ବ୍ରହ୍ମପୁର : ଆନ୍ଧ୍ର ପ୍ରଦେଶର ପଲାସା ରେଳ ଷ୍ଟେସନ୍ ନିକଟରେ ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ର ଦୁଇଟି ବଗି ଟ୍ରାକ୍ରୁ ତଳକୁ ଖସି ପଡ଼ିଛି। ଫଳରେ ଡାଉନ୍ ଟ୍ରାକ୍ (ବିଶାଖାପାଟଣା-ଭୁବନେଶ୍ବର)ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖୋର୍ଦ୍ଧା ରୋଡ଼ରୁ ଏକ ରିଲିଫ୍ ଟ୍ରେନ୍ ପଲାସା ଅଭିମୁଖେ ଯାଇଛି। ଟ୍ରାକ୍ରୁ ଖସି ପଡ଼ିଥିବା ବଗି ହଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଭୁବନେଶ୍ବର ପଟୁ ବିଶାଖାପାଟଣାକୁ ଏକ ମାଲବାହୀ ଟ୍ରେନ୍ ଯାଉଥିଲା। ଟ୍ରେନ୍ଟି ପଲାସା ଷ୍ଟେସନ୍କୁ ପ୍ରବେଶ ପୂର୍ବରୁ ହଠାତ୍ ଲାଇନ୍ଚ୍ୟୁତ ହୋଇ ପଡ଼ିଥିଲା। ଏହାଦ୍ବାରା ସେହି ଲାଇନ୍ରେ ବର୍ତ୍ତମାନ ଯାତାୟାତ ବନ୍ଦ ରହିଛି। ରେଳ ବିଭାଗର ଅଧିକାରୀ ଓ ପଲାସା ଆର୍ଫିଏଫ୍ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟ୍ରେନ୍ ଲାଇନ୍ଚ୍ୟୁତ ଯୋଗୁଁ ପୁଣ୍ଡି ରେଳ ଷ୍ଟେସନ୍ରେ ମୁମ୍ବାଇ-ଭୁବନେଶ୍ବର କୋଣାର୍କ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍କୁ ଅଟକା ଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଟ୍ରେନ୍ଟି ସେଠାରେ ଅଟକି ରହିଛି। ସେହିପରି ଭୁବନେଶ୍ବର-ପଲାସା ପାସେଞ୍ଜର୍ ଟ୍ରେନ୍କୁ ବ୍ରହ୍ମପୁରରେ ରଖାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ବିଖାଶପାଟଣା-ପଲାସା ପାସେଞ୍ଜର୍ ଟ୍ରେନ୍ର ରୁଟ୍ ମଧ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି।