ଚଳନ୍ତା ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଲାଠୋର ହରିଶଙ୍କର ରୋଡ ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନ ଇଞ୍ଜିନରେ ନିଆଁ ଲାଗିଥିଲା। ଟ୍ରେନ୍‌ଟି ଅଳ୍ପକେ ଏକ ବଡ଼ ଆଗ୍ନିକ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ସୌଭାଗ୍ୟବଶତଃ ଯାତ୍ରୀମାନେ ମଧ୍ୟ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।

ପ୍ରକାଶ ଯେ, ଗୁରୁବାର ବଲାଙ୍ଗୀର ଦେଇ ଏକ୍ସପ୍ରେସ ଟ୍ରେନ ନଂ-୧୮୫୭୩ ବିଶାଖାପାଟଣାରୁ ଭଗତ କି କୋଠି ଯାଉଥିଲା। ଟ୍ରେନଟି ହରିଶଙ୍କର ରୋଡ ରେଳ ଷ୍ଟେସନ ନିକଟରେ ପହଞ୍ଚିବା ବ‌େଳେ ଇଞ୍ଜିନରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ହୁତୁ ହୁତୁ ହୋଇ ଇଞ୍ଜିନରୁ ଧୂଆଁ ବାହାରକୁ ଆସିଥିଲା। ଟ୍ରେନ ଅଟକିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ସେପଟେ ଟ୍ରେନଟିକୁ କୌଣସି ମତେ ହରିଶଙ୍କର ରୋଡ଼ ଷ୍ଟେସନକୁ ଅଣାଯାଇଥିଲା। ତାପରେ ସ୍ଥାନୀୟ ଦମକଳ ବାହିନୀ ଓ ରେଳ କର୍ମଚାରୀମାନେ ମିଶି ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ପରେ ହରିଶଙ୍କରରେ ଟ୍ରେନର ୨ ନମ୍ବର ଇଞ୍ଜିନ ଜରିଆରେ ଟ୍ରେନଟି ରାୟପୁର ଅଭିମୁଖେ ଯାତ୍ରା କରିଥିଲା। କଣ କାରଣ ପାଇଁ ଇଞ୍ଜିନରେ ନିଆଁ ଲାଗିଲା ତାହା ଜଣାପଡ଼ି ନଥିବା ବେଳେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ହୋଇଥିବା ଉପସ୍ଥିତ ରେଳ କର୍ମଚାରୀ ମତ ରଖିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ କେତେ କ୍ଷତି ହୋଇଛି ତାହା ଜଣାପଡି ନାହିଁ। ଏହି ଟ୍ରେନଟି ହରିଶଙ୍କର ରୋଡରେ ଅଟକିବାର ନଥିଲା। ନିଆଁ ଲାଗି ଧୂଆଁ ବାହାରିବା ପରେ ଟ୍ରେନରେ ଥିବା ଯାତ୍ରୀ ଦେଖି ଚେନ ପୁଲିଂ କରିଥିଲେ। ତା’ ପରେ ଟ୍ରେନଟି ହରିଶଙ୍କର ରୋଡ ନିକଟରେ ଅଟକିଥିଲା।

ସମ୍ବନ୍ଧିତ ଖବର