ବହୁ ଦିନର ଦାବି ପୂରଣ: ନୂଆଗାଁ-ପୁରୀ ମଧ୍ୟରେ ଟ୍ରେନ୍‌ ଚଳାଚଳ ଆରମ୍ଭ

ଚଳାଚଳ ସମୟକୁ ନେଇ ଅସନ୍ତୋଷ ପ୍ରକାଶ, ଟ୍ରେନ୍‌ ଚଳାଚଳର ସମୟ ପରିବର୍ତ୍ତନ ଦାବି

ନୟାଗଡ଼ : ନୟାଗଡ଼ ଓ ପୁରୀ ଜିଲ୍ଲା ମଧ୍ୟରେ ସିଧାସଳଖ ଟ୍ରେନ୍‌ ଯାତ୍ରା ପ୍ରାୟ ଅଢ଼େଇ ବର୍ଷ ହେବ ବନ୍ଦ ପଡ଼ିଥିଲା। ମହାମାରୀ ସମୟରେ ଏହା ବନ୍ଦ ହୋଇଯାଇଥିବା ବେଳେ, ପୁନର୍ବାର ଆରମ୍ଭ ହୋଇପାରିନଥିଲା। ଏନେଇ ନୟାଗଡ଼ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା। ଏଭଳି ସ୍ଥିତିରେ ନୟାଗଡ଼ର ବିଭିନ୍ନ ସଂଗଠନଠାରୁ ଆରମ୍ଭ କରି ବିଧାୟକ ମଧ୍ୟ ଏହି ଟ୍ରେନ୍‌ ଚଳାଚଳ ନେଇ ଦାବି କରିଆସୁଥିଲେ। ଫଳରେ ୨୦ ତାରିଖ (ଆଜି)ଠାରୁ ପୁରୀରୁ ସିଧାସଳଖ ନୟାଗଡ଼ ଜିଲ୍ଲାକୁ ‌ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ବର୍ତ୍ତମାନ ନୂଆଗାଁ ପର୍ଯ୍ୟନ୍ତ ଟ୍ରେନ୍‌ ଲାଇନ୍‌ ସଂପ୍ରସାରିତ ହୋଇଥିବାରୁ ଏହି ଟ୍ରେନ୍‌ ନୂଆଗାଁ ଗଡ଼ିବ। ସନ୍ଧ୍ୟା ପ୍ର‌ାୟ ୭ଟା ୫୦ରେ ଏହି ଟ୍ରେନ୍‌ ପୁରୀ ଛାଡ଼ି ନୂଆଗାଁ ଷ୍ଟେସନ୍‌ରେ ରାତି ପ୍ରାୟ ୧୧ ଟା ୪୫ ପହଞ୍ଚିବ। ସେହିଭଳି ୨୧ ତାରିଖ ସକାଳେ ନୂଆଗାଁ ଛାଡ଼ି ପୁରୀ ଅଭିମୁଖେ ଯିବ। ତେବେ ଏହି ପାସେଞ୍ଜର ଟ୍ରେନ୍‌ ସମୟ ନିର୍ଘଣ୍ଟ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ନୂଆଗାଁ ଷ୍ଟେସନ୍‌ରୁ ସକାଳ ୮ଟା ୧୦ରେ ପୁରୀ ଅଭିମୁଖେ ଏହି ଟ୍ରେନ୍‌ (୦୮୪୨୪) ଛାଡ଼ି ପୁରୀରେ ମଧ୍ୟାହ୍ନ ୧୨ଟା ୧୫ରେ ପହଞ୍ଚିବ। ସେହିପରି ପୁରୀରୁ ଏହି ଟ୍ରେନ୍‌ (୦୮୪୨୩ ) ସଂଧ୍ୟା ୭ଟା ୫୦ରେ ବାହାରି ନୂଆଗାଁରେ ରାତ୍ର ୧୧ଟା ୪୫ରେ ପହଞ୍ଚିବ। ଏହି ସମୟ ସାରଣୀକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ରାତ୍ର ୧୧ଟା ୪୫ରେ ନୂଆଗାଁରେ ପହଞ୍ଚିବା ପରେ ଏତେ ରାତିରେ ନିରାପଦରେ ଘରେ ପହଞ୍ଚିବା ନେଇ ଯାତ୍ରୀ ଆଶା-ଆଶଙ୍କାରେ ରହିବେ ବୋଲି ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ କୁହଯାଇଛି।

India Rail Info

ସେହିଭଳି ଭୁବନେଶ୍ୱରରୁ ନୂଆଗାଁ ଷ୍ଟେସନ୍‌କୁ ଟ୍ରେନ୍‌ (୦୮୪୨୯) ପୂର୍ବାହ୍ଣ ୧୦ଟା ୨୦ରେ ଭୁବନେଶ୍ୱର ଛାଡ଼ି ମଧ୍ୟାହ୍ନ ୧ଟାରେ ନୂଆଗାଁ ରୋଡ୍‌ରେ ପହଞ୍ଚିବ ଏବଂ ଏହି ଟ୍ରେନ୍ (୦୮୪୩୦) ଅପରାହ୍ଣ ୩ଟା ୧୫ରେ ନୂଆଗାଁ ରୋଡ୍‌ ଛାଡ଼ି ଭୁବନେଶ୍ୱରରେ ସଂଧ୍ୟା ୬ଟା ୧୫ରେ ପହଞ୍ଚିବ। ଯାତ୍ରୀଙ୍କ ପାଇଁ ଏଭଳି ସମୟ ଅନୁକୂଳ ହେଉନାହିଁ। ଏପରି ସମୟ ସାରଣୀ ନେଇ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଟ୍ରେନରେ ଯାତ୍ରୀ ହେବା ନେଇ ସନ୍ଦେହ ପ୍ରକାଶ ପାଉଥିବା ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଅତୀତରେ ଯାତ୍ରୀ ନ ହେବା ଆଳ ଦେଖାଇ ନୟାଗଡ଼ ଟାଉନ୍‌-ଖଡ଼ଗପୁର ପାସେଞ୍ଜର ଟ୍ରେନକୁ ମଧ୍ୟ ବନ୍ଦ କରାଯାଇଛି। ପୁରୀ-ନୂଆଗାଁ ମଧ୍ୟରେ ଧାର୍ଯ୍ୟ ସମୟକୁ ପରିବର୍ତ୍ତନ କରି ପୂର୍ବରୁ ଯେପରି ପୁରୀ ପାସେଞ୍ଜର ଟ୍ରେନ୍ ସକାଳ ୫ଟାରେ ଯାତ୍ରା ଆରମ୍ଭ କରୁଥିଲା, ସେହିପରି ଯାତ୍ରୀ ଅନୁକୂଳ ସମୟସାରଣୀ ପ୍ରସ୍ତୁତ କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ଦାବି କରିଛି। ଏ ବାବଦରେ ପୂର୍ବତଟ ରେଳପଥ ବିଭାଗର ଲୋକ ସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଏହା ଏକ ଲିଙ୍କ୍‌ ଟ୍ରେନ୍‌। ଅନ୍ୟ ସ୍ଥାନରୁ ଆସୁଥିବା ଟ୍ରେନ୍‌ର ଚଳାଚଳ ସମୟକୁ ଦେଖି ଏହାର ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି। ବର୍ତ୍ତମାନ ସମୟ ପରିବର୍ତ୍ତନ କରାଯାଇପାରିବ ନାହିଁ। ଯଦି ଲୋକଙ୍କ ଦାବି ହେଉଛି, ଏ ନେଇ କିଛି ବିଚାର କରାଯାଇପାରେ।

ସମ୍ବନ୍ଧିତ ଖବର