ଲୁହାଖଣ୍ଡ ପକାଇ ରେଳରୋକ, ଅଳ୍ପକେ ବର୍ତ୍ତିଲା ଇଣ୍ଟର୍‌ସିଟି

ଟ୍ରେନ୍‌ ଚଳାଚଳରେ ବିଳମ୍ବରୁ ଉତ୍ତେଜନା

କିଶନନଗର: ଭଦ୍ରକ-ପାରାଦୀପ ପାସେଞ୍ଜର ଟ୍ରେନ୍‌ ଚଳାଚଳରେ ନିୟମିତ ବିଳମ୍ବ ନେଇ ଆଜି ପାରାଦୀପ-କଟକ ରେଳପଥର ବଡ଼ଖଣ୍ଡେଇତାରେ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଯାତ୍ରୀମାନେ ରେଳଧାରଣା ଉପରେ ଲୁହାଖଣ୍ଡ ପକାଇ ରେଳରୋକ କରିଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଇଣ୍ଟର୍‌ସିଟିର ଚାଳକ ରେଳଧାରଣାରେ ଲୁହାଖଣ୍ଡ ଦେଖି ହଠାତ୍‌ ବ୍ରେକ୍‌ ମାରିବାରୁ ଟ୍ରେନ୍‌ଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ପାରାଦୀପ-ଭଦ୍ରକ ପାସେଞ୍ଜର ଟ୍ରେନ୍‌ ପାରାଦୀପ-କଟକ ରେଳପଥର ବଡ଼ଖଣ୍ଡେଇତାରୁ ଛାଡ଼ିବା ସମୟ ପୂର୍ବାହ୍ନ ୭ଟା ୩୯ ରହିଛି। ହେଲେ, ଆଜି ଟ୍ରେନ୍‌ ନିର୍ଦ୍ଧାରିତ ସମୟର ଏକ ଘଣ୍ଟାରୁ ଅଧିକ ବିଳମ୍ବରେ ବଡ଼ଖଣ୍ଡେଇତା ପହଞ୍ଚିଥିଲା। ଫଳରେ ଟ୍ରେନ୍‌ରେ ଥିବା ଯାତ୍ରୀ ଓ ବଡ଼ଖଣ୍ଡେଇତାରେ ଅପେକ୍ଷାରତ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଯାତ୍ରୀମାନେ ଟ୍ରେନ୍‌ ସମ୍ମୁଖକୁ ଚାଲିଆସି ପାଟିତୁଣ୍ଡ କରିଥିଲେ। ଫଳରେ ଟ୍ରେନ୍‌ଟି ୧ ଘଣ୍ଟାରୁ ଅଧିକ ସମୟ ସେଠାରେ ଅଟକି ରହିଥିଲା। ଏହି ସମୟରେ ପାରାଦୀପ ଅଭିମୁଖେ ଆସୁଥିବା ଇଣ୍ଟର୍‌ସିଟି ଟ୍ରେନ୍‌କୁ ଉତ୍ତ୍ୟକ୍ତ ଲୋକେ ଅଟକାଇବା ପାଇଁ ଉଦ୍ୟମ କରିଥିଲେ। ନିକଟରେ ପଡ଼ିଥିବା ଲୁହାଧାରଣାକୁ ସେମାନେ ଇଣ୍ଟରସିଟି ଟ୍ରେନ୍‌ ଆସୁଥିବା ଲାଇନ ଉପରେ ରଖି ଦେଇଥିଲେ। ଏହା ଦେଖି ଦ୍ରୁତଗତିରେ ଆସୁଥିବା ଇଣ୍ଟରସିଟିକୁ ରୋକିବା ପାଇଁ ଚାଳକ ହଠାତ୍‌ ବ୍ରେକ୍‌ ଦେଇଥିଲେ। ଟ୍ରେନ୍‌ଟି ଝଟକା ଖାଇ ଲୁହାଖଣ୍ଡ ନିକଟରେ ଅଟକି ଯାଇଥିଲା। ଫଳରେ ସମ୍ଭାବ୍ୟ ଦୁର୍ଘଟଣାରୁ ଟ୍ରେନ୍‌ଟି ଅଳ୍ପକେ ରକ୍ଷା ପାଇଯାଇଥିଲା। ପରେ ଇଣ୍ଟରସିଟି ଟ୍ରେନ୍‌ର ସୁରକ୍ଷା କର୍ମଚାରୀମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଏ ପ୍ରକାର ରେଳରୋକ ନ କରିବାକୁ ପରାମର୍ଶ ଦେଇଥିଲେ। ଦିନ ପ୍ରାୟ ୧୦ଟାରେ ଉତ୍ତ୍ୟକ୍ତ ଯାତ୍ରୀ ରେଳ ଧାରଣାରୁ ହଟିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ସୂଚନାଯୋଗ୍ୟ ଯେ, ପାରାଦୀପ-ଭଦ୍ରକ ପାସେଞ୍ଜର ଟ୍ରେନ୍‌ ନିୟମିତ ଭାବେ ବିଳମ୍ବରେ ଚାଲୁଥିବାରୁ ଟ୍ରେନ୍‌ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ରେଳ ବିଭାଗର ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଯାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର