ଭୁବନେଶ୍ବର: ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ମୌଳିକ ଭଡ଼ା ବୃଦ୍ଧି ହୋଇଛି। ପାସେଞ୍ଜର ଟ୍ରେନ୍‌ର ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ କୌଣସି ବୃଦ୍ଧି ହୋଇ ନାହିଁ। ତେବେ ୫୦୧ରୁ ୧୫୦୦ କିମି ଦୂରତା ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦ କିମି ପର୍ଯ୍ୟନ୍ତ ୧୦ ଟଙ୍କା ଏବଂ ୨୫୦୧ରୁ ୩୦୦୦ କିମି ଦୂରତା ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି। ସଂଶୋଧିତ ଭଡ଼ା ଭାରତୀୟ ରେଳ ସମ୍ମିଳନୀ ସଂଘ(ଆଇଆରସିଏ) ଦ୍ୱାରା ଜାରି ହୋଇଥିବା ଅପଡେଟ୍ ଯାତ୍ରୀବାହୀ ଭଡ଼ା ସାରଣୀ ଉପରେ ଆଧାରିତ, ଯାହାକି ଜୁଲାଇ ୧(ମଙ୍ଗଳବାର)ଠାରୁ ଲାଗୁ ହେବ। ଉପନଗର(ସବ୍‌ଅର୍ବାନ୍‌) ଏକକ ଯାତ୍ରା ଭଡ଼ା ଏବଂ ସିଜନ୍‌ ଟିକେଟ୍‌ରେ(ଉଭୟ ଉପନଗର ଓ ଅଣ-ଉପନଗର ରୁଟ୍ ପାଇଁ) କୌଣସି ପରିବର୍ତ୍ତନ ହୋଇ ନାହିଁ।

Advertisment

ସାଧାରଣ ଅଣଏସି ଶ୍ରେଣୀ(ଅଣ-ଉପନଗର ଟ୍ରେନ୍) ପାଇଁ ଦ୍ୱିତୀୟ ଶ୍ରେଣୀ ପ୍ରତି କିମି ୫୦ ପଇସା ବୃଦ୍ଧି ହୋଇଛି। ୫୦୦ କିମି ପର୍ଯ୍ୟନ୍ତ କୌଣସି ବୃଦ୍ଧି ହୋଇ ନ ଥିବା ବେଳେ ୫୦୧ରୁ ୧୫୦୦ କିମି ମଧ୍ୟରେ ୫ ଟଙ୍କା, ୧୫୦୧ରୁ ୨୫୦୦ କିମି ମଧ୍ୟରେ ୧୦ ଟଙ୍କା, ୨୫୦୧ରୁ ୩୦୦୦ କିମି ଦୂରତା‌ ପାଇଁ ୧୫ ଟଙ୍କା ବଢ଼ିଛି। ସ୍ଲିପର କ୍ଲାସ ପ୍ରତି କିମିରେ ୫୦ ପଇସା ଏବଂ ପ୍ରଥମ ଶ୍ରେଣୀ ପ୍ରତି କିମିରେ ୫୦ ପଇସା ବୃଦ୍ଧି ପାଇଛି। ମେଲ୍/ଏକ୍ସପ୍ରେସ୍ ଟ୍ରେନ୍(ନନ୍‌-ଏସି) ଦ୍ୱିତୀୟ ଶ୍ରେଣୀ, ସ୍ଲିପର କ୍ଲାସ, ପ୍ରଥମ ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା ୧ ପଇସା ବୃଦ୍ଧି ହୋଇଛି। ପ୍ରିମିୟମ୍‌ ଏକ୍ସପ୍ରେସ୍‌(ମେଲ୍/ଏକ୍ସପ୍ରେସ୍ ଟ୍ରେନ୍)ର ଏସି ଶ୍ରେଣୀ ପାଇଁ ଏସି ଚେୟାର କାର୍‌, ଏସି-ଥ୍ରି ଟାୟାର/ଏସି-ଥ୍ରି ଟାୟାର ଇକୋନୋମି, ଏସି ଟୁ-ଟାୟାର ଓ ଏସି ପ୍ରଥମ/ଏକ୍‌ଜିକ୍ୟୁଟିଭ୍‌ ଶ୍ରେଣୀ/ଏକ୍‌ଜିକ୍ୟୁଟିଭ୍‌ ଅନୁଭୂତିରେ ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି ହୋଇଛି। ଭଡ଼ା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ବନ୍ଦେ ଭାରତ, ତେଜସ୍‌, ହମ୍‌ସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନ୍ତ୍ୟୋଦୟ, ଜନଶତାବ୍ଦୀ, ଯୁବା ଏକ୍ସପ୍ରେସ୍, ଏସି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଓ ସାଧାରଣ ଅଣ-ଉପନଗର ସେବା ଭଳି ପ୍ରିମିୟର ଓ ସ୍ୱତନ୍ତ୍ର ଟ୍ରେନ୍ ସେବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

ଆନସିଲାରି ଶୁଳ୍କରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଓ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ପ୍ରଯୁଜ୍ୟ ନିୟମ ଅନୁଯାୟୀ ଜିଏସ୍‌ଟି ଲାଗୁ ହେବ। ଜୁଲାଇ ୧ କିମ୍ବା ତା’ପରେ ବୁକ୍‌ ହେବାକୁ ଥିବା ଟିକେଟ୍‌ ପାଇଁ ସଂଶୋଧିତ ଭଡ଼ା ଲାଗୁ ହେବ। ଏହି ତାରିଖ ପୂର୍ବରୁ ଜାରି ହୋଇଥିବା ଟିକେଟ୍‌ଗୁଡ଼ିକରେ ଭଡ଼ା ବୃଦ୍ଧି ଲାଗୁ ହେବ ନାହିଁ। ପିଆର୍‌ଏସ୍‌, ୟୁଟିଏସ୍‌ ଓ ମାନୁଆଲ୍ ଟିକେଟିଂ ସିଷ୍ଟମଗୁଡ଼ିକୁ ସେହି ଅନୁସାରେ ଅପଡେଟ୍ କରାଯାଉଛି। ସଂଶୋଧିତ ଭଡ଼ା ଢାଞ୍ଚାର ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ରେଳ ମନ୍ତ୍ରଣାଳୟ ସମସ୍ତ ଜୋନାଲ ରେଳବାଇକୁ ନିର୍ଦ୍ଦେଶ ଦେଇଛି। ସମସ୍ତ ଷ୍ଟେସନ୍‌ରେ ଭଡ଼ା ପ୍ରଦର୍ଶନକୁ ଅପଡେଟ୍ କରିବାକୁ ମଧ୍ୟ ଜୋନାଲ ରେଳବାଇଗୁଡ଼ିକୁ କୁହାଯାଇଛି।