ବାମରା: ଟ୍ରେନ୍‌ ଧକ୍କାରେ ରେଳ କର୍ମଚାରୀ ସୂର୍ଯ୍ୟକାନ୍ତ ପାଣ୍ଡ୍ୟା (୨୮)ଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ା ସେକ୍ସନରେ ସିଗ୍ନାଲ ବିଭାଗରେ କାର୍ଯ୍ୟରତ ଝାଡ଼ଖଣ୍ଡ ଅଞ୍ଚଳର ସୂର୍ଯ୍ୟକାନ୍ତ ସବୁଦିନ ଭଳି ବୁଧବାର ମଧ୍ୟ ରେଳ ଧାରଣା ନିକଟରେ କାର୍ଯ୍ୟରତ ଥିଲେ। ସେ ଅନ୍ୟମନସ୍କ ଭାବେ କାମ କରୁଥିବା ବେଳେ ଡାଉନ ଲାଇନରେ ଦ୍ରୁତ ଗତିରେ ଆସୁଥିବା ଦୁର୍ଗ -ଦାନାପୁର ସାଉଥ ବିହାର ଏକ୍ସପ୍ରେସ ଟ୍ରେନର ଇଞ୍ଜିନ ଧକ୍କା ଦେଇଥିଲା।

Advertisment

ଏଥିରେ ତାଙ୍କର ମୁହଁ ସମ୍ପୂର୍ଣ୍ଣ ଖଣ୍ଡବିଖଣ୍ଡ ଓ କ୍ଷତ ହୋଇଥିବା ବେଳେ ହାତ, ଗୋଡ଼ ଅଣ୍ଟା ଆଦି କଟି ଛିଣ୍ଡି ଯିବା ଦ୍ୱାରା ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ରାଜଗାଙ୍ଗପୁର ଜିଆର୍‌ପି ଫାଣ୍ଡି ଅଧିକାରୀ ମାରିଆନୁସ ମିଞ୍ଜ ସଦଳବଳ ପହଞ୍ଚି ଶବ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜିଆର୍‌ପି ତଦନ୍ତ ଜାରି ରଖିଥିବା ବେଳେ ଗୁରୁବାର ଦିନ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଖବର ପାଇ ମୃତକଙ୍କ ଘର ଲୋକେ ଝାରସୁଗୁଡା ପହଞ୍ଚିଥିବା ଜଣାପଡ଼ିଛି।