ଟ୍ରେନ୍‌ ଇଞ୍ଜିନ୍‌ ସାମଗ୍ରୀ ଚୋରି: କଡ଼ା ସୁରକ୍ଷା ବଳୟ ଭିତରୁ ଡକାୟତି, ଆର୍‌ପିଏଫ୍‌-ବିଭାଗୀୟ କର୍ମଚାରୀ ସଂପୃକ୍ତି ସନ୍ଦେହ!

ରାଉରକେଲା: ବନ୍ଧମୁଣ୍ଡା ରେଲୱେ ଡିଜେଲ୍‌ ସେଡ୍‌ରୁ ବଡ଼ ଧରଣର ଚୋରି ହୋଇଛି। ଗତ ରବିବାର ବିଳମ୍ବିତ ରାତିରେ ୬ ଜଣ ଡକାୟତ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଡିଜେଲ୍‌ ସେଡ୍‌ ଭିତରେ ପଶି ପ୍ରାୟ ୨ ଲକ୍ଷ ଟଙ୍କାର ରେଳ ଇଞ୍ଜିନ୍‌ ସାମଗ୍ରୀ ଚୋରି କରିନେଇଛନ୍ତି। ଆର୍‌ପିଏଫ୍‌ ଘଟଣାର ଅନୁସନ୍ଧାନ ଜାରି ରଖିଛି; କିନ୍ତୁ ଏଯାଏଁ ଡକାୟତମାନଙ୍କୁ ଗିରଫ କରିବାରେ ସଫଳ ହୋଇପାରିନି।

ଗତ ରବିବାର ରାତି ପ୍ରାୟ ସାଢ଼େ ୧୨ଟା। ବନ୍ଧମୁଣ୍ଡା ରେଲୱେ ଡିଜେଲ୍‌ ସେଡ୍‌ର ୱାସିଂପୁଲ୍‌ ବିଭାଗରେ ୬ ଜଣ ଡକାୟତ ପଶିଥିଲେ। ମୁଖା ପିନ୍ଧି ୬ ଡକାୟତ ପାଚେରୀ ଡେଇଁ ସେଠାରେ ପହଞ୍ଚିଥିଲେ। ପରେ ଡିଜେଲ ଇଞ୍ଜିନ ଉପର ଭାଗରେ ଲାଗୁଥିବା ପାୱାର ଏସେମ୍ଲିଂ ଫିଟିଂ ଆଇଟମ୍‌କୁ ଚୋରି କରିନେଇଥିଲେ। ଡକାୟତମାନେ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୯୫ କେଜିର ମୂଲ୍ୟବାନ ଇଞ୍ଜିନ ସାମଗ୍ରୀ ଚୋରି କରିନେଇଥିଲେ। ପ୍ରାୟ ୪୦/୪୫ ମିନିଟ୍‌ ଭିତରେ ଡକାୟତମାନେ ଚୋରିକରି ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ଡକାୟତଙ୍କ ସମସ୍ତ କାର୍ଯ୍ୟକଳାପ ସିସିଟିଭ୍‌ରେ କଏଦ୍‌ ହୋଇଯାଇଛି। ସିସିଟିଭ୍‌ ଫୁଟେଜ୍‌କୁ ଅନୁଧ୍ୟାନକରି ଆର୍‌ପିଏଫ୍‌ ଛାନଭିନ୍‌ ଜାରି ରଖିଛି।

ଏହି ଡକାୟତିରେ ବିଭାଗୀୟ କର୍ମଚାରୀ, ଆର୍‌ପିଏଫ୍‌ କର୍ମଚାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି। ଚୋରି ହୋଇଥିବା ଅଞ୍ଚଳ, ଅର୍ଥାତ୍‌ ଡିଜେଲ ସେଡ୍‌ ହେଉଛି ସର୍ବାଧିକ ସୁରକ୍ଷିତ ଅଞ୍ଚଳ। ଏଠାରେ ୨୪ ଘଣ୍ଟା ଆର୍‌ପିଏଫ୍‌ କର୍ମଚାରୀ ପହରା ଦିଅନ୍ତି। ଏତେ ସୁରକ୍ଷା ସତ୍ତ୍ବେ ମୂଲ୍ୟବାନ ସାମଗ୍ରୀ ଚୋରି ହେବା, ଆର୍‌ପିଏଫ୍‌ କର୍ମଚାରୀଙ୍କ କାର୍ଯ୍ୟକଳାପନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରେନ୍‌ ୨/୩ ଦିନ ଯାତ୍ରା କରିବାପରେ ଇଞ୍ଜିନ୍‌ ଯାଞ୍ଚ କରାଯାଇଥାଏ। ଡିଜେଲ ସେଡ୍‌ରେ ଟ୍ରେନ୍‌ ପହଞ୍ଚିବାପରେ ଇଞ୍ଜିନ୍‌ର ବିଭିନ୍ନ ଅଂଶକୁ ଖୋଲି ତାକୁ ସଫା କରାଯିବା ସହ ଆବଶ୍ୟକ ମରାମତି କରାଯାଇଥାଏ। ସଫେଇ, ମରାମତି ପରେ ଉକ୍ତ ସାମଗ୍ରୀଗୁଡ଼ିକୁ ୧/୨ ଦିନ ପାଇଁ ସେମିତି ଖୋଲା ଅବସ୍ଥାରେ ରଖି ପରବର୍ତ୍ତୀ ସମୟପରେ ପୁଣି ଖଞ୍ଜାଯାଇଥାଏ। ଗତ ଶନିବାର ଦିନ ସଂଧ୍ୟାରେ ଗୋଟିଏ ଟ୍ରେନ୍‌ ଡିଜେଲ୍‌ ସେଡ୍‌ ୱାସିଂପୁଲ୍‌ରେ ପହଞ୍ଚିବାପରେ ବିଧି ଅନୁଯାୟୀ ତାକୁ ସଫେଇ କରାଯିବା ସହ ବିଭିନ୍ନ ଅଂଶକୁ ଅଲଗା କରାଯାଇଥିଲା। ଉକ୍ତ ସାମଗ୍ରୀକୁ ସୋମବାର ଦିନ ଇଞ୍ଜିନ୍‌ରେ ପୁନର୍ବାର ଖଞ୍ଜାଯାଇଥାନ୍ତା। ତେବେ ସାମଗ୍ରୀ ଖଞ୍ଜାଯିବା ପୂର୍ବରୁ ଡକାୟତମାନେ ରବିବାର ରାତିରେ ହିଁ ସାମଗ୍ରୀଗୁଡ଼ିକୁ ଅନାସୟାସରେ ଚୋରି କରିନେଇଥିଲେ। ଏଠାରେ ପ୍ରଶ୍ନ ଉଠେ, ରକ୍ଷଣାବେକ୍ଷଣ ପାଇଁ ଶନିବାର ଦିନ ଟ୍ରେନ୍‌ ପହଞ୍ଚିବା ଓ ବିଭିନ୍ନ ଅଂଶ ଖୋଲା ଯିବା ବିଷୟରେ ଡକାୟତମାନେ ଜାଣିଲେ କେମିତି? ସର୍ବଦା ଡ୍ୟୁଟିରେ ଥିବା ଆର୍‌ପିଏଫ୍‌ କର୍ମଚାରୀ ସେଦିନ କେଉଁ କାରଣରୁ ଅନୁପସ୍ଥିତ ଥିଲେ? ଆଦି ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି। ସମଗ୍ର ଘଟଣାବଳୀକୁ ଦେଖିଲେ, ଆର୍‌ପିଏଫ୍‌ ସମେତ ୱାସିଂପୁଲ୍‌ ବିଭାଗ କର୍ମଚାରୀଙ୍କ ସଂପୃକ୍ତି ମଧ୍ୟ ସନ୍ଦେହ ଘେରକୁ ଆସୁଛି। ‌ଡକାୟତ ଦଳକୁ କେହି ଭିତିରିଆ ସୂଚନା ଦେଇ ଦେଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର