ଜଟଣୀ : ପୂର୍ବତଟ ରେଳବାଇ ଯାତ୍ରୀଙ୍କଠାରୁ ପାସେଞ୍ଜର ଟ୍ରେନ୍ ପାଇଁ ଏକ୍ସପ୍ରେସ୍‌ ଟ୍ରେନ୍‌ର ଭଡ଼ା ନେଉଥିବା ଅଭିଯୋଗ ହୋଇଛି। କାରୋନା ସମୟରେ ପାସେଞ୍ଜର ଟ୍ରେନ୍‌ରେ ଯାତ୍ରା ପାଇଁ ଯେଉଁ ସର୍ବନିମ୍ନ ଟିକେଟ ଦର ସ୍ଥିର ହୋଇଥିଲା, ତାହା ଏପର୍ଯ୍ୟନ୍ତ ବଦଳି ନାହିଁ, ସ୍ଥିତି ସୁଧୁରି ଥିଲେ ବି ଯାତ୍ରୀଙ୍କଠାରୁ ସେହିସମୟର ଦର ନିଆଯାଉଛି। ଅନ୍ୟ ରାଜ୍ୟରେ ଏହାର ପରିବର୍ତ୍ତନ ହୋଇସାରିଥିଲା ବେଳେ ଓଡ଼ିଶାରେ ପୁରୁଣା ଦରରେ ଟିକେଟ କିଣୁଛନ୍ତି ଯାତ୍ରୀ। ଅନ୍ୟପଟେ ଗୋଟିଏ ଷ୍ଟେସନ୍‌ରେ ଟିକେଟ କାଟିବା ସମୟରେ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯିବା ସହ ଆସିବା ପାଇଁ ମଧ୍ୟ ଟିକେଟ କାଟିବାକୁ ଚାହାନ୍ତି, ହେଲେ ଏକାସାଙ୍ଗରେ ରିଟର୍ଣ୍ଣ ଟିକେଟ ମିଳୁ ନଥିବା ଜଣାପଡ଼ିଛି। ଏହି ସୁବିଧା ୨୦୧୮ମସିହାଠାରୁ ବନ୍ଦ ହୋଇଯାଇଥିବା ବେଳେ ଅଧିକାଂଶ ସମୟରେ ଯାତ୍ରୀମାନେ ଏଥିନେଇ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

Advertisment

କରୋନା ସମୟରେ ଟ୍ରେନ୍‌ରେ ଭିଡ଼ କମାଇବା ପାଇଁ ଟିକେଟର ସର୍ବନିମ୍ନ ଦର ୩୦ଟଙ୍କା କରି ଦିଆଯାଇଥିଲା। ଯାହାଫଳରେ ଜଣେ ଯାତ୍ରୀ ଯଦି ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍‌ରୁ ଅରଗୁଳୁ ରେଳ ଷ୍ଟେସନ୍ ଯିବାକୁ ଚାହିଁବ, ତାହାଲେ ତାକୁ ମାତ୍ର ୫କିମି ଦୂରତାକୁ ୩୦ଟଙ୍କା ଦରରେ ଟିକେଟ କାଟିବାକୁ ପଡୁଛି। ଅଥଚ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍‌ରୁ ଯଦି ପୁରୀ ଯିବାକୁ ଚାହିଁବ, ତାହାଲେ ୪୪କିମି ଦୂରତାକୁ ସମାନ ଦର ଅର୍ଥାତ୍ ୩୦ଟଙ୍କା ଦେବାକୁ ପଡ଼ୁଛି। ଏହାଦ୍ବାରା ଜଣେ ସାଧାରଣ ଯାତ୍ରୀ କମ୍ ବାଟ ଯାଇ ଅଧିକ ଟଙ୍କା ଗଣୁଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ସେହି ଟଙ୍କାରେ ଅଧିକ ଦୂର ଗସ୍ତ କରିପାରୁଛି।

publive-image indiatvnews.com

ଅନ୍ୟପଟେ ଷ୍ଟେସନ୍‌ରେ ରିଜର୍ଭଭେସନ୍ ବୁକିଂରେ ଉଭୟ ଯିବା ଆସିବା ପାଇଁ ଟିକେଟ ଉପଲବ୍ଧ ହେଉଥିବା ବେଳେ ପାସେଞ୍ଜର ଟ୍ରେନ୍‌ରେ କେବଳ ଯିବାର ଟିକେଟ ଉପଲବ୍ଧ ହେଉଛି। ରିଟର୍ଣ୍ଣ ଟିକେଟ ଉପଲବ୍ଧ ହେଉନାହିଁ। ଯାହାଦ୍ବାରା ରିଟର୍ଣ୍ଣ ଟିକେଟ କାଟିବା ପାଇଁ ଯାତ୍ରୀମାନେ ଅଧିକ ସମୟ ଖର୍ଚ୍ଚ କରୁଥିବା‌ ଏବଂ ଅଧିକ ବ୍ୟୟ କରୁଥିବା ଅଭିଯୋଗ ‌ହୋଇଛି। ଏଣୁ ଯଥାଶୀଘ୍ର ଗୋଟିଏ ଷ୍ଟେସନ୍‌ରେ ଉଭୟ ଯିବା ଓ ଆସିବା ଟିକେଟ ବିକ୍ରି କରିବାକୁ ରେଳଯାତ୍ରୀମାନେ ଦାବି କରିଛନ୍ତି। ଏଥିନେଇ ପୂର୍ବତଟ ରେଳବାଇର ଜନ ସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ କରୋନା ସମୟରେ ଲୋକଙ୍କ ଗହଳି କମେଇବା ପାଇଁ ସର୍ବନିମ୍ନ ରେଳ ଟିକେଟ ଦର ୩୦ଟଙ୍କା କରାଯାଇଥିଲା। ଏହା ରେଳବୋର୍ଡ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି, ଏହି ଦର କେବେ ପରିବର୍ତ୍ତନ ହେବ, ସେ ନିଷ୍ପତ୍ତି ବୋର୍ଡ ହିଁ ନେବ। ସେହିପରି ଗୋଟିଏ ଷ୍ଟେସନ୍‌ରେ ଏକାସାଙ୍ଗରେ ଯିବା ଆସିବା ଟିକେଟ କାଟିବା ୨୦୧୮ଠାରୁ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଟ୍ରେନ୍‌ଯାତ୍ରୀ ସୁବାଷ ଚନ୍ଦ୍ର ସାହୁ କହିଛନ୍ତି ଯେ, ପୂର୍ବତଟ ରେଳବାଇର ଏଭଳି ଯାତ୍ରୀଲୁଟ୍ ନିୟମକୁ ତରନ୍ତ ବଦଳାଯାଉ। ସର୍ବନିମ୍ନ ଦର କମାଇବା ସହ ରିଟର୍ଣ୍ଣ ଟିକେଟ ସୁବିଧା କଲେ ଯାତ୍ରୀମାନେ ହନ୍ତସନ୍ତ ହେବାରୁ ବର୍ତ୍ତି ପାରନ୍ତେ। ଅନ୍ୟଜଣେ ରେଳଯାତ୍ରୀ ଗଣେଶ ଓଝା କହିଛନ୍ତି ଯେ ଆମେ ପ୍ରତିଦିନ ରେଳ ଯାତ୍ରା କରୁଛୁ। ଟିକେଟର ସର୍ବନିମ୍ନ ଦର କମିଲେ ଆମର ମାସକୁ ବହୁତ ଟଙ୍କା ବଞ୍ଚିଯା’ନ୍ତା। କୋଭିଡ୍ ପୂର୍ବରୁ ସବୁକିଛି ଠିକ୍ ଠାକ୍ ଥିଲା, ହେଲେ କୋଭିଡ୍ ସମୟରେ ସର୍ବନିମ୍ନ ଦର ଲାଗୁ କରାଗଲା। କରୋନା କଟକଣା ପାଇଁ ଏହା କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସର୍ବନିମ୍ନ ଦର ପରିବର୍ତ୍ତନ କରାଯାଉନାହିଁ। ଆମେ ୨କିମି ଯାଇ ଯେତିକି ଟଙ୍କା ଦେଉଛୁ ଅନ୍ୟ ଜଣେ ଅଧିକ ଦୂର ଯାଇ ସେହି ମୂଲ୍ୟ ଦେଉଛି। ଯାହା ଆଦୌ ଗ୍ରହଣୀୟ ନୁହେଁ।