ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଳାସପୁର ସହରଠାରୁ ଅଳ୍ପ ଦୂରରେ ବଡ଼ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଟ୍ରାକ୍‌ରେ ଅଟକିଥିବା ଏକ ମାଲବାହୀ ଟ୍ରେନ୍‌ ଉପରେ ପାସେଞ୍ଜର ଟ୍ରେନ୍‌ ଚଢ଼ିଯିବା ଫଳରେ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ପଛପଟୁ ଧକ୍କା ଦେବା ପରେ ପାସେଞ୍ଜର ମେମୁ ଟ୍ରେନ୍‌ର ଇଞ୍ଜିନ୍‌ ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଉପରେ ଚଢ଼ି ଯାଇଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସ୍ଥାନୀୟ ଲୋକେ କିଛି ଆହତଙ୍କୁ ଉଦ୍ଧାର କରିବା ପରେ ରେଳବାଇର ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଗ୍ୟାସ୍‌ କଟର୍‌ ସାହାଯ୍ୟରେ ପାସେଞ୍ଜର ଟ୍ରେନ୍‌ର ବଗିକୁ କାଟି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ଉଦ୍ଧାର କାର୍ଯ୍ୟ ଜାରି, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ
ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତରଙ୍କୁ ୫ ଲକ୍ଷ ସହାୟତା

ବହୁ ସଂଖ୍ୟାରେ ଯାତ୍ରୀ ମେମୁ ଟ୍ରେନ୍‌ରେ ଫସି ରହିଛନ୍ତି। ଶେଷ ଖବର ସୁଦ୍ଧା କିଛି ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦକ୍ଷିଣ-ପୂର୍ବ-ମଧ୍ୟ ରେଳବାଇ ମହାପ୍ରବନ୍ଧକ ତରୁଣ ପ୍ରକାଶ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜରୁରୀ ଯୋଗାଯୋଗ ନିମନ୍ତେ ରେଳବାଇ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି। ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗଭୀର ଦୁଃଖ ପ୍ରକାଶ କରି ସହାୟତା ଯୋଗାଇ ଦେବାକୁ ବିଳାସପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ କେଉଁ ପରିସ୍ଥିତିରେ ଏତେବଡ଼ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇ ପାରିନାହିଁ। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ମଣିଷକୃତ ନା ଯାନ୍ତ୍ରିକ ତ୍ରୁଟି, ତାହାର ଯାଞ୍ଚ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ମେମୁ ଟ୍ରେନ୍‌ର ଲୋକୋ ପାଇଲଟ୍‌, ସହକାରୀ ଲୋକୋ ପାଇଲଟ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ମାଲବାହୀ ଟ୍ରେନ୍‌ର ଗାର୍ଡ ଦୁର୍ଘଟଣା ପୂର୍ବରୁ ଟ୍ରେନ୍‌ରୁ ଡେଇଁ ଜୀବନ ବଞ୍ଚାଇଥିଲେ ସୁଦ୍ଧା ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଏବଂ ଗୁରୁତର ଆହତଙ୍କ ଲାଗି ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ରେଳବାଇ। ଅନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି।