ଭୁବନେଶ୍ବର : ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଏସି ଏକ୍ସପ୍ରେସ୍ ୫୨୭ ଜଣ ଯାତ୍ରୀଙ୍କୁ ନେଇ ଆଜି ସକାଳ ୧୦ଟାରେ ଯାତ୍ରା ଆରମ୍ଭ କରିଛି। ‌ମୋଟ ୧୭ଟି କୋଚ୍‌ ଓ ୯୧୬ ସିଟ୍‌ ଥିବା ଏହି ଟ୍ରେନ୍‌ରେ ଭୁବନେଶ୍ବର ଷ୍ଟେସନରୁ ୫୨୭ ଜଣ ଚଢ଼ିଥିବା ବେଳେ ଅନ୍ୟାନ୍ୟ ରହଣି ଷ୍ଟେସନ୍‌ରେ ୪୦୦ ଯାତ୍ରୀ ଚଢ଼ିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ତୃତୀୟ, ଦ୍ୱିତୀୟ ଓ ପ୍ରଥମ ଶ୍ରେଣୀ ସହ ସଂପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ। ଏହାର ଟିକେଟ୍‌ଗୁଡ଼ିକ କେବଳ ଆଇଆର୍‌ସିଟିସି ପୋର୍ଟାଲ୍ ଜରିଆରେ ଇଣ୍ଟର୍‌ନେଟ୍ ଦ୍ୱାରା ବୁକିଂ ହୋଇଥିଲା। ଯେଉଁମାନଙ୍କର କନ୍‌ଫର୍ମ ଟିକେଟ୍ ଥିଲା ସେହିମାନଙ୍କୁ କେବଳ ଟ୍ରେନ୍ ଭିତରକୁ ଚଢ଼ିବାକୁ ଅନୁମତି ଦିଆଯାଇଥିଲା।

Advertisment

ଥର୍ମାଲ୍ ସ୍କ୍ରିନିଂ ଓ ଉପଯୁକ୍ତ ସାମାଜିକ ଦୂରତା ରକ୍ଷାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରି ଯାତ୍ରୀଙ୍କୁ ଟ୍ରେନ୍‌ରେ ଚଢ଼ିବାକୁ ସୁଯୋଗ ମିଳିଥିଲା। ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଥିଲେ ଓ ପାଦ ଦ୍ୱାରା ପରିଚାଳିତ ହାତ ସାନିଟାଇଜର୍ ପ୍ରବେଶ ଗେଟ୍‌ରେ ଯୋଗାଇ ଦିଆଯାଇଥିଲା। ରେଳ କର୍ମଚାରୀ, ଯାତ୍ରୀମାନେ କିଭଳି ସାମାଜିକ ଦୂରତ୍ୱ ରକ୍ଷା କରି ଶୃଙ୍ଖଳିତ ଭାବେ ସ୍କ୍ରିନିଂ ସାରି ଧାଡ଼ିରେ ଷ୍ଟେସନ୍ ପରିସରକୁ ପ୍ରବେଶ କରିବେ ଓ ସାନିଟାଇଜ୍ ପରେ ଟ୍ରେନ୍‌ରେ ଚଢ଼ିବେ, ସେଥିପାଇଁ ବ୍ୟବସ୍ଥା ହୋଇଥିଲା। ଖୋର୍ଦ୍ଧାରୋଡ଼୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଅଶୋକ କୁମାରଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଏହି ସମସ୍ତ ସ୍ୱତନ୍ତ୍ର ବ୍ୟବସ୍ଥାକୁ ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ। ସଂପୂର୍ଣ୍ଣ ଷ୍ଟେସନ୍‌ରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା ଏବଂ ସମସ୍ତ ଯାତ୍ରୀ ଟ୍ରେନ୍‌ରେ ସୁବିଧାରେ ଚଢ଼ିଥିଲେ।