ଟ୍ରେନ ଚଳାଚଳ ବନ୍ଦ୍, ଆସିପାରୁନି ଡାକ, ୩ ଜିଲ୍ଲାବାସୀଙ୍କୁ କେବେ ମିଳିବ ଚିଠି?

ଜୟପୁର: ଟ୍ରେନ ଚଳାଚଳ ହୋଇପାରୁ ନାହିଁ। ଚିଠି ମଧ୍ୟ ଆଦାନ ପ୍ରଦାନ ହୋଇପାରୁ ନାହିଁ। ଦିନ ପରେ ଦିନ ବିତି ଚାଲିଛି। ଚିଠି ପଠାଇବା ପାଇଁ ବ୍ୟବସ୍ଥା ହୋଇପାରୁ ନାହିଁ। ତାହା ସରକାରୀ ହେଉ ବା ବେସରକାରୀ ଚିଠି ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। କୋଭିଡ୍ ସ୍ପେଶାଲ ଟ୍ରେନ ଚଳାଚଳ ବନ୍ଦ ହୋଇଥିବା ବେଳେ ଗତ ୮ ତାରିଖରୁ ବରିଷ୍ଠ ଡାକ ଅଧିକ୍ଷକ କୋରାପୁଟ ମଣ୍ଡଳ କାର୍ଯ୍ୟାଳୟକୁ ବ୍ରହ୍ମପୁରରୁ ଚିଠି ଆସିପାରୁ ନାହିଁ। ଫଳରେ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାବାସୀଙ୍କୁ ସୁବିଧାରେ ଚିଠି ମିଳିପାରି ନାହିଁ। ଏହାକୁ ୫ ଦିନ ବିତିଯାଇଥିବା ବେଳେ ଲୋକଙ୍କୁ ଚିଠି କେବେ ମିଳିବ ତାହାକୁ ଚାହିଁ ବସିଛନ୍ତି? ଏଥିପ୍ରତି ଡାକବିଭାଗ ପକ୍ଷରୁ କିଛି ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି।

କରୋନା ଦ୍ବିତୀୟ ଲହର ଆସିଛି, ସଂକ୍ରମଣକୁ ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳ କଟକଣା ଲାଗୁ ହେଉଛି। ଏହା ଭିତରେ ଲୋକେ ବାହାରକୁ ଯିବାକୁ କଟକଣା ଲାଗୁ ହେଉଥିବା ବେଳେ ଯାନବାହାନ ଯାତାୟତ ହୋଇପାରୁ ନାହିଁ। ଏଥିସହ ରାଜ୍ୟରେ ବସ୍ ଚଳାଚଳ ମଧ୍ୟ ଲକ୍‌ଡାଉନ୍ ପାଇଁ ବନ୍ଦ ହୋଇପଡିଛି। ଏଭଳି ସ୍ଥିତିରେ ଲୋକ‌େ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରିପାରୁ ନଥିବା ବେଳ‌େ ନିଜର ସମ୍ପର୍କୀୟଙ୍କ ନିକଟକୁ କୌଣସି ସାମଗ୍ରୀ ପଠାଇପାରୁ ନାହାନ୍ତି। ଏନେଇ ସେମାନ‌େ ଡାକ ସେବା ଉପରେ ନିର୍ଭର କଲେ ତାହା ମଧ୍ୟ ସୁଫଳ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ପୂର୍ବଭଳି ଲୋକେ ଆଉ ଚିଠି ଲେଖୁ ନାହାନ୍ତି ସତ ବର୍ତ୍ତମାନ ସୋସିଆଲ୍ ମିଡିଆ ଯୁଗରେ ହାଟ୍ସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ଜରିଆରେ ମଧ୍ୟ ଭାବର ଆଦାନ ପ୍ରଦାନ ହୋଇପାରୁଛନ୍ତି। ହଜାର ହଜାର କିଲୋମିଟର ଦୂରରେ ଥିବା ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଭିଡିଓ ମାଧ୍ୟମରେ କଥାବାର୍ତ୍ତା ହୋଇପାରୁଛନ୍ତି। କିନ୍ତୁ ଆଜି ମଧ୍ୟ କିଛି ଚିଠି ଓ ସାମଗ୍ରୀ ପଠାଇବା ପାଇଁ ସେହି ଡାକ ଉପରେ ହିଁ ନିର୍ଭର କରିବାକୁ ପଡୁଛି। ଏହାସହ ସରକାରୀ ଓ ବେସରକାରୀ ଚିଠି, ବୀମା କମ୍ପାନିର ଚିଠି ଆସୁଛି। କୋଭିଡ୍ ସମୟରେ ସରକାରୀ ଚିଠି ଯଦିଓ ବହୁ ଦିନ ‌ବିଳମ୍ବରେ ପହଞ୍ଚିବ କିମ୍ବା ଚାକିରୀରେ ନିଯୁକ୍ତି ପାଇଁ କୌଣସି ବ୍ୟକ୍ତିଙ୍କ ନିକଟରେ ଚିଠି ବିଳମ୍ବରେ ପହଞ୍ଚିବ ତେବେ କିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ତାହା ଜଳଜଳ ହୋଇ ଦିଶୁଛି।

ପୂର୍ବରୁ ଟ୍ରେନ ଚଳାଚଳ କରୁଥିବା ବେଳେ ରେଲ୍ ମେଲ୍ ସର୍ଭିସ୍ (ଆର୍‌ଏମ୍‌ଏସ୍‌) ମାଧ୍ୟମରେ ସୁବିଧାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚିଠି ଯିବା ଆସିବା ହୋଇପାରୁ ଥିଲା। କିନ୍ତୁ ଭୁବ‌ନେଶ୍ବର ଠାରୁ ଜଗଦଲପୁର ଯାତାୟତ କରୁଥିବା କୋଭିଡ୍ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଗତ ୮ ତାରିଖରୁ ବନ୍ଦ ହୋଇପଡିଛି। ଯାହାଫଳରେ ଗତ ୮ ତାରିଖରୁ ଆଜି ପର୍ଯ୍ୟନ୍ତ କୋରାପୁଟ ମଣ୍ଡଳକୁ ଚିଠି ଆସିନଥିବା ବେଳେ ତାହା ବ୍ରହ୍ମପୁର ଡାକ ଘର ଠ‌ାରେ ୫ ଦିନ ଧରି ଅଟକି ରହିଛି। ସ୍ଥାନୀୟ ଡାକ କାର୍ଯ୍ୟାଳୟ ପର୍ଯ୍ୟବେକ୍ଷକ ସମ‌ରେନ୍ଦ୍ର କୁମାର ସେଠୀଙ୍କ କହିବାନୁଯାୟୀ, କୋରାପୁଟ ମଣ୍ଡଳ କାର୍ଯ୍ୟାଳୟର ଅଧିନସ୍ଥ ୩ଟି ଜିଲ୍ଲାରେ (କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି) ୫୫୨ଟି ଡାକଘର ରହିଛି। ସେଥି ମଧ୍ୟରୁ ୨ଟି ପ୍ରଧାନ ଡାକଘର (ଜୟପୁର ଓ କୋରାପୁଟ), ୬୩ଟି ସବ୍ ପୋଷ୍ଟ ଅଫିସ୍ ଓ ୪୮୭ଟି ଗ୍ରାମୀଣ ଡାକଘର ରହିଛି। ‌ଆର୍‌ଏମ୍‌ଏସ୍‌ ଜରିଆରେ ଚିଠି ଆସିବା ପରେ ତାହା ଟ୍ରାନଜିଟ୍ ମେଲ୍ ଅଫିସ୍‌କୁ ଆସିଥାଏ, ସେଠାରୁ ପ୍ରଧାନ ଡାକଘର ପୁଣି ସେଠାରୁ ଅନ୍ୟ ସମସ୍ତ ଡାକଘରକୁ ଚିଠି ପଠାଯାଇଥାଏ। କିନ୍ତୁ ଗତ ୮ ତାରିଖରୁ ଏହି ମଣ୍ଡଳ କାର୍ଯ୍ୟାଳୟକୁ ବ୍ରହ୍ମପୁରରୁ ଚିଠି ଆସିପାରି ନାହିଁ। ଏନେଇ ସ୍ପେଶାଲ୍ ମେଲ୍ ମୋଟର ଗାଡି ସାହାଯ୍ୟରେ ଚିଠି ଆସିଲେ ତାହାକୁ ବଣ୍ଟନ କରାଯିବ। ବ୍ରହ୍ମପୁର ଠାରୁ ଏହି ଗାଡିରେ ସପ୍ତାହକୁ ୨ କିମ୍ବା ୩ ଥର ଆସିଥାଏ। ତେଣୁ ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସେହି ଗାଡିରେ ଖୁବ୍ ଶିଘ୍ର ଚିଠି ଆସି ପହଞ୍ଚିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର