତ ୪ ଘଟଣା ମଧ୍ୟରୁ ୩ଟି ପୂର୍ବତଟ ରେଳପଥରେ ହୋଇଥିବା ବେଳେ ଗୋଟିଏ ଦକ୍ଷିଣ ପୂର୍ବ ରେଳପଥରେ ଘଟିଛି। କୌଣସି ଦୁର୍ଘଟଣାରେ ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନାହିଁ ସତ, ମାତ୍ର ଏଭଳି ଘଟଣା ରେଳପଥ ଲାଗି ଆହ୍ବାନ ସୃଷ୍ଟି କରିଛି। କେଉଁ କାରଣ ଲାଗି ଟ୍ରେନ୍‌ଗୁଡ଼ିକ ବାରମ୍ବାର ଲାଇନ୍‌ଚ୍ୟୁତ ହେଉଛି, ତାହାର ତନାଘନା ଆରମ୍ଭ ହୋଇଛି। ପ୍ରତି ଘଟଣାର ତଦନ୍ତ ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯେଉଁଥିରେ ରେଳପଥର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଯେତେଶୀଘ୍ର ସମ୍ଭବ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯାଇଛି। ଏଥିସହ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଲାଇନଚ୍ୟୁତ ହୋଇଥିବା ୪ଟି ଘଟଣା ମଧ୍ୟରୁ ଦୁଇଟିରେ ଯାତ୍ରୀବାହୀ ଓ ଅନ୍ୟ ଦୁଇଟି ମାଲବାହୀ ଟ୍ରେନ୍‌କୁ ନେଇ ଘଟିଥିଲା। ଗୋଟିଏର କାରଣ ଜଣାପଡ଼ିଛି। ଅନ୍ୟଗୁଡ଼ିକ କ’ଣ ପାଇଁ ଲାଇନ୍‌ଚ୍ୟୁତ୍‌ ହେଲା, ସେ ସମ୍ପର୍କରେ କିଛି ବି ଜଣାପଡ଼ିନାହିଁ। ଗତକାଲି ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଷ୍ଟେସନ୍‌ ନିକଟ ଲଜକୁରାଠାରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଯେଉଁଥିପାଇଁ କୋଲକତା-ମୁମ୍ବାଇ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ୪ ଘଣ୍ଟା ବନ୍ଦ ରହିଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଲଜକୁରା ନିକଟରେ ୧ନମ୍ବର ଲୁପ୍‌ ଲାଇନରୁ ୨ନମ୍ବର ମେନ୍‌ ଅପ୍‌ ଲାଇନକୁ ଯାଉଥିବା ସମୟରେ ପୂର୍ବାହ୍ନ ୧୧ଟାରେ ଏହି ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଗାର୍ଡ ଡବାରୁ ୩ ଓ ୪ନମ୍ବର ୱାଗନ୍‌ ଲାଇନଚ୍ୟୁତ ହୋଇଥିବାରୁ ହାୱଡା-ଅହମ୍ମଦାବାଦ ଟ୍ରେନ୍‌ ବହୁ ସମୟ ଧରି ବ୍ରଜରାଜନଗର ଷ୍ଟେସନ୍‌ରେ ଛିଡ଼ା ହୋଇ ରହିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହି ମାଲବାହୀ ଟ୍ରେନ୍‌ରେ କୋଇଲା ଭର୍ତ୍ତି ହୋଇଥିଲା।

ଭଦ୍ରକ-ଚରମ୍ପା ୧୧୮ ନମ୍ବର ଲେଭେଲ‌ କ୍ରସିଂ ନିକଟରେ ଏକ ଷଣ୍ଢକୁ ଧକ୍କା ଦେଇ ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇଟି ବଗି ଟ୍ରାକ୍‌ ବାହାରକୁ ଚାଲିଯାଇଥିଲେ ମଧ୍ୟ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇ ନଥିଲା। ବରଂ ଷଣ୍ଢଟିର ମୃତ୍ୟୁ ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜନଶତାବ୍ଦୀ ଟ୍ରେନ୍‌ଟି ଦ୍ରୁତ ଗତିରେ ଥିବା ବେଳେ ଟ୍ରେନ୍‌ଲାଇନ୍‌ରେ ଏକ ବୁଲା ଷଣ୍ଢ ଚାଲୁଥିବାର ଦେଖି ଚାଳକ ଟ୍ରେନ୍‌ର ଗତି କମ୍‌ କରିବାକୁ ଚାହିଥିଲେ। ଫଳରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିଲା। ତା’ପରେ ବି ସୁରକ୍ଷା ଦୃଷ୍ଟିରୁ ତଦନ୍ତ ଲାଗି ଏକ କମିଟି ଗଠନ କରାଯାଇଛି।
ଗତ ସପ୍ତାହରେ ମଧ୍ୟ ଜୟପୁର-ଛତଡ଼ିପୁଟ ରେଳଷ୍ଟେସନ ମଧ୍ୟରେ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ସ୍ପେସାଲ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ଚାରୋଟି ବଗି ଟ୍ରାକ୍‌ ବାହାରକୁ ଚାଲି ଯାଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇ ନଥିଲା। ପୂର୍ବତଟ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍‌ ମରାମତି କରାଯାଇ ଟ୍ରେନ୍‌ ଲାଇନ୍‌କୁ ସ୍ବାଭାବିକ କରାଯାଇଥିଲା। କାର୍ଯ୍ୟରେ ଅବହେଳା ପାଇଁ ଦୁଇଜଣ କର୍ମଚାରୀ ଯଥା ସିନିୟର ସେକ୍ସନ ଇଞ୍ଜିନିୟର ଓ ଗ୍ୟାଙ୍ଗମ୍ୟାନ୍‌ ନିଲମ୍ବିତ ହୋଇଛନ୍ତି ଏବଂ ସ୍ବତନ୍ତ୍ର କମିଟି ଗଠନ କରାଯାଇ ତଦନ୍ତ ଜାରି ରହିଛି।

ଚୂଡ଼ାନ୍ତ ରିପୋର୍ଟ ପହଞ୍ଚିବାକୁ ଆହୁରି ସମୟ ଲାଗିବ ବୋଲି ବିଶାଖାପାଟଣା ରେଳ ଡିଭିଜନ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଗତ ମାସ ଶେଷ ସପ୍ତାହ ତଥା ଅଗଷ୍ଟ ୨୩ ରାତିରେ ଭୁବନେଶ୍ୱର ରେଳଷ୍ଟେସନ୍‌ ନିକଟରେ ଏକ ମାଲବାହୀ ଟ୍ରେନ୍ ରାତିରେ ଲାଇନଚ୍ୟୁତ ହୋଇଥିଲା। ଚକ୍ରଧରପୁର ଡିଭିଜନ୍‌ରୁ ବିଜୟନଗରମ୍‌ ଯାଉଥିବା(ଭୟା ଭୁବନେଶ୍ବର ଓ କଟକ) ସିମେଣ୍ଟ ବୋଝେଇ ଟ୍ରେନ୍‌ର ୫ଟି ୱାଗନ୍ ଲାଇନଚ୍ୟୁତ ହେବା ଯୋଗୁଁ ଦୁଇଟି ଲାଇନ୍ ବ୍ଲକ ହୋଇଥିଲା। ପାଖାପାଖି ୧୨ ଘଣ୍ଟା ଧରି ଟ୍ରେନ୍‌ ସେବା ପ୍ରଭାବିତ ହେବା ସହ ୧୬ରୁ ଅଧିକ ଟ୍ରେନ୍‌ ବାତିଲ୍‌ କରିବାକୁ ପଡ଼ିଥିଲା। ଘଟଣାର ତଦନ୍ତ ଏବେ ବି ଜାରି ରହିଛି। ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭଦ୍ରକରେ ଷଣ୍ଢ ପଶିଯିବା ହେତୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଜରୁରୀକାଳୀନ ବ୍ରେକ୍‌ ମାରିବାକୁ ପଡ଼ିବାରୁ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ସିଗନାଲିଂ ସମସ୍ୟା, ଟ୍ରାକ୍‌ ଭିତ୍ତିଭୂମି ଦୁର୍ବଳ ମଧ୍ୟ ଲାଇନ୍‌ଚ୍ୟୁତ୍‌ ହେବାର ଅନ୍ୟତମ କାରଣ ହୋଇପାରେ। ଧୀରେ ଧୀରେ ଟ୍ରେନ୍‌ର ବେଗ ବଢ଼ୁଥିବାରୁ ଟ୍ରାକ୍‌ଗୁଡ଼ିକର ସୁଦୃଢ଼ୀକରଣ କରାଯାଉଛି। ତଦନ୍ତ ରିପୋର୍ଟ ଆସିବା ପରେ ଲାଇନଚ୍ୟୁତ ଘଟଣାର କାରଣ ଜଣାପଡ଼ିବ। ସେହି ଅନୁଯାୟୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର