ଟ୍ରେନଲାଇନ ଉଡ଼ାଇଲେ ନକ୍ସଲ: ମୁମ୍ବାଇ- ହାୱଡା ମାର୍ଗରେ ରେଳ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା : ଭାରତ ବନ୍ଦ ଡାକରାର ଦିନକ ପୂର୍ବରୁ ବଡ଼ ଧରଣର ଅଘଟଣ ଘଟାଇଛନ୍ତି ନକ୍ସଲ l ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଲୋଟପାହାଡ ନିକଟରେ ଗତକାଲି ରାତି ପ୍ରାୟ ଦୁଇଟାରେ ବିସ୍ଫୋରଣରେ ଟ୍ରେନ ଲାଇନ ଉଡାଇ ଦେଇଛନ୍ତି l ବିସ୍ପୋରଣରେ ପ୍ରାୟ ଦୁଇ ମିଟର ପର୍ଯ୍ୟନ୍ତ ରେଳ ଲାଇନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି l ଫଳରେ ମୁମ୍ବାଇ – ହାୱଡା ଅଫ ଓ ଡାଉନ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି l ମାଲବାହୀ ଟ୍ରେନ ଡ୍ରାଇଭର ବିସ୍ଫୋରଣ ଶବ୍ଦ ଶୁଣି ଚକ୍ରଧରପୁର ମଣ୍ଡଳକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ l ଆଜି ଭୋରରୁ ବିଭାଗୀୟ ଅଧିକାରୀ,ଆରପିଏଫ ଯବାନ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ରେଳ ଲାଇନ ମରାମତି କାମ ଜାରି ରହିଛି l ରାଉରକେଲା ଷ୍ଟେସନରେ ଦୁଇଟି ଟ୍ରେନ ଅଟକି ରହିଛି l

ଯାତ୍ରୀମାନଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡିଛି l ଗତ ଚାରି ଦିନ ତଳେ ସେହି ଲୋଟାପାହାଡ ରେଳ ଲାଇନ ପାର୍ଶ୍ବରେ ନକ୍ସଲ ବ୍ୟାନର ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା l ଆତଙ୍କିତ ହୋଇ ପଡିଥିଲେ ରେଳବାଇ କର୍ମଚାରୀ, ଆର୍‌ପିଏଫ୍‌ ଯବାନ। ରେଳଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା |

ମାଲ୍‌ଗାଡି କର୍ମଚାରୀ ଦେଖି ରେଳବାଇ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପରେ ହାୱଡା-ମୁମ୍ବାଇ ଅପ୍‌ ଓ ଡାଉନ୍‌ ଲାଇନ୍‌ରେ ଯାତାୟତ କରୁଥିବା ଯାତ୍ରୀବାହୀ ଟ୍ରେନ୍‌କୁ ପୂର୍ବବର୍ତ୍ତୀ ଷ୍ଟେସନରେ ରୋକାଯାଇଥିଲା। ରାଉରକେଲାରୁ ହାୱଡା ଯାଉଥିବା ଅହମ୍ମଦାବାଦ ଏକ୍ସପ୍ରେସ୍‌ ଗୋଏଲକେରା ଷ୍ଟେସନର ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ସନ୍ଧାନୀ କୁକୁର, ଆର୍‌ପିଏପ୍‌, ଜିଆର୍‌ପି , ଜିଲ୍ଲା ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ଟ୍ରେନ୍‌ଗୁଡ଼ିକୁ ଛଡାଯାଇଥିଲା। ବ୍ୟାନରରେ କେନ୍ଦ୍ର ସରକାର ତିନିଟି କଳା କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନକ୍ସଲ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା l

ସମ୍ବନ୍ଧିତ ଖବର