‌ଯେକୌଣସି ସ୍ଥାନରୁ ଏଫ୍‌ଆଇଆର୍‌ ଦେଇପାରିବେ ଟ୍ରେନ୍‌ ଯାତ୍ରୀ

ପୂର୍ବତଟ ରେଳପଥର ଶହେ ସ୍ୱତନ୍ତ୍ର ଟ୍ରେନ୍‌ରେ ଏସ୍କର୍ଟିଂ ସୁବିଧା
ଟ୍ରେନ୍ ଏସ୍କର୍ଟିଂ ଷ୍ଟାଫ୍‌ଙ୍କ ନିକଟରେ ଏଫଆଇଆର ଫର୍ମ ଉପଲବ୍ଧ
କୋଚ୍ ନମ୍ବର ଏସ୍‌-୧ରେ ବର୍ଥ ନମ୍ବର ୬୩ ସୁରକ୍ଷା କର୍ମୀଙ୍କ ପାଇଁ ସ୍ଥିରୀକୃତ

ଭୁବନେଶ୍ୱର : ଅଭିଯୋଗ ଅନୁଯାୟୀ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଏବଂ ଯାତ୍ରା ସମୟରେ ହଇରାଣ ନ ହେବାକୁ ନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କ ଅଭିଯୋଗ ସମ୍ବନ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଏକ ‘ଶୂନ୍ୟ(ଜିରୋ) ଏଫ୍‌ଆଇଆର’ ଦାଖଲ କରିପାରିବେ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଅସୁରକ୍ଷିତ ତଥା ଚିହ୍ନିତ ରାସ୍ତାଗୁଡ଼ିକରେ ଚଳାଚଳ କରୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନଗୁଡ଼ିକରେ ରେଳ ସୁରକ୍ଷା ବଳ(ଆରପିଏଫ୍) ଓ ସରକାରୀ ରେଳ ପୁଲିସ(ଜିଆରପି) ମୁତୟନ କରିବାକୁ ପଦକ୍ଷେପ ନିଆଯାଇଛି।

ଏହି ପରିପ୍ରେକ୍ଷୀରେ ଟ୍ରେନ୍ ଏସକର୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମେଲ୍/ଏକ୍ସପ୍ରେସ ଟ୍ରେନ୍‌ରେ ସ୍ଲିପର୍ କ୍ଲାସରେ ଏସ୍‌-୧ କୋଚ୍‌ର ବର୍ଥ ନମ୍ବର ୬୩କୁ ଜିଆରପି/ଆରପିଏଫ କର୍ମଚାରୀଙ୍କ ପାଇଁ ସ୍ଥିରୀକୃତ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏହି ସୁବିଧା ଶତାବ୍ଦୀ ଏକ୍ସପ୍ରେସ୍‌ର ଏସି ଚେୟାର କାର କୋଚ୍‌ରେ ଗୋଟିଏ ସିଟ୍(କୋଚ୍ ନମ୍ବର ସି-୪ରେ ବର୍ଥ ନମ୍ବର ୧) ଓ ରାଜଧାନୀ ଏକ୍ସପ୍ରେସର ପାଣ୍ଟ୍ରି କାର୍‌ରେ ଗୋଟିଏ ବର୍ଥକୁ ମଧ୍ୟ ସ୍ଥିରୀକୃତ କରାଯାଇଛି। ଟ୍ରେନ୍ ଏସକର୍ଟିଂ ଆରପିଏଫ୍/ଜିଆରପି କର୍ମଚାରୀଙ୍କୁ ଏଫ୍ଆଇଆର୍ ଫର୍ମ ଯୋଗାଇ ଦିଆଯାଇଛି। ଯାହା ଯାତ୍ରୀଙ୍କୁ ଏଫ୍ଆଇଆର୍ ଦାଖଲ କରିବାକୁ ସାହାଯ୍ୟ କରିବ। ଫଳରେ ଏଫ୍ଆଇଆର୍ ପଞ୍ଜୀକରଣ ପାଇଁ ଯାତ୍ରୀଙ୍କୁ ଯାତ୍ରା ବାତିଲ୍ କରିବାକୁ ପଡ଼ିବ ନାହିଁ।

egov.eletsonline.com

ପୂର୍ବତଟ ରେଳପଥ ପରିସୀମା ଅଧୀନରେ ୧୦୦ ସ୍ୱତନ୍ତ୍ର ଟ୍ରେନ୍ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏସ୍କର୍ଟିଂ ବା ପାଟ୍ରୋଲିଂ କରାଯିବ। ଏଥିରେ ଅପ୍‌ ଦିଗରେ ୨୫ଟି ନିୟମିତ ସ୍ୱତନ୍ତ୍ର ଟ୍ରେନ୍ ଓ ଡାଉନ୍ ଦିଗରେ ୨୬ଟି ସ୍ୱତନ୍ତ୍ର ଟ୍ରେନ୍, ଅପ ଦିଗରେ ୨୪ ଫେଷ୍ଟିଭାଲ୍ ସ୍ୱତନ୍ତ୍ର ଟ୍ରେନ୍, ଡାଉନ୍ ଦିଗରେ ୨୫ଟି ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ମଧ୍ୟ ରେଳ ପରିସର ତଥା ଟ୍ରେନ୍ ଯାତ୍ରା ସମୟରେ ସାମାଜିକ ବିରୋଧୀ ତଥା ଆପରାଧିକ କାର୍ଯ୍ୟକଳାପ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବାକୁ ଉଭୟ ମୁଖ୍ୟାଳୟ ତଥା ରେଳମଣ୍ଡଳ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସାଧାରଣତଃ ଦେଖାଯାଏ ଯେ ଚୋରି କିମ୍ବା ଅନ୍ୟାନ୍ୟ ଆପରାଧିକ ଘଟଣାର ରିପୋର୍ଟ ପଞ୍ଜୀକରଣ କରିବାକୁ ଯାତ୍ରୀଙ୍କୁ ଯାତ୍ରା ସମୟରେ କୌଣସି ଷ୍ଟେସନ୍‌ରେ ଓହ୍ଲାଇବାକୁ ପଡ଼େ। ଏମିତିକି ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ଅଭିଯୋଗ ଦାଖଲ କରନ୍ତି, ଯେଉଁଠାରେ ଏକ ମାମଲା ଶୂନ ନମ୍ବରରେ ଅଥବା ଜିରୋ ହେଡ୍‌ ପଞ୍ଜୀକୃତ ହୋଇଥାଏ। ପରବର୍ତ୍ତୀ ଅନୁସନ୍ଧାନ ପାଇଁ ସ୍ଥିରୀକୃତ ଜିଆରପି ଥାନାକୁ ମାମଲା ସ୍ଥାନାନ୍ତର କରାଯାଏ। ସମ୍ପୃକ୍ତ ପ୍ରାଧିକରଣ ଜିଆରପିରେ ପହଞ୍ଚିବାକୁ ମାସାଧିକ ସମୟ ଲାଗେ। କିନ୍ତୁ ଏହି ବ୍ୟବସ୍ଥା ପରେ ଯାତ୍ରୀଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ।

ସମ୍ବନ୍ଧିତ ଖବର